ଭୁବନେଶ୍ୱର, ୧୯/୦୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ନାଗିରକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ଚଳିତ ବର୍ଷର ନବମ ପର୍ଯ୍ୟାୟ ଟ୍ରେନ୍ ଯାତ୍ରାର ଶୁଭାରମ୍ଭ କରିଛନ୍ତି । ଚଳିତ ବର୍ଷର ନବମ ପର୍ଯ୍ୟାୟରେ ସମ୍ବଲପୁର, ବରଗଡ଼, ବଲାଙ୍ଗିର, ଝାରସୁଗୁଡ଼ା, ସୁନ୍ଦରଗଡ଼, ସୁବର୍ଣ୍ଣପୁର, ଦେବଗଡ଼ ଓ ଅନୁଗୋଳର ବରିଷ୍ଠ ନାଗରିକମାନେ ଏହି ଯାତ୍ରାରେ ସାମିଲ ହୋଇ ଆଜ୍ମେର ଓ ପୁଷ୍କର ଯାତ୍ରା କରିଛନ୍ତି । ଏକ ଭିଡ଼ିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଶୁଭକାମନା ଜଣାଇବା ସହ ବିଭିନ୍ନ ଅଞ୍ଚଳର ସଂସ୍କୃତି ଓ ତୀର୍ଥସ୍ଥଳ ସଂପର୍କରେ ଏହା ଦ୍ୱାରା ଜାଣିହେବ ବୋଲି କହିଥିଲେ । ୨୦୧୬ ମସିହାରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ଅଦ୍ୟାବଧି ରାଜ୍ୟର ପ୍ରାୟ ୨୮ ହଜାରରୁ ଅଧିକ ବରିଷ୍ଠ ନାଗରିକ ସାମିଲ ହୋଇ ଦେଶର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣ କରି ଆଧ୍ୟାତ୍ମିକତା ଅନୁଭବ କରିଥିବାର ସେ କହିଥିଲେ । ରାଜ୍ୟ ସରକାର ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଥିବା ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ ଉଲ୍ଲେଖ କରିଥିଲେ । ଏହି ତୀର୍ଥଯାତ୍ରା ମାଧ୍ୟମରେ ପାରସ୍ପରିକ ସଦ୍ଭାବ ଏବଂ ଜାତୀୟ ସଂହତି ବଜାୟ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଏହି ଅବସରରେ ସମ୍ବଲପୁର ରେଳ ଷ୍ଟେସନ୍ରେ ଆୟୋଜିତ ଶୁଭାରମ୍ଭ କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ, ଜଳସଂପଦ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଶ୍ରୀକାନ୍ତ ପୃଷ୍ଟି, ସମ୍ବଲପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୁଦିନୀ ନାୟକ, ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ଗଡ଼ନାୟକ, ଅଜାମ୍ବର ମହାନ୍ତି, ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଉପଦେଷ୍ଟା ଶ୍ରୀ ଦୁର୍ଗାପ୍ରସାଦ ସାମନ୍ତରାୟ, ପର୍ଯ୍ୟଟନ ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀ ବାଳମୁକୁନ୍ଦ ଭୂୟାଁ ପ୍ରମୁଖ ଉପସ୍ଥିତ ରହି ତୀର୍ଥଯାତ୍ରୀମାନଙ୍କୁ ଶୁଭକାମନା ଜଣାଇବା ସହ ଏହା ଦ୍ୱାରା ବରିଷ୍ଠ ନାଗରିକମାନଙ୍କର ସ୍ୱପ୍ନ ପୂରଣ ହେବା ସହ ବିଭିନ୍ନ ତୀର୍ଥସ୍ଥାନ ବୁଲିବାର ସୁଯୋଗ ପାଇପାରୁଛନ୍ତି ବୋଲି ସେମାନେ କହିଥିଲେ ।
ଆଜିର ଏହି ନବମ ପର୍ଯ୍ୟାୟ ଯାତ୍ରାରେ ୮ଟି ଜିଲ୍ଲାର ୯୭୦ ଜଣ ତୀର୍ଥଯାତ୍ରୀ ଏବଂ ୩୦ ଜଣ ଅଧିକାରୀ ସାମିଲ ଅଛନ୍ତି । ସେମାନେ ଆଜ୍ମେର ଓ ପୁଷ୍କରରେ ତୀର୍ଥ କରି ଆସନ୍ତା ୨୪ ତାରିଖରେ ସମ୍ବଲପୁରଠାରେ ପହଞ୍ଚିବେ । ଏ ପର୍ଯ୍ୟନ୍ତ ଆଇଆର୍ସିଟିସି ସହଯୋଗରେ ୨୯ଟି ଯାତ୍ରାରେ ୨୮ ହଜାର ଦେଶର ବିଭିନ୍ନ ତୀର୍ଥସ୍ଥାନକୁ ଯାତ୍ରା କରିଛନ୍ତି ।