ଶ୍ରେଷ୍ଠ ପ୍ରାଣୀଧନ ନିରୀକ୍ଷକ ପୁରସ୍କାର ପାଇଲେ ନହଙ୍ଗର ରମାକାନ୍ତ ଭଦ୍ର

ମାହାଙ୍ଗା ୨୦/୦୨/୨୦୨୪ (ଓଡିଶା ସମାଚାର /ଅଭୟ ଜେନା )- ଜନତା ମୈଦାନ ଭୁବନେଶ୍ୱର ଠାରେ ରାଜ୍ୟ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ସମାବେଶ ଅନୁଷ୍ଠିତ ହୋଇଯାଇଛି । ପ୍ରାଣୀ ସ୍ୱାସ୍ଥ୍ୟ କ୍ଷେତ୍ରରେ କଟକ ଜିଲ୍ଲାର ନହଙ୍ଗ ପ୍ରାଣୀଧନ ନିରୀକ୍ଷକ ରମାକାନ୍ତ ଭଦ୍ରଙ୍କୁ ସମ୍ମାନିତ କରାଯାଇଛି । ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରସାଦ ସ୍ୱାଇଁ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାରା ରାଜ୍ୟରେ ଗୋ-ସମ୍ପଦ ଗୁଡିକର ସୁରକ୍ଷା ପାଇଁ ଏବଂ ସେମାନଙ୍କୁ ଉପଯୁକ୍ତ ସେବା ଯୋଗାଇବାରେ ପ୍ରାଣୀଧନ ନିରୀକ୍ଷକ ମାନେ ଅତ୍ୟନ୍ତ ନିଷ୍ଠାର ସହିତ କାର୍ୟ୍ୟ କରିଆସିଥିବାରୁ ସମସ୍ତେ ଧନ୍ୟବାଦର ପାତ୍ର ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ।

ଏହି ରାଜ୍ୟସ୍ତରୀୟ ଉତ୍ସବରେ କଟକ ଜିଲ୍ଲାକୁ ଶ୍ରେଷ୍ଠ ପ୍ରାଣୀଧନ ପୁରସ୍କାର ଘୋଷଣା କରାଯାଇଥିଲା । ମାହାଙ୍ଗା ବ୍ଲକ ନହଙ୍ଗ ପ୍ରାଣୀଧନ ନିରୀକ୍ଷକ ରମାକାନ୍ତ ଭଦ୍ରଙ୍କୁ ଉତ୍ସବରେ ମାନପତ୍ର ଉପଢୌକନ ଦ୍ୱାରା ସମ୍ମାନିତ କରାଯାଇଥିଲା । ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ସହଯୋଗରେ ଏଭଳି ଏକ ଭବ୍ୟ ସମାବେଶ ଆୟୋଜନ ହୋଇଥିବାରୁ ହଜାର ହଜାର ପ୍ରାଣୀଧନ କର୍ମଚାରୀଙ୍କ ଭିତରେ ଆନନ୍ଦ ପ୍ରକାଶ ପାଇଛି । ଏହି ଉତ୍ସବ ଚଳିତ ମାସ ୧୬ ତାରିଖରୁ ଆରମ୍ଭ ହୋଇ ୧୮ ତାରିଖ ସନ୍ଧ୍ୟାରେ ଉଦଯାପିତ ହୋଇଥିଲା । ଏହି କାର୍ୟ୍ୟକ୍ରମରେ ବିଭାଗର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଅନେକ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କ୍ରମରେ କଟକ ଜିଲ୍ଲା ମାହାଙ୍ଗା ପ୍ରାଣୀ ଚିକିତ୍ସାଳୟ ଅଧୀନସ୍ଥ ନହଙ୍ଗ ପ୍ରାଣୀଧନ ସହାୟକ କେନ୍ଦ୍ରର ପ୍ରାଣୀଧନ ନିରୀକ୍ଷକ ରମାକାନ୍ତ ଭଦ୍ରଙ୍କୁ ତାଙ୍କର ଉଲ୍ଲେଖନୀୟ ନିରନ୍ତର ସେବା ଓ କର୍ତ୍ତବ୍ୟପରାୟଣ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଭଳି ସମ୍ମାନ ପାଇବା ପରେ ବିଭାଗୀୟ ମନ୍ତ୍ରୀ, ବିଭାଗୀୟ ଶାସନ ସଚିବ, ପ୍ରାଣୀ ସମ୍ପଦ ନିର୍ଦ୍ଦେଶକ,
ସିଡିଭିଓ,ଏସ୍ ଡିଭିଓଙ୍କ ସମେତ ଓଡିଶା ରାଜ୍ୟ ଅଣଗେଜେଟେଡ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘର ସଭାପତି ଉପେନ୍ଦ୍ର ନାଥ ରଣାଙ୍କୁ ଶ୍ରୀ ଭଦ୍ର କୃତଜ୍ଞତା ଜଣାଇଛନ୍ତି । ରାଜ୍ୟସ୍ତରୀୟ ଉତ୍ସବରେ ଜୁରୀ କମିଟି ଦ୍ୱାରା ମନୋନୀତ ହୋଇ ସମ୍ମାନିତ ହେବା ପରେ ଏହାର ଶ୍ରେୟ ମାହାଙ୍ଗାର ସମସ୍ତ ଗୋ-ଚାଷୀ ମାନଙ୍କୁ ଦିଆଯିବ ବୋଲି ପ୍ରାଣୀଧନ ନିରୀକ୍ଷକ ଶ୍ରୀ ଭଦ୍ର ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *