ଦକ୍ଷତା ବିକାଶ ତାଲିମ୍ରେ ଉଦ୍ୟୋଗୀ ମନୋନିବେଶ ପାଇଁ ରାଜ୍ୟପାଳଙ୍କ ଆହ୍ୱାନ
ଭୁବନେଶ୍ୱର,୦୭/୦୫/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଦକ୍ଷତା ବିକାଶ ତାଲିମ୍ ରେ ଉଦ୍ୟୋଗୀ ମନୋନିବେଶ ପାଇଁ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ ପାଟି ଆହ୍ୱାନ ଜଣାଇଛନ୍ତି । ଆଜି ପୂର୍ବାହ୍ନରେ ରାଜ୍ୟପାଳ ମଂଚେଶ୍ୱରସ୍ଥିତ ବିଶ୍ୱ କୌଶଳ କେନ୍ଦ୍ର (ଡବ୍ଲୁ୍ୟଏସସି) ପରିଦର୍ଶନ କରିବା ଅବସରରେ ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତି । ଦକ୍ଷତା ବିକାଶ ପଦକ୍ଷେପଗୁଡ଼ିକ କେବଳ ନିଯୁକ୍ତି ସୃଷ୍ଟି କରିବା ନୁହେଁ, ବରଂ ଉଦ୍ୟୋଗୀକତାକୁ ପୋଷଣ କରିବା ମଧ୍ୟ ଲକ୍ଷ୍ୟ ରହିବା ଉଚିତ୍ ବୋଲି ରାଜ୍ୟପାଳ କହିଛନ୍ତି ।

ଦକ୍ଷତା ବିକାଶ ଅନୁଷ୍ଠାନ ଗୁଡ଼ିକ ବୈଷୟିକ ଦକ୍ଷତା ଶିକ୍ଷା ଦେବା ଠାରୁ ଆଗକୁ ବଢ଼ି ବ୍ୟବସାୟିକ ମଡେଲ ନିର୍ମାଣରେ ଉଦ୍ୟୋଗୀ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହନ ଯୋଗାଇବା ଉଚିତ୍ ବୋଲି ରାଜ୍ୟପାଳ କହିଛନ୍ତି । ଏହି ଗସ୍ତ ସମୟରେ ରାଜ୍ୟପାଳ ଡବ୍ଲୁ୍ୟଏସସିରେ ସ୍ଥାପିତ ବିଭିନ୍ନ ପ୍ରୟୋଗଶାଳାଗୁଡ଼ିକୁ ପରିଦର୍ଶନ କରିଥିଲେ । ଲିଫ୍ଟ ସିମୁଲେଟର ପ୍ରୟୋଗଶାଳା, ଏସ୍କାଲେଟର ଓ ଟ୍ରାଭେଲେଟର ପ୍ରୟୋଗଶାଳା, କମର୍ସିଆଲ୍ ରେଫ୍ରିଜରେସନ ପ୍ରୟୋଗଶାଳା ଏବଂ ଲର୍ଣ୍ଣିଂ ରିସୋର୍ସ ସେଂଟର ପରିଦର୍ଶନ କରିଥିଲେ ।
ଏଥି ସହିତ ସିଓଇ ଇନ୍ ଆଡଭାନ୍ସଡ୍ ୱେଲଡିଂ ଓ ବେସିକ ରୋବୋଟିକ୍ସ ପ୍ରୟୋଗଶାଳା ଏବଂ ହେୟାର ଫ୍ୟାଶନ ଡିଜାଇନ ପ୍ରୟୋଗଶାଳାକୁ ମଧ୍ୟ ରାଜ୍ୟପାଳ ପରିଦର୍ଶନ କରିଥିଲେ ଏବଂ କେନ୍ଦ୍ରର ଅଧିକାରୀ, ପ୍ରଶିକ୍ଷକ ଏବଂ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ବିଭିନ୍ନ ପ୍ରସଙ୍ଗ ଉପରେ ପଚାରି ବୁଝିଥିଲେ ।
ପରିଦର୍ଶନ ପରେ ଡବ୍ଲୁ୍ୟଏସସିର ବରିଷ୍ଠ ପଦାଧିକାରୀଙ୍କ ସହିତ ରାଜ୍ୟପାଳ ଓଡ଼ିଶାରେ କୌଶଳ ବିକାଶ କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଓ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଆଲୋଚନା କରିଥିଲେ ଓ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ । ଶିକ୍ଷା ଓ ଶିଳ୍ପ ଆବଶ୍ୟକତା ମଧ୍ୟରେ ସଂଯୋଗ ସ୍ଥାପନ କରିବାରେ ବିଶ୍ୱ କୌଶଳ କେନ୍ଦ୍ରର ଭୂମିକା ଓ ଓଡ଼ିଶାର ଯୁବଗର୍ବଙ୍କୁ ବିଶ୍ୱସ୍ତରୀୟ କୌଶଳ ପ୍ରଦାନ କରି ଦକ୍ଷ କରିବା ସହ ଅର୍ଥନୈତିକ ଅଭିବୃଦ୍ଧି ଓ ନବସୃଜନ ପାଇଁ ଏହି କେନ୍ଦ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ କର୍ମକର୍ତ୍ତାମାନେ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ ।
ଏତଦ ବ୍ୟତୀତ ରାଜ୍ୟପାଳ ଜାତୀୟ ଶିକ୍ଷା ନୀତି – ୨୦୨୦ ସଂପର୍କରେ ଆଲୋକପାତ କରି ଶିକ୍ଷା ସହିତ କୌଶଳ ବିକାଶକୁ ସମନ୍ୱିତ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ବ୍ୟବହାରିକ ଶିକ୍ଷା ସୁନିଶ୍ଚିତ କରିବା ପାଇଁ ଉଚ୍ଚ ଶିକ୍ଷାନୁଷ୍ଠାନ ଏବଂ ଦକ୍ଷତା ବିକାଶ କେନ୍ଦ୍ର ମଧ୍ୟରେ ଅଧିକ ସମନ୍ୱୟ ଓ ସହଯୋଗ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଏଥି ସହିତ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଅଧିକ ଉଦ୍ୟୋଗମୂଳକ ସୁଯୋଗ ସୃଷ୍ଟି କରିବା ପାଇଁ ବିହିତ ପଦକ୍ଷେପ ନେବାକୁ ରାଜ୍ୟପାଳ ଡବ୍ଲୁ୍ୟଏସସିର କର୍ମକର୍ତାମାନଙ୍କୁ ପରାମର୍ଶ ଦେଇଥିଲେ ।
ଏହି ବୈଠକରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଭୁପେନ୍ଦ୍ର ସିଂହ ପୂନିଆ, ଡବ୍ଲୁ୍ୟଏସସି ଓ ଓଡ଼ିଶା କୌଶଳ ବିକାଶ ପ୍ରାଧିକରଣର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ରଶ୍ମିତା ପଣ୍ଡା, ଡବ୍ଲୁ୍ୟଏସସିର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ପିନାକୀ ପଟ୍ଟନାୟକ, ମୁଖ୍ୟ କୌଶଳ ଅଧିକାରୀ ବ୍ରୁସ ପୋହ, ଡବ୍ଲୁ୍ୟଏସସିର ଉପାଧ୍ୟକ୍ଷା ଶ୍ରୀମତୀ ଜୀତାମିତ୍ର ଶତପଥୀ ଏବଂ ସ୍କୁଲ ଅଫ ସର୍ଭିସେସର ବରିଷ୍ଠ ନିର୍ଦ୍ଧେଶିକା ଶ୍ରୀମତୀ ଲିମ ଲାଇ ସୁନ ଉପସ୍ଥିତ ଥିଲେ ।
-୦-
ସଂଜୀବ ବାରିକ,ରାଜ୍ୟପାଳଙ୍କ ଲୋକସଂପର୍କ ଅଧିକାରୀଙ୍କ ସୌଜନ୍ୟରୁ
