କେନ୍ଦ୍ରାପଡ଼ା, ୧୦/୦୪/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଅବକାରୀ ଅଧିକ୍ଷକ ଦେବୀ ପ୍ରସାଦ ମିଶ୍ରଙ୍କ ଲାଂଚ ମାଗୁଥିବା ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସହିତ ଦେଶୀ ଓ ବିଦେଶୀ ମଦ ଦୋକାନୀଙ୍କୁ ଲାଇସେନ୍ସ ରିନୁ୍ୟଆଲ ନିମନ୍ତେ ଲକ୍ଷାଧିକ ଟଙ୍କା ଲାଂଚ ଦାବି କରି ନମିଳିବାରୁ ଦୋକାନ ସିଲ କରିଦେବା ଘଟଣାର ତଦନ୍ତ ପାଇଁ ଅବକାରୀ ବିଭାଗ ଡେପୁଟୀ କମିଶନର ରାମଚନ୍ଦ୍ର ମିଶ୍ର ବୁଧବାର ସକାଳେ କେନ୍ଦ୍ରାପଡା ଅବକାରୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ପହଂଚି ବିଭିନ୍ନ କାଗଜପତ୍ର ତନଖି ଆରମ୍ଭ କରିଥିବା ଦେଖାଯାଇଛି । ଅବକାରୀ ଅଧିକ୍ଷକ ଶ୍ରୀ ମିଶ୍ର ତାଙ୍କ ବିଭାଗର ଜନୈକ କର୍ମଚାରୀଙ୍କ ସହ ମଦ ଦୋକାନର ଲାଇସେନ୍ସ ରିନୁ୍ୟଆଲ କରିବା ପାଇଁ ସଂପୃକ୍ତ ଦୋକାନୀଙ୍କ ଠାରୁ ଲାଂଚ ମାଗିବାକୁ କହୁଥିବା ଭାଇରାଲ ଅଡିଓରେ ରହିଛି । ଏହା ବ୍ୟତିତ ଦୁଇଜଣ ଲାଇସେନ୍ସଧାରୀ ମଦ ଦୋକାନୀଙ୍କ ମଦ ଦୋକାନ ଲାଇସେନ୍ସର ରିନୁ୍ୟଆଲ କରିବା ପାଇଁ ୨ଲକ୍ଷ ଓ ୩ଲକ୍ଷ ଟଙ୍କା ଲାଂଚ ଦାବି କରିଥିବା ନେଇ ସେମାନେ ଅବକାରୀ କମିଶନର ଓ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଏସମସ୍ତ ଅଭିଯୋଗର ତଦନ୍ତ କରିବାକୁ ଅବକାରୀ ବିଭାଗର ଡେପୁଟୀ କମିଶନର ଶ୍ରୀ ମିଶ୍ର ଅବକାରୀ ବିଭାଗର କମିଶନରଙ୍କ ନିର୍ଦେଶରେ କେନ୍ଦ୍ରାପଡା ଆସିଥିବା ଗଣମାଧ୍ୟମକୁ କହିଛନ୍ତି । କିନ୍ତୁ ତଦନ୍ତ ପାଇଁ ଆସିଥିବା ବେଳେ ଅଭିଯୋଗକାରୀ ୨ଜଣଙ୍କୁ କାହିଁକି ଡକାଯାଇ ନାହିଁ ବୋଲି ଗଣମାଧ୍ୟମର ପ୍ରତିନିଧିଙ୍କ ଉତର ଦେବାକୁ ଯାଇ ଡେପୁଟୀ କମିଶନର ଶ୍ରୀ ମିଶ୍ର କହିଥିଲେ ଯେ ସେମାନଙ୍କୁ ଟେଲିଫୋନରେ ଖବର ଦିଆଯାଇଛି । ସେମାନେ ଆସିବେ । କିନ୍ତୁ ଅବକାରୀ କାର୍ଯ୍ୟାଳୟ ଅପରାହ୍ନ ଗୋଟାଏରେ ବନ୍ଦ ହେବା ପର୍ଯ୍ୟନ୍ତ ଅଭିଯୋଗକାରୀ ପହଂଚିନଥିବା ଦେଖାଯାଇଥିଲା । କେନ୍ଦ୍ରାପଡା ଅବକାରୀ ଅଧିକ୍ଷକ ଶ୍ରୀ ମିଶ୍ରଙ୍କୁ ଗଣମାଧ୍ୟମର ପ୍ରତିନିଧିମାନେ ଅଭିଯୋଗ ସମ୍ପର୍କରେ ପ୍ରଶ୍ନ କରିଥିଲେ ମଧ୍ୟ ସେ ସେଠାରୁ ଲୁଚି ପଳାଇ ଯାଇଥିବା ଦେଖାଯାଇଥିଲା । ଅଧିକ୍ଷକ ଶ୍ରୀ ମିଶ୍ରଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗ ଅନୁଯାୟୀ ବବିତା ମହାନ୍ତି ନାମଙ୍କ ଜନୈକ ବିଦେଶୀ ମଦ ଦୋକାନୀ ୨୦୨୪-୨୫ବର୍ଷ ପାଇଁ ତାଙ୍କ ଦୋକାନର ରିନୁ୍ୟଆଲ କରିବାକୁ ଅନ୍ ଲାଇନରେ ଆବଶ୍ୟକ ସରକାରୀ ଦେୟ ପ୍ରଦାନ ସହ ମାର୍ଚ୍ଚମାସ ୩୧ତାରିଖରେ ରସିଦ ଓ କାଗଜପତ୍ର ଅବକାରୀ ଅଧିକ୍ଷକ ଦେବୀପ୍ରସାଦ ମିଶ୍ରଙ୍କ ନିକଟରେ ଦାଖଲ କରିଥିଲେ । କିନ୍ତୁ ଅବକାରୀ ଅଧିକ୍ଷକ ଶ୍ରୀ ମିଶ୍ର ପେମେଂଟ ଅବକାରୀ ସାଇଡରେ ଦେଖାଯାଉନଥିବାର ଆଳ ଦେଖାଇ ମଦଦୋକାନକୁ ସିଲ କରିଦେଇଥିବା ଅଭିଯୋଗ ହୋଇଥିଲା । ବବିତା ତାଙ୍କ ଆକାଉଂଟ ଷ୍ଟେଟମେଂଟ ଦେଖାଇବା ପରେବି କୌଣସି ପଦକ୍ଷେପ ନିଆନଯିବାରୁ ବବିତା ପୁନର୍ବାର ଚଳିତମାସ ୩ତାରିଖରେ ସରକାରୀ ଦେୟ ଅନ୍ ଲାଇନରେ ଜମା କରି ରସିଦ ଅବକାରୀ ଅଧିକ୍ଷକଙ୍କ ନିକଟରେ ଦାଖଲ କରିଥିଲେ । କିନ୍ତୁ ତାଙ୍କ ଦୋକାନରୁ ସିଲ ଖୋଲା ଯାଇନଥିବା ସେ ଜିଲାପାଳ ଓ ଅବକାରୀ କମିଶନରଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହାବ୍ୟତିତ ଅବକାରୀ ଅଧିକ୍ଷକ ଶ୍ରୀ ମିଶ୍ର ଦୋକାନ ପିଛା ଲାଇସେନ୍ସ ରିନୁ୍ୟଆଲ ବାବଦକୁୁ ଏକଲକ୍ଷ ଟଙ୍କା ଦାବି କରୁଥିବା ମଧ୍ୟ ସେ ଅଭିଯୋଗ କରିଥିଲେ । ଏହାବ୍ୟତିତ ଆଶିଷ ମିଶ୍ର ନାମକ ଅନ୍ୟଜଣେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ଯେ ତାଙ୍କ ପିତା ଚିତରଞ୍ଜନ ମିଶ୍ରଙ୍କ ନାମରେ ପଟ୍ଟାମୁଣ୍ଡାଇ ଓ ମାର୍ଶାଘାଇରେ ଦୁଇଟି ଲାଇସେନ୍ସପ୍ରାପ୍ତ ଦେଶୀ ମଦ ଦୋକାନ ରହିଛି । ତାଙ୍କ ବାପାଙ୍କ ଦେହ ଅସୁସ୍ଥ ଦୃଷ୍ଟିରୁ ଦୋକାନ ଦୁଇଟିର ଲାଇସେନ୍ସ ତାଙ୍କ ନାମକୁ ସ୍ଥାନାନ୍ତର ନିମନ୍ତେ ଅବକାରୀ ଅଧିକ୍ଷକ ୩ଲକ୍ଷ ଟଙ୍କା ଲାଂଚଦାବି କରିଥିଲେ । ଏହାପରେ ଅଧିକ୍ଷକ ମାସିକିଆ ୩୦ହଜାର ଟଙ୍କା ଲାଂଚ ନଦେଲେ ଦୋକାନ ସିଲ କରିଦେବେ ବୋଲି ତାଙ୍କୁ ଧମକାଉଥିବା ସେ ଅଭିଯୋଗ କରିଥିଲେ । ତାଙ୍କ ଦୋକାନର ଲାଇସେନ୍ସ ରିନୁ୍ୟଆଲ ପାଇଁ ଆଶିଷ ଗତ ମାର୍ଚ୍ଚମାସ ୩୦ତାରିଖରେ ଅନ୍ ଲାଇନରେ ଦରଖାସ୍ତ ଓ ସରକାରୀ ଦେୟ ଦାଖଲ କରି ରସିଦ ଓ ଆବେଧନ ପତ୍ର ଅବକାରୀ ଅଧିକ୍ଷକଙ୍କୁ ପାଖରେ ଦାଖଲ କରିଥିଲେ । କିନ୍ତୁ ଅଧିକ୍ଷକ ପେମେଂଟ୍ ଅନଲାଇନରେ ଶୋ କରୁନଥିବାର ଆଳ ଦେଖାଇ ତାଙ୍କ ଦୋକାନ ସିଲ କରିଦେଇଥିଲେ । ଆଶିଷ ତାଙ୍କର ଆକାଉଂଟ ଷ୍ଟେଟମେଂଟ ଅଧିକ୍ଷକଙ୍କୁ ଦେଖାଇ ନିରାଶ ହେବା ପରେ ପୁଣିଥରେ ଚଳିତମାସ ୨ତାରିଖରେ ସରକାରୀ ଦେୟ ପଇଠ କରି ରସିଦ ସହ ଅଧିକ୍ଷକଙ୍କୁ ଭେଟି ତାଙ୍କ ଦୋକାନ ଦୁଇଟିର ସିଲ ଖୋଲିଦେବାକୁ ନିବେଦନ କରି ବିଫଳ ହେବାରୁ ସେ ଜିଲାପାଳ ଓ ଅବକାରୀ କମିଶନରଙ୍କ ନିକଟରେ ଅଭିଯୋଗ କରିଥିଲେ । କେନ୍ଦ୍ରାପଡା ଅବକାରୀ ଅଧିକ୍ଷକଙ୍କ ନାମରେ ଏଭଳି ଗୋଟିଏ ପରେ ଗୋଟିଏ ଅଭିଯୋଗ ଆସିବା ଓ ଲାଂଚ ମାଗୁଥିବା ଅଡିଓ ଭାଇରାଲ ହେବା ଘଟଣାର ତଦନ୍ତ ପାଇଁ ଅବକାରୀ ବିଭାଗର ଡେପୁଟୀ କମିଶନର କେନ୍ଦ୍ରାପଡାରେ ପହଂଚି ତଦନ୍ତ ଆରମ୍ଭ କରିଥିବା ବେଳେ ଦେଖାଯାଉ ଆଗକୁ କଣ ପଦକ୍ଷେପ ଗ୍ରହଣ କରାଯାଉଛି ।