ଯାଜପୁର,୨୬/୦୫/୨୦୨୬ (ଓଡ଼ିଶା ସମାଚାର)- ଯୋଗ୍ୟ ମତଦାତାଙ୍କୁ ଭୋଟର ତାଲିକାରେ ସମ୍ମିଳିତ କରିବା ଏବଂ ଅନଧିକୃତ ପ୍ରବାସୀ କିମ୍ବା ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ବିଲୋପ କରିବା ଉଦ୍ଦେଶ୍ୟ ନେଇ ଯାଜପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସଆଇଆର୍ ପ୍ରକ୍ରିୟା ଆରମ୍ଭ ହେଉଛି। ଏହି କ୍ରମରେ ଆଜି ବଡ଼ଚଣା ନିର୍ବାଚନ ମଣ୍ଡଳୀରେ ବୁଥ ସ୍ତରୀୟ ଅଧିକାରୀ (ବିଏଲଓ)ମାନଙ୍କ ଏସଆଇଆର ଭୋଟର ତାଲିକା ସଂଶୋଧନ ସମ୍ବନ୍ଧୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଏସଆଇଆର୍ ସମୟ ସାରଣୀ, ଏନୁମେରେସନ୍ ଫର୍ମ ବିତରଣ ଓ ସଂଗ୍ରହ, ବିଏଲଓ ଏବଂ ବିଏଲଓ ସୁପରଭାଇଜରଙ୍କ ଦାୟିତ୍ଵ, ଫର୍ମ ପୂରଣ ପ୍ରକ୍ରିୟା ଇତ୍ୟାଦି ସମ୍ପର୍କରେ ତାଲିମ ଦିଆଯାଇଛି।
ଏହାସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ମାର୍ଗଦର୍ଶିକା କ୍ରମେ ଚଳିତ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ସତର୍କତା ନିୟମାବଳୀ ଅବଲମ୍ବନ କରି କାର୍ଯ୍ୟ ସମ୍ପାଦନ କରିବାକୁ ବିଏଲଓମାନଙ୍କୁ ପରାମର୍ଶ ଦିଆଯାଇଛି। ବଡ଼ଚଣା ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶିବାନନ୍ଦ ସ୍ୱାଇଁ, ଅତିରିକ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ବିଡ଼ିଓ ରବୀନ୍ଦ୍ର କୁମାର ପ୍ରଧ।ନ, ଡେପୁଟି କଲେକ୍ଟର ମନୀଷା ଜେନା, ତହସିଲଦାର ମାନସ ତ୍ରିପାଠୀ ପ୍ରଶିକ୍ଷଣ ଦେଇଥିଲେ। ସୂଚନାଯୋଗ୍ୟ, ମଇ ୩୦ ରୁ ଜୁନ୍ ୨୮ ଯାଏଁ ବିଏଲଓମାନଙ୍କ ଦ୍ଵାରା ଘର ଘର ବୁଲି ସର୍ଭେ କରାଯିବ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବଡ଼ଚଣା ନିର୍ବାଚନ ମଣ୍ଡଳୀର ୨୦୬ ଜଣ ବୁଥ ସ୍ତରୀୟ ଅଧିକାରୀ, ୨୧ ଜଣ ବିଏଲଓ ସୁପରଭାଇଜର ଏବଂ ସ୍ୱେଚ୍ଛାସେବୀମାନେ ତାଲିମ ଗ୍ରହଣ କରିଛନ୍ତି।
