ଯାଜପୁରରେ ସୁଚାରୁ ରୂପେ ଚାଲିଛି ଏସଆଇଆର ଫର୍ମ ବଣ୍ଟନ

— ଧର୍ମଶାଳା ନିର୍ବାଚନ ମଣ୍ଡଳୀ ପରିଦର୍ଶନ କଲେ ଅତିରିକ୍ତ ଜିଲ୍ଲାପାଳ

— ଶହେ ପ୍ରତିଶତ ଫର୍ମ ବଣ୍ଟନ ପାଇଁ ବୁଥ ନମ୍ବର ୮୪ ର ବିଏଲଓ ସମ୍ବର୍ଦ୍ଧିତ

ଯାଜପୁର,୦୮/୦୬/୨୬(ଓଡ଼ିଶା ସମାଚାର)-  ଯାଜପୁରରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ବା ଏସଆଇଆର ପ୍ରକ୍ରିୟା ଆରମ୍ଭ ହେବା ସହ ବୁଥ ସ୍ତରୀୟ ଅଧିକାରୀମାନେ ଘର ଘର ବୁଲି ପରିଗଣନା ଫର୍ମ ବଣ୍ଟନ କରୁଛନ୍ତି। ଏହି କ୍ରମରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାଏକ ଆଜି ଧର୍ମଶାଳା ବ୍ଲକ୍ ପରିଦର୍ଶନ କରି ମତାଦାତାଙ୍କୁ ପରିଗଣନା ଫର୍ମ ବଣ୍ଟନ କାର୍ଯ୍ୟର ତଦାରଖ କରିଛନ୍ତି। ଧର୍ମଶାଳା ନିର୍ବାଚନ ମଣ୍ଡଳୀର ବୁଥ୍ ନମ୍ବର ୮୪ ର ଶହେ ପ୍ରତିଶତ ପରିଗଣନା ଫର୍ମ ବଣ୍ଟନ ଶେଷ ହୋଇଥିବା ଯୋଗୁଁ ବିଏଲଓ ସ୍ମୃତି ରଞ୍ଜନ ସାହାଣୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଧର୍ମଶାଳା ବିଡ଼ିଓ ଜ୍ୟୋତିର୍ମୟ କର ପ୍ରଶଂସାପତ୍ର ପ୍ରଦାନ କରିଛନ୍ତି।

ଜୁନ୍ ୮ ତାରିଖ ସୁଦ୍ଧା ଜିଲ୍ଲାରେ ମୋଟ ୧୧,୪୯,୬୩୩ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ଏଥିରେ ୭୪.୭୯ ପ୍ରତିଶତ ମତଦାତା ବର୍ତ୍ତମାନ ସୁଦ୍ଧା ଏସଆଇଆର ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଏହାସହ ୪୯,୬୩୯ ଟି ଫର୍ମ ଡିଜିଟାଇଜ କରାଯାଇଛି। ବଡ଼ଚଣା ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ୯୯ ପ୍ରତିଶତ ପରିଗଣନା ଫର୍ମ ବଣ୍ଟନ ଶେଷ ହୋଇଛି। ଜୁନ୍ ୨୮ ଯାଏଁ ଏହି ପ୍ରକ୍ରିୟା ଚାଲିବ।

ପୂରଣ ହୋଇଥିବା ପରିଗଣନା ଫର୍ମ ଆଧାରରେ ଚିଠା ଭୋଟର ତାଲିକା ପ୍ରସ୍ତୁତ ହେବ। ବର୍ତ୍ତମାନ ସୁଦ୍ଧା ବିଞ୍ଝାରପୁରରେ ୧୮୩୧୩୪, ବରୀରେ ୧୭୪୧୨୪, ବଡ଼ଚଣାରେ ୧୯୦୧୨୩, ଧର୍ମଶାଳାରେ ୧୭୦୦୩୫, ଯାଜପୁରରେ ୧୬୫୮୭୫, କୋରେଇରେ ୧୩୯୭୩୦, ସୁକିନ୍ଦାରେ ୧୨୬୬୧୨ ଟି ଫର୍ମ ବିଏଲଓମାନଙ୍କ ଦ୍ଵାରା ବଣ୍ଟନ କରାଯାଇଛି ବୋଲି ନିର୍ବାଚନ ବିଭାଗ ଡେପୁଟି କଲେକ୍ଟର ଅଶୋକ ଦେହୁରୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *