ଜିଲାରେ ୧୯ହଜାର ୨୫୨ଜଣ ମାଟ୍ରିକ ପରୀକ୍ଷାର୍ଥୀ ୧୦୩ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ

କେନ୍ଦ୍ରାପଡ଼ା, ୧୯/୦୨/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲାରେ ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ ପରିକ୍ଷା ନିମନ୍ତେ ଜିଲା ଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଚଳିତ ବର୍ଷ ଜିଲାରେ ୧୦୩ ଟି ପରୀକ୍ଷା କେନ୍ଦ୍ରରେ ୧୯,୨୫୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ମୁକ୍ତ ହାଇସ୍କୁଲରେ ୩୧୦ ଜଣ ପରୀକ୍ଷାର୍ଥୀ ୨ଟି ପରୀକ୍ଷା କେନ୍ଦ୍ରରେ , ୩୦୮ ଜଣ ମଧ୍ୟମା ପରୀକ୍ଷାର୍ଥୀ ୧୫ଟି ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ । ୧୦୩ ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ପରିଚାଳନା କରିବା ନିମନ୍ତେ ୧୦୩ଜଣ ଅଧିକ୍ଷକ ଓ ୧୦୩ଜଣ ଉପଅଧିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ଏହାବ୍ୟତିତ ଯେଉଁ ପରୀକ୍ଷା କେନ୍ଦ୍ରରେ ୨୫୦ଜଣରୁ ଅଧିକ ପରୀକ୍ଷାର୍ଥୀ ଥିଲେ ସେହି କେନ୍ଦ୍ରରେ ୨ଜଣ ଉପଅଧିକ୍ଷକ ରହିବାର ବ୍ୟବସ୍ଥା କରାଯାଇଛି । କପି ରୋକିବା ନିମନ୍ତେ କଟକ ବୋର୍ଡରୁ ଗୋଟିଏ ସ୍କ୍ୱାର୍ଡ ଜିଲାକୁ ଆସିବାର ବ୍ୟବସ୍ଥା ଥିବା ବେଳେ ୨ଟି ଜିଲା ସ୍ତରୀୟ ସ୍କ୍ୱାର୍ଡ ଗଠନ କରାଯାଇଛି । ଏହାସହିତ ବ୍ଲକ ନିମନ୍ତେ ମଧ୍ୟ ଗୋଟିଏ ସ୍ୱତନ୍ତ୍ର ସ୍କ୍ୱାର୍ଡ ରହିବାର ବନ୍ଦୋବସ୍ତ ହୋଇଛି । ଜିଲାର ୯ଟି ନୋଡାଲ ହାଇସ୍କୁଲରେ ହୋଇଥିବା ନୋଡାଲ ସେଂଟର ଗୁଡିକରେ ପ୍ରଶ୍ନପତ୍ର କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ସେଗୁଡିକ ହେଉଛି ଜିଲାର ମାର୍ଶାଘାଇ ବ୍ଲକର ମାର୍ଶାଘାଇ ଉଚ୍ଚ ବିଦ୍ୟାଳୟ, କେନ୍ଦ୍ରାପଡାର ବାଲିଆ ସରକାରୀ ହାଇସ୍କୁଲ ଏବଂ କେନ୍ଦ୍ରାପଡା ସରକାରୀ ହାଇସ୍ୁଲ, ଗରଦପୁର ବ୍ଲକର ପାଟକୁରା ହାଇସ୍କୁଲ, ପଟ୍ଟାମୁଣ୍ଡାଇ ବ୍ଲକର କଷଣନ୍ଟ । ପଂଚାୟତ ହାଇସ୍କୁଲ, ଆଳି ବ୍ଲକର ଆଳି ହାଇସ୍କୁଲ, ରାଜନଗର ବ୍ଲକର ରାଜନଗର ହାଇସ୍କୁଲ, ମହାକାଳପଡାର କେୟାରବାଙ୍କ ହାଇସ୍କୁଲ ଏବଂ ରାଜକନିକା ବ୍ଲକର ରାଜେନ୍ଦ୍ର ନାରାୟଣ ହାଇସ୍କୁଲ ପ୍ରଭୃତି । ପରୀକ୍ଷାକେନ୍ଦ୍ର ଭିତରକୁ ମୋବାଇଲ୍ ଫୋନ୍ ନେବାପାଇଁ ନିଷିଦ୍ଧ କରାଯାଇଛି । ଜିଲାର ମୋଟ ୧୦୫ଟି ପରୀକ୍ଷା କେନ୍ଦ୍ର ମଧ୍ୟରୁ ୬ଟିରେ ଆର୍ଟିଫିସିଆଲ ଇଂଟେଲିଜେନ୍ସ ବ୍ୟବସ୍ଥା ଏବଂ ୧୬ଟିରେ ଲାଇଭି ସ୍କ୍ରିନିଂ ବ୍ୟବସ୍ଥା ବୋର୍ଡ ପକ୍ଷରୁ କରାଯାଇଥିବା ବେଳେ ବାକି ୮୩ଟି କେନ୍ଦ୍ରରେ ୫-ଟି ଯୋଜନାରେ ସିସିଟିଭି ବ୍ୟବସ୍ଥା କରାଯାଇଛି । ଜିଲାର ୯ଟି ନୋଡାଲ ସେଂଟରୁ ୨୭ଟି ଟିମ ଗଠନ କରାଯାଇ ସେଥିରେ ୫୪ଜଣ ସଦସ୍ୟଙ୍କ ଦ୍ୱାରା ୧୦୫ଟି ପରୀକ୍ଷା କେନ୍ଦ୍ରରେ ପୋଲିସ ସୁରକ୍ଷା ବ୍ୟବସ୍ଥାରେ ପ୍ରଶ୍ନପତ୍ର ପହଂଚାଇବାର ବ୍ୟବସ୍ଥା କରାଯାଇଛି ବୋଲି ଜିଲା ଶିକ୍ଷା ଅଧିକାରୀ ସୁଷମା ମହାପାତ୍ର ସୂଚନା ଦେଇଛନ୍ତି । ପରୀକ୍ଷାକୁ ଶାନ୍ତିଶୃଙ୍ଖଳା ସହିତ ପରିଚାଳନା କରାଯିବାକୁ ବ୍ୟାପକ ପୋଲିସ ବନ୍ଦୋବସ୍ତ କରାଯାଇଛି ।

Leave a Reply

Your email address will not be published. Required fields are marked *