କେନ୍ଦ୍ରାପଡ଼ା,୧୧/୦୪/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲା ପରିଷଦର ଉପସଭାପତି ଭାବେ ଆଳି ବିଧାନସଭା କ୍ଷେତ୍ରର ଜିଲା ପରିଷଦ ସଦସ୍ୟ ଭୀଷ୍ମ ମହାନ୍ତି ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଶୁକ୍ରବାର ପୂର୍ବାହ୍ଣରେ ସ୍ଥାନୀୟ ଗୌରୀ ଶଙ୍କର ହୋଟେଲରେ ବିଜେଡିର ଏକ ସ୍ୱତନ୍ତ୍ର ବୈଠକ ବସିଥିଲା । ସେହି ବୈଠରେ ଆଳି ବିଧାୟକ ପ୍ରତାପ ଦେବ, ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଓ ବିଜୁ ଜନତା ଦଳର ପର୍ଯ୍ୟବେକ୍ଷକ ଭାବେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଜିଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
ବିଜେଡି ହାଇକମାଣ୍ଡ ନବୀନ ପଟ୍ଟନାୟକ ପଠାଇଥିବା ବନ୍ଦ ଲଫାପାକୁ ଖୋଲି ବିଧାୟକ ବ୍ୟୋମକେଶ ରାୟ ଦଳୀୟ ପ୍ରାର୍ଥୀ ଭାବେ ଭୀଷ୍ମ ମହାନ୍ତିଙ୍କ ନାମ ଘୋଷଣା କରିଥିଲେ । ଏଥିସହ ଦଳୀୟ ଏଜେଂଟ ଦାୟିତ୍ୱ ତୁଲାଇଥିବା ବିଧାୟକ ଗଣେଶ୍ୱର ବେହେରା ଦଳୀୟ ହ୍ୱିପ ପଢି ଶୁଣାଇଥିଲେ । ଯଦି କୌଣସି ସଭ୍ୟ ଦଳୀୟ ହ୍ୱିପକୁ ଅବମାନନା କରି ଦଳୀୟ ପ୍ରାର୍ଥୀଙ୍କ ବିରୁଦ୍ଧରେ ଭୋଟ ଦିଅନ୍ତି ତେବେ ତାଙ୍କର ସଭ୍ୟ ପଦ ରଦ୍ଧ ହେବ । ଏହାସହ ଯେଉଁମାନେ ଭୋଟ ଦେବେ ସେମାନେ ଏଜେଂଟଙ୍କୁ ଦେଖାଇ ଭୋଟ ବାକ୍ସରେ ବାଲଟ ପେପର ପକାଇବେ ।
ଏହାପରେ ଦଳୀୟ ପ୍ରାର୍ଥୀ ଭୀଷ୍ମ ମହାନ୍ତି ନାମାଙ୍କନ ଦାଖଲ କରିବା ପାଇଁ ଜିଲା ପରିଷଦ କାର୍ଯ୍ୟାଳୟକୁ ଯାଇଥିଲେ । ହ୍ୱିପ ଭୟରେ ଆଶାୟୀ ଥିବା ବିଜେଡିର ଅନ୍ୟ ସଦସ୍ୟମାନେ ନାମାଙ୍କନ ଦାଖଲ କରି ନଥିଲେ । ନିଦ୍ୱର୍ନ୍ଦ୍ୱରେ ଶ୍ରୀ ମହାନ୍ତି ଜିଲା ପରିଷଦ ଉପସଭାପତି ଭାବେ ବିଜୟୀ ହୋଇଥିଲେ । ବିଜୟୀ ହେବା ପରେ ସମର୍ଥକମାନେ ବାଣ ଫୁଟାଇ, ବାଜା ବଜାଇ ବିଜୟ ଉତ୍ସବ ପାଳନ କରିଥିଲେ । ସୂଚନା ଥାଉକି ଶ୍ରୀ ମହାନ୍ତି ପୂର୍ବରୁ ଆଳି ପଂଚାୟତ ସମିତିର ଅଧ୍ୟକ୍ଷ ଥିଲେ । ସେହିପରି ତାଙ୍କ ପତ୍ନୀ ମଧ୍ୟ ଥରେ ବ୍ଲକ ଅଧ୍ୟକ୍ଷ ଥିଲେ । ସେ ଜଣେ ଦକ୍ଷ ସଂଗଠକ ଭାବେ ଆଳି ନିର୍ବାଚନମଣ୍ଡଳୀରେ ବେଶ ସୁପରିଚିତ ।
ସୂଚନା ଥାଉକି ପୂର୍ବରୁ ଏହି ପଦବୀରେ ଥିବା ରାଜନଗର ବିଧାନସଭା କ୍ଷେତ୍ରର ଜିଲା ପରିଷଦ ସଭ୍ୟ ଅଶୋକ ପ୍ରତିହାରୀ ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳରୁ ରାଜନଗର ବିଧାନସଭାକ୍ଷେତ୍ରରୁ ବିଧାୟକ ପ୍ରାର୍ଥୀ ହେବା ପାଇଁ ଜିଲା ପରିଷଦ ସଭ୍ୟ ପଦରୁ ଓ ବିଜେଡିରୁ ଇସ୍ତଫା ଦେଇଥିଲେ । ସେବେଠାରୁ ଏହି ପଦବୀ ଖାଲି ପଡିଥିଲା । ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ରାଜେଶ ପଣ୍ଡା, ଦୁର୍ଗାଶିଷ ମହାନ୍ତି, ପ୍ରଦୁ୍ୟମ୍ନ ଜେନାଙ୍କ ସମେତ ଜିଲା ପରିଷଦର ସଭ୍ୟ/ସଭ୍ୟାମାନେ ଉପସ୍ଥିତ ଥିଲେ ।
