କେନ୍ଦ୍ରାପଡ଼ା, ୧୦/୦୪/୨୦୨୪ (ଓଡ଼ିଶା ସମାଚାର)-ଏକ ବିଶେଷ ସୁତ୍ରରୁ ଖବର ପାଇ କେନ୍ଦ୍ରାପଡା ଟାଉନ ଥାନା ପୋଲିସ ପକ୍ଷରୁ ଚଢାଉ କରାଯିବା ଫଳରେ ୭୯ଲିଟର ୨୦୦ମିଲି ଲିଟର ବିଦେଶୀ ମଦ ଜବତ କରାଯାଇଛି । ଟାଉନ ଥାନା ଇନିସପେକ୍ଟର ଦିଲ୍ଲିପ କୁମାର ସାହୁଙ୍କ ନିର୍ଦେଶ କ୍ରମେ ସବଇନିସପେକ୍ଟର ରତିରଞ୍ଜନ ନାୟକ ପୋଲିସ ଫୋର୍ସ ସହିତ ଚଢାଉ କରି ଟାଉନ ଥାନା ଅନ୍ତର୍ଗତ ଏକଣାଖଣ୍ଡି ଛକ ନିକଟରେ ବୁଧବାର ସକାଳ ୧୦ଟାରେ ଏକ ଟିଭିଏସ ଜୁପିଟର ସ୍କୁଟି(ଓଡି-୨୯-ଜି-୨୮୯୧)ଯୋଗେ ଯାଉଥିବା ବେଳେ ତାଙ୍କ ନିକଟରୁ ୮ପେଟି ବିଦେଶୀ ମଦ (୭୯ଲିଟର ୨ଶହ ମିଲି ଲିଟର ବିଦେଶୀ ମଦ) ସହ ସ୍କୁଟିକୁ ଜବତ କରିଥିଲେ । ଏଥିସହିତ ପୋଲିସ ସ୍କୁଟି ଚାଳକ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଆରିପଦା ଗ୍ରାମର ଶାନ୍ତନୁ କୁମାର ମଲିକଙ୍କ ପୁଅ ପ୍ରଭାତ କୁମାର ମଲ୍ଲିକ(୨୫)କୁ ଗିରଫ କରି ଥାନାକୁ ଆଣିଥିଲେ । ବଳଗଣ୍ଡିର ଏକ ମଦ ଦୋକାନରୁ ଏହି ମଦ ନେଇ ସେ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ସଂସାରଫଳ କାବଣକୁ ଯାଉଥିବା ପ୍ରଭାତ ପୋଲିସକୁ କହିଛି । ଓଡିଶା ଅବକାରୀ ଆଇନ -୨୦୦୮ର ଧାରା ୫୨ରେ ଥାନା କେଶ ନଂ- ୭୨/୨୦୨୪ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ପ୍ରଭାତ ମଲିକଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ତଦନ୍ତକାରୀ ଅଧିକାରୀ ସବଇନିସପେକ୍ଟର ସୁଧାସ୍ମିତା ପୃଷ୍ଟି ସୂଚନା ଦେଇଛନ୍ତି । ପ୍ରଭାତ ଠାରୁ ଏକ ମୋବାଇଲ ଫୋନ ପୋଲିସ ଜବତ କରିଛି ।