କୋଠପଦା ଦଳିତ ବସ୍ତିରେ ଅଷ୍ଟ ପ୍ରହର ନାମଯଜ୍ଞ, ଯୋଗଦେଲେ ୧୫ ରୁ ଉର୍ଦ୍ଧ୍ଵ ସଂକୀର୍ତ୍ତନ ମଣ୍ଡଳୀ

ମାହାଙ୍ଗା ୩୧/୦୩/୨୦୨୪ (ଓଡିଶା ସମାଚାର/ ଅଭୟ ଜେନା ) – କୁହୁଣ୍ଡା ଗ୍ରାମ ପଞ୍ଚାୟତ କୋଠପଦା ଦଳିତ ସାହିରେ ଅଷ୍ଟ ପ୍ରହର ବ୍ୟାପୀ ହରିନାମ ସଂକୀର୍ତ୍ତନ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ପାଇଁ କଟକ, କେନ୍ଦ୍ରାପଡା ଏବଂ ଯାଜପୁର ଭଳି ବିଭିନ୍ନ ଜିଲ୍ଲାରୁ ସଂକୀର୍ତ୍ତନ ମଣ୍ଡଳୀ ଗୁଡିକୁ ନିମନ୍ତ୍ରଣ ଦିଆଯାଇଥିଲା । ଦଳିତ ସମ୍ପ୍ରଦାୟର ଅନେକ ପରିବାର ଏହି ଗାଁ’ରେ ବସବାସ କରିଆସୁଥିବା ବେଳେ, ସେମାନଙ୍କ ଭିତରେ ଆଧ୍ୟାତ୍ମିକ ଚେତନା ବେଶ ସମୃଦ୍ଧ । ଏହି ଅଷ୍ଟପ୍ରହରୀ ନାମ ଯଜ୍ଞକୁ ସବୁ ବର୍ଗର ଲୋକମାନଙ୍କୁ ନିମନ୍ତ୍ରଣ କରାଯାଏ । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆଚଣ୍ଡାଳ-ବ୍ରାହ୍ମଣ ପର୍ଯ୍ୟନ୍ତ ସମସ୍ତେ ଏକତ୍ରିତ ହେବା ଏହି ଅଷ୍ଟ ପ୍ରହର ଉତ୍ସବର ବିଶେଷତ୍ୱ । ରାଗ ରୋଷ ହିଂସା ଦ୍ୱେଷ ସମସ୍ତ ଆସୁରିକ ଶକ୍ତିର ବିନାଶ ସାଙ୍ଗକୁ ସ୍ନେହ ପ୍ରେମ ଭାଇଚାରା,ବିଶ୍ୱାସ ଓ ଅତ୍ମୀୟତା ସୃଷ୍ଟି ପାଇଁ ଉତ୍ସବ ସ୍ଥଳୀରେ ଉପସ୍ଥିତ ହେବା ଦେଖିବାକୁ ମିଳେ । ହରି ହାଟରେ ସମସ୍ତେ ଏକାକାର ହୋଇ ରାଧାକୃଷ୍ଣ ପ୍ରେମ ଲୀଳାର ଅପୂର୍ବ ଶ୍ରଦ୍ଧାପଣରେ ବାନ୍ଧିହୋଇ ଯାଆନ୍ତି ।  ଭଗବାନ କେବଳ ଭକ୍ତର । କୁହାଯାଏ ବିଶ୍ୱାସେ ମିଳଇ ହରି, ତର୍କେ ବହୁ ଦୂର । ଏହି ଉକ୍ତିର ଯଥାର୍ଥତା ବହନ କରିଆସିଛି କୋଠପଦା ଦଳିତ ସାହିର ଅଷ୍ଟ ପ୍ରହର ଉତ୍ସବ  । ଚଳିତବର୍ଷ ଶଙ୍ଖପୁର, ଅରିଲୋ, ବାଲିପଡ଼ିଆ, ସାହାପୁର, କୁଣ୍ଡି, ନନ୍ଦକିଶୋରପୁର, ମଲ୍ଲିକପୁର, ବେନୁପୁରା, ଧଉଳିଆ, ହରଗୋବିନ୍ଦପୁର, କଲ୍ୟାଣପୁର, କୁହୁଣ୍ଡା, ବନଗୁରୀଆ, ହଂସଦିଆ, କୁଆଁପାଳ,ମୂଳବସନ୍ତ, ସିପୁରା, ମଧୁପୁର, ଘିସୁଆଁ, ବାସୁଦେବପୁର, ଆଦି ବିଭିନ୍ନ ଅଂଚଳରୁ ଶହଶହ ଶ୍ରଦ୍ଧାଳୁ ଏହି ଧର୍ମୀୟ ଉତ୍ସବରେ ଯୋଗଦେବା ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *