ମାହାଙ୍ଗା ୨୫/୦୩/୨୦୨୪ (ଓଡିଶା ସମାଚାର /ଅଭୟ ଜେନା )-ଅବିଭକ୍ତ କଟକ ଜିଲ୍ଲାର ଶେଷସୀମା କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାର ସମ୍ମିଳିତ ସଙ୍ଗମ ସ୍ଥଳ, ଓଳକଣା ଠାରେ ପୁରାଣ ପ୍ରସିଦ୍ଧ ଓଳକଣା ଦୋଳ ମେଳଣ ଅନୁଷ୍ଠିତ ହୋଇଯାଇଛି । କଥାରେ ଅଛି ‘ଓଳକଣା ମେଳଣ ଆଳିରାଜା ଝୁଲଣ ,ଅସୁରେଶ୍ୱର ରାମନବମୀ, ପୁରସ୍ତମ ଚନ୍ଦନ’ ।ଏହି ପୁରାଣ ପ୍ରସିଦ୍ଧ ମେଳଣ କାହିଁ କେଉଁ କାଳରୁ ହୋଇ ଆସୁଅଛି । ପୂରାଣ ଯୁଗର କିମ୍ବଦନ୍ତୀ ଅନୁଯାୟୀ, ପାଣ୍ଡବ ମାନେ ପଶା ଖେଳରେ କୌରବ ମାନଙ୍କ ଠାରୁ ହାରି ଯିବା ଫଳରେ ୧୨ ବର୍ଷ ଅଜ୍ଞାତବାସରେ ରହି ଯେତେବେଳେ ଫେରିଲେ ହସ୍ତିନା ପୁରକୁ, ସେତେବେଳେ ତାଙ୍କୁ କୌଣସି ପଡ଼ା ଦିଆଯାଇନଥିଲା ରହିବା ପାଇଁ । ମହାପ୍ରଭୁ ଶ୍ରୀକୃଷ୍ଣ ପାଣ୍ଡବ ମାନଙ୍କ ପାଇଁ କୌରବ ରାଜା ଦୁର୍ଯ୍ୟୋଧନ ଙ୍କ ପାଖକୁ ଯାଇଥିଲେ ଏମାନଙ୍କୁ ୫ ଗୋଟି ପଡ଼ା ପାଇଁ ନିବେଦନ କରିଥିଲେ । କିନ୍ତୁ ଅହଙ୍କାରୀ ଦୁର୍ଯ୍ୟୋଧନ, ବିନା ଯୁଦ୍ଧେ ଦେବିନାହିଁ ସୂଚ୍ୟଗ୍ର ମେଦିନୀ ବୋଲି କହିଥିଲେ । ମହାପ୍ରଭୁ ଶ୍ରୀକୃଷ୍ଣ ମନଦୁଃଖରେ ଫେରିଆସି ଓଳକଣା ପଡିଆ ଠାରେ ବିଦୁରଙ୍କ ଆଶ୍ରମଠାରେ ପହଂଚିଥିଲେ । ବିଦୁର ମହାପ୍ରଭୁ ଶ୍ରୀକୃଷ୍ଣ କୁ ଶାଗ ଭାତ ଦେଇ ତାଙ୍କ କ୍ଷୁଧା ମେଣ୍ଟାଇଥିଲେ । କୃଷ୍ଣ ଭକ୍ତ ବିଦୁର ଙ୍କୁ କହିଲେ, କି ବର ମାଗୁଛୁ ମାଗ । ବିଦୁର କହିଲେ ପ୍ରଭୁ ମୁଁ ତୁମକୁ ହର ଆଉ ହରି ରୂପରେ ଦେଖିବା ପାଇଁ ଚାହୁଁଚି । ପ୍ରଭୁ ଶ୍ରୀକୃଷ୍ଣ କହିଲେ ତତେ ଅପେକ୍ଷା କରି ବାକୁ ପଡ଼ିବ. ଫଗୁ ଚତୁର୍ଦ୍ଦଶୀ ରାତି ଓ ପୂର୍ଣ୍ଣିମା ସକାଳୁ ମୁଁ ତତେ ଦର୍ଶନ ଦେବି । ସେହି ପରମ୍ପରାକୁ ରକ୍ଷା କରି ଭଦ୍ରେଶ୍ୱର ବିମାନରେ ହର ଆଉ ହରି, ଦୁଇଟି ବେଶରେ ଓଳକଣା ପଡିଆକୁ ଆସିଥାନ୍ତି । ଏବଂ ଭକ୍ତ ବିଦୁର ମାଗିଥିବା ବର ଅନୁସାରେ ବିଦୁର ତାଙ୍କୁ ଦର୍ଶନ କରନ୍ତି । ଶତାଧିକ ବିମାନରେ କେବଳ ରାଧା କୃଷ୍ଣ ଆସୁଥିବାବେଳେ କେବଳ ଗୋଟିଏ ବିମାନରେ ହର ହରୀ ଆସନ୍ତି । ଏହି ପରମ୍ପରା ପୁରାଣ ଯୁଗରୁ ପ୍ରଚଳିତ ହୋଇ ଆସୁଅଛି । ଏହି ଓଳକଣା ପଡିଆକୁ ଯେତେ ବିମାନ ଆସିଥାନ୍ତି କାହାରିକୁ ନିମନ୍ତ୍ରଣ କରାଯାଇନଥାଏ କି ବିଦାକି ଦିଆ ଯାଇନଥାଏ କି ଆସନ ଦିଆ ଯାଇ ନଥାଏ । ଏହି ଓଳକଣା ପଡିଆକୁ ପୂର୍ବ ଦିଗରୁ ଆଳି ରାଜା ଘର ବିମାନଙ୍କ ସହ ଲକ୍ଷ୍ମୀ ଠାକୁରାଣୀ ଙ୍କ ବିମାନ ପ୍ରବେଶ କଲା ପରେ ଅନ୍ୟ ବିମାନ ପ୍ରବେଶ କରିଥାନ୍ତି । ପଶ୍ଚିମ ଦିଗରୁ ଲଳିତଗିରି ବିମାନ ପ୍ରବେଶ କଲା ପରେ ଅନ୍ୟ ବିମାନ ପ୍ରବେଶ କରନ୍ତି । ସେହିପରି ଉତ୍ତରଦିଗରୁ ଓଳାସୁଣୀ ବିମାନ ସହ ମିଶ୍ର ଘର ବିମାନ ପଡିଆକୁ ପ୍ରବେଶ କଲାପରେ ଶେଷରେ ଅନ୍ୟ ବିମାନ ପ୍ରବେଶ କରିଥାନ୍ତି । ସେହିପରି ଦକ୍ଷିଣ ଦିଗରୁ ମଣ୍ଡୁଅ ବିମାନ ପ୍ରବେଶ କଲା ପରେ ଅନ୍ୟ ବିମାନ ସବୁ ପ୍ରବେଶ କରନ୍ତି । ସମସ୍ତ ବିମାନ ପଡ଼ିଆରେ ଥିବା ହର ଆଉ ହରି ଙ୍କ ଦ୍ଵାର ଦେଇ ପ୍ରବେଶ କରନ୍ତି । ସମସ୍ତ ବିମାନ କୁ ପାରମ୍ପରିକ ପଟୁଆରରେ ପଡିଆକୁ ପ୍ରବେଶ କରନ୍ତି । ଯଥା ଘଣ୍ଟ ଘଣ୍ଟା , କୀର୍ତ୍ତନ , ଷେଣ୍ଢ ନାଚ, ଦିବି ଝାଡ଼ ଓ ମଶାଲ ବତି ଶହ ଅତାସବାଜି ଯେତେବଳେ ପଡ଼ିଆରେ ପ୍ରବେଶ ହୋଇଥାଏ ସେତେବେଳେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ । ଶେଷରେ ବୀର ଭଦ୍ରେଶ୍ୱର ଙ୍କ ବିମାନ ଆସିଲା ପରେ ବିଦୁର ଙ୍କ ନିକଟରେ ଆଳତି ଏକା ସାଙ୍ଗରେ ହେଲା ପରେ ମେଳଣ କାର୍ଯ୍ୟ ସମାପନ ହୋଇଥାଏ । ଓଡ଼ିଶାର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ ହରିହର ଦର୍ଶନ ନିମନ୍ତେ । ସୁରକ୍ଷା ନିମନ୍ତେ ମାହାଙ୍ଗା ଓ ଡେରାବିଶ ପୋଲିସ୍ ସମେତ ଓଳକଣା ମେଳଣ କମିଟି ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥାଏ । ଏହି ଅବସରରେ କିଣା ବିକା ପାଇଁ ବହୁ ଉଠା ଦୋକାନୀ ନିଜର ବ୍ୟବସାୟର ପସରା ଖୋଲିଥାନ୍ତି ।