ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ଶେଷ

ଭୁବନେଶ୍ୱର, ୨୪/୧୧/୨୦୨୩ (ଓଡ଼ିଶା ସମାଚାର)- ନଭେମ୍ବର ୨୧ ତାରିଖଠାରୁ ଆରମ୍ଭ ହୋଇଥିବା ଷୋଡ଼ଶ ବିଧାନସଭାର ଚତୁର୍ଦ୍ଦଶ ଅଧିବେଶନ ଅର୍ଥାତ୍ ଶୀତ ଅଧିବେଶନ ଶେଷ ହୋଇଛି। ନିର୍ଦ୍ଧାରିତ ସମୟ ପୂର୍ବରୁ ଚଳିତ ବିଧାନସଭାର ଶୀତକାଳୀନ ଅଧିବେଶନକୁ ଶେଷ କରାଯାଇଛି। ନଭେମ୍ବର ୨୧ ଆରମ୍ଭ ହୋଇ ଡିସେମ୍ବର ୩୦ ଯାଏଁ ବିଧାନସଭା ଚାଲିବାର ଥିଲା। ୩୦ ଟି କାର୍ୟ୍ୟ ଦିବସ ଥିବା ଚଳିତ ଶୀତ ଅଧିବେଶନ ୪ ଦିନ ଚାଲିବା ପରେ ଆଜି ଅନିର୍ଦ୍ଧିଷ୍ଟ କାଳ ପାଇଁ ବାଚସ୍ପତି ପ୍ରମିଳା ମଲ୍ଲିକ ଗୃହକୁ ମୁଲତବି ଘୋଷଣା କରିଛନ୍ତି ।
ଶୀତ ଅଧିବେଶନଟି ନଭେମ୍ବର ୨୧ ରୁ ଡିସେମ୍ବର ୩୦ ଯାଏଁ ଚାଲିବାର ଥିଲେ ହେଁ ଗୃହରେ ଆଉ କୌଣସି ସରକାରୀ କାର୍ୟ୍ୟ ନ ଥିବା ହେତୁ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିବାକୁ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଗୃହରେ ପ୍ରସ୍ତାବ ଆଣିଥିଲେ। ପ୍ରସ୍ତାବକୁ ବିଜେଡି ବିଧାୟକ ଶଶୀ ଭୁଷଣ ବେହେରା ଓ ଭୁପିନ୍ଦର ସିଂ ସମର୍ଥନ କରିଥିଲେ। କାରଣ ଏହି ଅଧିବେଶନ ଚାରି ଦିନ ସୂରିଖୁରୁରେ ଚାଲିଥିବା ବେଳେ ଆଉ କୌଣସି କାର୍ୟ୍ୟ ବାକି ନାହିଁ। ଚଳିତ ଅଧିବେଶନରେ ଗୋଟିଏ ବିଲ୍ ପାସ ହୋଇଥିବା ବେଳେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ମଧ୍ୟ ହୋଇଛି। ଅନ୍ୟପଟେ ଗୃହ କାର୍ୟ୍ୟରେ ସହଯୋଗ କରିଥିବାରୁ ବିରୋଧୀ ଦଳ ଓ ସରକାରୀ ଦଳ ସଦସ୍ୟଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇଛନ୍ତି । ବିରୋଧୀ ଦଳ ଓ ସରକାରୀ ଦଳ ଗୃହ ଚଳାଇବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସମସ୍ତେ ଅଂଶଗ୍ରହଣ କରିଥିଲେ। ଏଥିସହ ବିଧାନସଭା କର୍ମଚାରୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *