ବହୁ ପ୍ରତିକ୍ଷୀତ ବକ୍ସଡ୍ରେନ୍ ଉଦ୍ଘାଟିତ

                                                         ଆଉ ସହର ହେବନି ବର୍ଷାଦିନେ ଜଳମଗ୍ନ
କଟକ,୦୧/୦୩/୨୦୨୪ (ଓଡ଼ିଶା ସମାଚାର)-ସହରବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟିଛି । ବକ୍ସିବଜାର ବାରପଥରରୁ ପ୍ରଫେସରପଡା ଯାଏ ମୁଖ୍ୟ ନାଳ ଉପରେ ନବନିର୍ମିତ ବକ୍ସଡ୍ରେନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ଜରିଆରେ ଉଦଘାଟନ କରି ଡ୍ରେନ ଉପର ନୂତନ ରାସ୍ତାକୁ ସହରବାସୀଙ୍କ ସହଜ ଯାତାୟତ ପାଇଁ ଉତ୍ସର୍ଗ କରିଛନ୍ତି । ଏହି ଉପଲକ୍ଷେ ପ୍ରଫେସରପଡା ଦୁର୍ଗାମଣ୍ଡପଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ, ସିଏମସି ମେୟର ସୁବାସ ଚନ୍ଦ୍ର ସିଂହ, ବିଧାୟକ ସୌଭିକ ବିଶ୍ୱାଳ, ଡେପୁଟି ମେୟର ଦମୟନ୍ତୀ ମାଝି, ଆରଡିସି ରଂଜନ କୁମାର ଦାସ, ସିଡିଏ ଅଧ୍ୟକ୍ଷ ଅନୀଲ କୁମାର ସାମଲ, ସିଏମସି କମିଶନର ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ୪୫୦ କୋଟି ଟଙ୍କା ବ୍ୟୟରେ ୩ କିଲୋମିଟରର ଏହି ବକ୍ସଡ୍ରେନଟି କଟକ ସହରବାସୀଙ୍କ ଯାତାୟତ ପଥ ସୁଗମ କରିବ । ବର୍ଷା ଦିନରେ ଜଳବନ୍ଦୀ ସହରକୁ ରକ୍ଷା କରିବା ପାଇଁ ଏହି ବକ୍ସଡ୍ରେନ ପାଇଁ ୨୦୧୩ରୁ ଆରମ୍ଭ ହୋଇଥିବା ବେଳେ ଏହାର କାମ ନେଇଥିବା ଠିକା ସଂସ୍ଥାର ଚୁକ୍ତିକୁ ବାତିଲ କରାଯାଇ ଆଉ ଏକ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲା । ପ୍ରଥମେ ଜାଇକା ଓ ପରେ ୱାଟକୋ ଏହି କାର୍ଯ୍ୟ କରିଥିଲା । ୨୦୨୩ ମାର୍ଚ୍ଚରୁ ୨୫୯୦ ମିଟର ଦୀର୍ଘ ବକ୍ସଡ୍ରେନ କାର୍ଯ୍ୟ ଯୁଦ୍ଧକାଳୀନ ଭିତିିରେ ଆଗେଇ ଚାଲିଥିଲା । ଏଥିରେ ପାଦଚଲା ରାସ୍ତା, ସାଇକେଲ ଚାଳନା ପଥ, ବୃକ୍ଷରୋପଣ, ଗାଡି ରହଣୀସ୍ଥଳ ଓ ମେଡିଆନ୍ସ ସୁବିଧା ରହିଛି । ତେବେ ପ୍ରଫେସରପଡାଠାରେୁ ଛତ୍ରବଜାର ପର୍ଯ୍ୟନ୍ତ କାମ ବାକି ରହିଥିଲା ବେଳେ ଡିସେମ୍ବର ସୁଦ୍ଧା କାର୍ଯ୍ୟ ସଂପନ୍ନ ହେବ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *