କଟକ, ୩୦/୦୩/୨୦୨୪ (ଓଡ଼ିଶା ସମାଚାର)- କୋଲକାତାରୁ ଚାଲାଣ ବେଳେ କଟକ ମଙ୍ଗୁଳି ଟୋଲ୍ଗେଟ୍ ନିକଟରୁ ଶନିବାର ସନ୍ଧ୍ୟାରେ ୯କିଲୋରୁ ଅଧିକ ବିଦେଶୀ ସୁନା ଜବତ ହୋଇଛି। ଏହି ଚାଲାଣ ଘଟଣାରେ ଡିଆରଆଇ ସୁନା ବିସ୍କୁଟ୍ ଓ ଏକ କାର୍ ଜବତ କରିଛି। ସଂପୃକ୍ତ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।ଏକ କାର୍ ଯୋଗେ କୋଲକାତାରୁ ସୁନା ଚୋରା ଚାଲାଣ ହେଉଥିବା ନେଇ ଡିଆରଆଇକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ଡିଆରଆଇର କର୍ମଚାରୀମାନେ କଟକ ମଙ୍ଗୁଳି ଟୋଲ୍ ପ୍ଲାଜା ନିକଟରେ ଛକି ବସିଥିଲେ। ସୁନା ଚାଲାଣ ହେଉଥିବା କାର୍ ଯେତେବେଳେ ଘଟଣାସ୍ଥଳରେ ପହଞ୍ଚିଥିଲା, ସେଠାରେ ଜଗି ରହିଥିବା କର୍ମଚାରୀମାନେ ଏକ କାରକୁ ଅଟକାଇଥିଲେ। କାର କୁ ଯାଞ୍ଚ କରିବା ବେଳେ କାର୍ ଭିତରୁ ୯ ହଜାର ୧୮୦ ଗ୍ରାମର ସୁନା ବିସ୍କୁଟ ମିଳିଥିଲା ।
ଯାହାର ଆନୁମାନିକ ମୂଲ୍ୟ ୬ କୋଟି ୪୪ ଲକ୍ଷ ୪୬ ହଜାର ୧୬୪ ଟଙ୍କା ହେବ। ଏହି ଘଟଣାରେ ଡିଆରଆଇ ୨ ଜଣଙ୍କୁ ଗିରଫ କରିଛି । ଚୋରାଚାଲାଣ ହେଉଥିବା ଗାଡି ବି ଜବତ କରାଯାଇଛି। ଏ ସମ୍ପର୍କରେ କଷ୍ଟମ୍ସ ଆକ୍ଟରେ ଏକ ମାମଲା ରୁଜୁ କରାଯାଇଛି।
ତେବେ ଅଭିଯୁକ୍ତମାନେ ସୁନାକୁ କେଉଁଠାକୁ ନେଉଥିଲେ ରିପୋର୍ଟ ଲେଖାଯିବା ପର୍ୟ୍ୟନ୍ତ ଜଣାପଡ଼ି ନାହିଁ। ତଦନ୍ତ ପରେ ଏହା ଜଣାପଡ଼ିବ ବୋଲି ଡିଆରଆଇ ପକ୍ଷରୁ କୁହାଯାଇଛି।
କୋଲକାତାରୁ ଚୋରାଚାଲାଣ ହେଉଥିବାବେଳେ କଟକ ମଙ୍ଗୁଳି ଟୋଲ୍ଗେଟ୍ ନିକଟରୁ କାର୍ ସହ ୯କିଲୋ ସୁନା ଜବତ ,୨ ଗିରଫ
