ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଲେ କୈଳାସ

ଲକ୍ଷ୍ମୀପୁର, ୧୨/୦୪/୨୦୨୪ (ଓଡ଼ିଶା ସମାଚାର)- ବିଜେଡ଼ି ଦଳ ଛାଡ଼ି ବିଜେପିରେ ସାମିଲ ହେଲେ ଲକ୍ଷ୍ମୀପୁର ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେଶିକା। ବିଜେଡ଼ି ଦଳ ତାଙ୍କୁ ଲକ୍ଷ୍ମୀପୁର ବିଧାୟକ ପ୍ରାର୍ଥୀ ଭାବେ ଟିକେଟ ଦେବ କହି ତିନି ବର୍ଷ ତଳେ ସାମିଲ କରାଇଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ବିଜେଡ଼ି ଦଳ ତାଙ୍କ ସହ ବିଶ୍ୱାସ ଘାତ କରି ଶେଷରେ ବର୍ତ୍ତମାନର ବିଧାୟକ ପ୍ରଭୁ ଜାନିଙ୍କୁ ଟିକେଟ ପ୍ରଦାନ କରିଛି।ଫଳରେ କୈଳାସ ଙ୍କୁ ନିରାଶ ହେବାକୁ ପଡ଼ିଲା। ତାଙ୍କ ସମର୍ଥକ ମାନଙ୍କ ମଧ୍ୟରେ ଦୁଃଖର ଛାୟା ଖେଳି ଗଲା।ଏନେଇ ସମର୍ଥକ ମାନଙ୍କ ନିଷ୍ପତି କ୍ରମେ ରାତାରାତି ଶ୍ରୀଯୁକ୍ତ କୁଲେଶିକା ବିଜେପିରେ ସାମିଲ ହୋଇଥିବା ବେଳେ ଶୁକ୍ରବାର ଅପରାହ୍ନରେ ଲକ୍ଷ୍ମୀପୁର,ଦସମନ୍ଥପୁର,ନାରାୟଣ ପାଟଣା ଓ ବନ୍ଧୁଗାଁ ବ୍ଲକ୍ ର ଶତାଧିକ କର୍ମୀ ଙ୍କ ସମେତ ବିଜେଡ଼ି ଦଳର ଲକ୍ଷ୍ମୀପୁର ବ୍ଲକ୍ ସଭାପତି ପ୍ରସାଦ ଖରାଙ୍କ ସହ ମିଶି ବିଧିବଧ ଭାବେ ବିଜେପି ଦଳ ତରଫରୁ ଆୟୋଜିତ ମିଶ୍ରଣ ପର୍ବରେ ସାମିଲ ହୋଇ ଜୟ ଶ୍ରୀରାମ ନାରା ଦେଇ ଥିଲେ। ରାଜ୍ୟ ସଭାପତି ମନମୋହନ ସାମଲ,ସମୀର ମହାନ୍ତି,ପ୍ରସାଦ ଜଗଦେବ ଓ ଓଡ଼ିଆ ସିନେ ତାରକା ଶ୍ରୀତମ ଦାସଙ୍କ ଉପସ୍ଥିତିରେ ସମସ୍ତେ ସାମିଲ ହୋଇଥିଲେ।ଏନେଇ ସିଏ ବିଜେଡି ଦଳର ପ୍ରାଥମିକ ସଦସ୍ୟତା ରୁ ଇସ୍ତଫା ଦେଇଥିବା ବେଳେ ଦଳର ସୁପ୍ରିମୋ ଙ୍କୁ ତାଙ୍କର ଇସ୍ତଫା ପତ୍ର ପ୍ରେରିତ କରିଥିବା କହିଛନ୍ତି।

ପ୍ରକାଶ ଥାଉ କି ୨୦୧୪ ମସିହାରେ କଂଗ୍ରେସ ଦଳ ତରଫରୁ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରୁ ସିଏ ବିଧାୟକ ପ୍ରାର୍ଥୀ ଭାବେ ଜୟ ଯୁକ୍ତ ହୋଇ ୨୦୧୯ ମସିହାରେ ବିଜେଡ଼ି ଦଳ ଠାରୁ ମାତ୍ର ୨୨୯ ଖଣ୍ଡ ଭୋଟରେ ପରାସ୍ତ ହୋଇଥିଲେ।ତାଙ୍କର ପରାକ୍ରମ ଦେଖି  ୨୦୨୧ ରେ ବିଜେଡ଼ି ଦଳ ତାଙ୍କୁ ସାମିଲ କରିଥିଲା।ବର୍ତ୍ତମାନ ସିଏ ବିଜେପି ଦଳରେ ସାମିଲ ହେବା ପରେ ବିଜେଡ଼ି ବିରୋଧରେ ଅଭିଯୋଗ ଆଣିଛନ୍ତି।ଗୁରୁବାର ଦିନ ଦଳ ତରଫରୁ ଲକ୍ଷ୍ମୀପୁର ବିଧାନ ସଭା ପ୍ରାର୍ଥୀ ଭାବେ ପ୍ରଭୁ ଜାନୀ ଙ୍କ ନାମ ଘୋଷଣା ହେବା ପରେ ବିଜେଡ଼ି ଦଳ କୁଆଡେ ଏକ କୋଟି ଟଙ୍କା ସହ ଜିଲ୍ଲାର ସ୍ବତନ୍ତ୍ର ପରିଷଦ ସଭାପତି ଭାବେ ଦାୟିତ୍ଵ ଦିଆଯିବ ବୋଲି ପ୍ରଲୋଭନ ଦେଖାଇଥିଲା ହେଲେ ତାକୁ ସିଏ ପ୍ରତ୍ୟାଖ୍ୟାନ କରି ଦେଇଥିଲେ ବୋଲି କୈଳାସ ପ୍ରକାଶ କରିଛନ୍ତି। ମୁଁ ଲୋକଙ୍କ ସେବା କରିବାକୁ ଆସିଛି ।ମୁଁ ବିଜେଡ଼ି ଦଳର କଥା ମାନି ଥାନ୍ତି ତେବେ ମୋ ଭରଷାରେ ଥିବା ଶତାଧିକ କର୍ମୀ କଣ କରିବେ। ତେଣୁ କରି ମୁଁ ବାଧ୍ୟ ହୋଇ ବିଜେପି ଦଳରେ ସାମିଲ ହେଲି।ଆଗକୁ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସ ଦଳ ସହ ବିଜେପି ର କଡା ଟକର ହେବ ଆଉ ବିଜେଡ଼ି ଦଳ ତୃତୀୟ ସ୍ଥାନରେ ରହିବ ବୋଲି ଶ୍ରୀ କୁଲେଶିକା ଗଣମାଧ୍ୟମ ଆଗରେ ଦୃଢୋକ୍ତୀ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *