କେନ୍ଦ୍ରାପଡା, ୧୯/୦୨/୨୦୨୫(ଓଡ଼ିଶା ସମାଚାର)- ଆଳି ବ୍ଲକର ବିଜେଡି ଯୁବ ସଭାପତି କେଦାରନାଥ ବେହେରାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରୁନାହିଁ । ଯାହା ଫଳରେ ଏହି ଅଭିଯୁକ୍ତମାନେ ଅଭିଯୋଗକାରୀଙ୍କୁ ମାମଲା ଉଠାଇଦେବା ପାଇଁ ହତ୍ୟା ଧମକ ଦେଉଛନ୍ତି । ଥାନାରୁ ନ୍ୟାୟ ନମିଳିବା ପରେ ଅଭିଯୋଗକାରୀ ଓ ବିଜେଡିର ତୁଙ୍ଗନେତାମାନେ ବୁଧବାର ଜିଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ।
ଜିଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କୁ ଜିଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସଙ୍କ ନେତୃତ୍ୱରେ ବିଜେଡି ନେତା ଓ କର୍ମୀମାନେ ଭେଟି ଅଭିଯୋଗ କରିଥିଲେ ଯେ ଶାସକ ଦଳର ଗୁଣ୍ଡାମାନେ ରାଜନୈତିକ ଉଦେଶ୍ୟ ରଖି କେଦାରଙ୍କୁ ଆକ୍ରମଣ କରିଥିଲେ । ଏଥିରେ କେଦାର ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏନେଇ ଆଳି ଥାନାରେ ଏତଲା ଦିଆଯିବା ପରେ ପୋଲିସ ଲୋକଦେଖାଣିଆ ଭାବରେ ଏକ ମାମଲା ରୁଜୁ କରି ଚୁପ୍ ବସିଛି ।
କିନ୍ତୁ ଅଭିଯୁକ୍ତମାନଙ୍କୁ ଗିରଫ କରୁନାହିଁ । ଏଣୁ ଆକ୍ରମଣର ଶିକାର ହୋଇଥିବା କେଦାର ନ୍ୟାୟ ପାଇପାରୁନାହିଁ । କେଦାରଙ୍କୁ ନ୍ୟାୟ ପ୍ରଦାନ ପାଇଁ ବିଜେଡି ନେତା ଓ କର୍ମୀମାନେ ଜିଲାପାଳଙ୍କୁ ନିବେଦନ କରିଥିଲେ । ଅଭିଯୋଗ ପାଇବା ପରେ ଜିଲାପାଳ ଶ୍ରୀ ପ୍ରଧାନ ଆରକ୍ଷୀ ଅଧୀକ୍ଷକଙ୍କ ସହ କଥା ହୋଇ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ନିର୍ଦେଶ ଦେଇଥିବା ଜଣାପଡିଛି ।
ଅପରପକ୍ଷରେ ଯଦି ଏକ ସପ୍ତାହ ମଧ୍ୟରେ ଆଳି ଥାନା ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ ନକରେ ତେବେ ଆସନ୍ତା ୨୬ତାରିଖରେ ବିଜେଡି ପକ୍ଷରୁ ରାସ୍ତାରୋକ କରାଯିବା ସହ ଆଳି ଥାନା ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଆଳି ୧ନମ୍ବର ଜୋନର ଜିଲା ପରିଷଦ ସଭ୍ୟା କନକଲତା ବେହେରା, ଜୁଆଣିଆ ସରପଂଚ ସୁବ୍ରତ ନାୟକ, ଦେସାହି ସମିତିସଭ୍ୟ ସନ୍ତୋଷ ବେହୁରିଆ, ଦେସାହି ସରପଂଚ ମୋନାଲିସା ଦାସ, ମମତା ଭୂୟାଁ ପ୍ରମୁଖ ବହୁ ଜନପ୍ରତିନିଧି ଓ ବିଜେଡି କର୍ମୀମାନେ ଜିଲାପାଳଙ୍କୁ ଭେଟି ଏସମ୍ପର୍କରେ ଅଭିଯୋଗ ପ୍ରଦାନ କରିଥିଲେ ।
