ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ ଙ୍କ ବିଜେପି ରୁ ଇସ୍ତଫା

ନୀଳଗିରି,୨୯/୦୩/୨୦୨୪ (ଓଡ଼ିଶା ସମାଚାର)- ଭାରତୀୟ ଜନତା ପାର୍ଟି (ଭାଜପା) ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ ଏକ ଖବରଦାତା ସମ୍ମିଳନୀ ଆୟୋଜନ କରି ଭାଜପାରୁ ଇସ୍ତଫା ଦେଇଥିବା ସୂଚନା ଦେଇଛନ୍ତି। ସେ ତାଙ୍କ ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଥିବା ବିଜେପି ସଭାପତି ମନମୋହନ ସାମଲଙ୍କୁ ଚିଠି ମାଧ୍ୟମରେ ଜଣାଇ ଦେଇଥିବା ସୂଚନା ଦେଇଛନ୍ତି।

ଭାଜପା ଛାଡ଼ିବା ପରେ ନାୟକ କେଉଁ ଦଳରେ ଯୋଗଦେବେ ଏନେଇ ସେ ମୁହଁ ଖୋଲିନାହାନ୍ତି। ବିଧାୟକ ନାୟକ ବିଜେଡିରେ ଯୋଗଦାନ ନିଷ୍ପତ୍ତି ନେଇପାରନ୍ତି ବୋଲି ତାଙ୍କ ନିକଟତମ ସହଯୋଗୀଙ୍କ ପାଖରୁ ଶୁଣିବାକୁ ମିଳୁଛି। ସୁକାନ୍ତ ଭାଜପା ଛାଡ଼ିବା ସଂକ୍ରାନ୍ତରେ ଗତ କିଛିଦିନ ହେବ ଆଭାସ ମିଳିଥିଲା। ତାଙ୍କୁ ଭାଜପା ଦଳରେ ଅଣଦେଖା ପ୍ରମୁଖ ବିଷୟ ହୋଇଥିବା କୁହାଯାଉଛି।

ସୁକାନ୍ତ ଛାତ୍ର ଜୀବନରୁ ବିଜୁବାବୁଙ୍କ ନୀତି ଆଦର୍ଶକୁ ଅନୁସରଣ କରି ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ। ନିଜ ପଞ୍ଚାୟତରେ ୧୯୯୨ରୁ ୧୯୯୪ ପର୍ଯ୍ୟନ୍ତ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇ ଲୋକଙ୍କର ସେବା ଆରମ୍ଭ କରିଥିଲେ। ପରେ ୧୯୯୪ ମସିହାରେ ଯୁବ ଇଞ୍ଜିନିୟର ଭାବରେ ଓଡ଼ିଶା ସରକାରଙ୍କ ଜଳସେଚନ ବିଭାଗରେ ଯୋଗଦେଇ ଚାକିରୀ ଜୀବନ ଆରମ୍ଭ କରିଥିଲେ। ୨୦୧୪ ମସିହାରେ ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଥିବା ବେଳେ ସରକାରୀ ଚାକିରୀରୁ ଇସ୍ତଫା ଦେଇ ଜନସେବାକୁ ଆପଣେଇ ନେଇଥିଲେ।

୨୦୧୪ରେ ନୀଳଗିରି ନିର୍ବାଚନ ମଣ୍ଡଳୀରେ ବିଜେଡ଼ିରୁ ସୁକାନ୍ତ ପ୍ରାର୍ଥୀ ହୋଇ ନିଜର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ମହିଳା ପ୍ରାର୍ଥୀ ସୁଷମା ବିଶ୍ବାଳଙ୍କୁ ୧୩ ହଜାର ୭ ଶହ ଖଣ୍ଡ ଭୋଟରେ ପରାଜିତ କରି ନୀଳଗିରି ନିର୍ବାଚନ ମଣ୍ଡଳୀରେ ନିଜର ଲୋକପ୍ରିୟତା ଦର୍ଶାଇଥିଲେ। ପରେ ୨୦୧୯ ମସିହା ନିର୍ବାଚନରେ ଜିଲା ସଭାପତିଙ୍କ ସହିତ ମନୋମାଳିନ୍ୟ ଯୋଗୁଁ ବିଜେଡ଼ି ଦଳ ଛାଡି ଭାରତୀୟ ଜନତା ପାର୍ଟିରରେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *