କଟକ ସଦର,୨୭/୧୧/୨୦୨୬(ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): କଟକର ଐତିହାସିକ ବାଲିଯାତ୍ରା। ଅଘଟଣ ସତେଯେପରି ପିଛା ଛାଡୁନି। ଗୁରୁବାର ରାତିରେ ତଳ ବାଲିଯାତ୍ରା ପଡିଆରେ ରାମଦୋଳି ବୁଲୁଥିବା ବେଳେ ସେଥିରୁ ଜଣେ ଯୁବକ ଖସିପଡ଼ି ପ୍ରାଣ ହରାଇଛନ୍ତି। କଟକ ରାଣୀହାଟ ଅଂଚଳର ଚନ୍ଦ୍ରକାନ୍ତ ବଳଙ୍କର ଦୋଳି ରୁ ପଡ଼ି ମୃତ୍ୟୁ ହୋଇଛି ।
ସେହିପରି ବାଲିଯାତ୍ରା ବୁଲିବାକୁ ଆସିଥିବା ପଶ୍ଚିମବଙ୍ଗର ଜନୈକ ଯୁବକ ଦୁଇଦିନ ତଳେ ମହାନଦୀରେ ବୁଡିଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଗୋଟିଏ ପଟେ ଲୋକଙ୍କ ଟିକସ ପଇସାରେ ଐତିହାସିକ ବାଲିଯାତ୍ରାର ଆୟୋଜନ କରାଯାଉଥିଲା ବେଳେ ଆୟୋଜନରେ ଚରମ ଅବ୍ୟବସ୍ଥା ହେଉଥିବା ଅଭିଯୋଗ ହେଉଛି।ପଡିଆ ସାରା ବ୍ୟାରିକେଡ଼ କରାଯାଇ ଥିବାରୁ ଜନସାଧାରଣଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ସୃଷ୍ଟି ହେଉଛି। ଏପରି କି ଵ୍ୟଵସାୟୀ ମାନେ ବେପାର କରିପାରୁ ନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ଵଡଵଡିଆଙ୍କ ସୁରକ୍ଷିତ ଯାତାୟାତ ଓ ସେମାନଙ୍କୁ ଯାତ୍ରା ବୁଲାଇବାରେ ଅଧିକାଂଶ ପୁଲିସ କର୍ମଚାରୀ ନିୟୋଜିତ ଓ ବ୍ୟସ୍ତ ଥିବା ଦେଖିବାକୁ ମିଳୁଛି। ଭିଆଇପିଙ୍କୁ ସେବା, ଲୋକଙ୍କୁ ଵାଡ ଯୋଗୁଁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି।
ଏହାପରେ ପୋଲିସ ପକ୍ଷରୁ ଦୋଳି ଚାଳନା ଉପରେ କଟକଣା ଲଗାଯାଇଥିଲା। ପରେ ଦୋଳି ଚାଳନାର ସୁରକ୍ଷା ବ୍ୟବସ୍ଥା ଓ ଆବଶ୍ୟକୀୟ ନିୟମାବଳୀକୁ ନେଇ ପ୍ରଶାସନ ପକ୍ଷରୁ ସମୀକ୍ଷା କରାଯାଇଥିଲା।
ନୂଆ ନିଷ୍ପତ୍ତି ଅନୁଯାୟୀ, ପ୍ରତ୍ୟେକ ଦୋଳିରେ ଦୁଇ ଜଣ ଅତିରିକ୍ତ କର୍ମଚାରୀ ରହିବେ। ଦୋଳିରେ ଚଢ଼ିବାକୁ ଆସୁଥିବା ଲୋକଙ୍କ ସୁରକ୍ଷା ଉପରେ ସେମାନେ ନଜର ରଖିବେ। ଏଥିସହ ମଦ୍ୟପ ବ୍ୟକ୍ତି ଓ ଶିଶୁମାନଙ୍କୁ ଦୋଳିରେ ଚଢ଼ିବାକୁ ଅନୁମତି ଦିଆଯିବ ନାହିଁ।
SOP ଅନୁଯାୟୀ ସମସ୍ତ ସୁରକ୍ଷା ନିୟମ ପାଳନ କରିବାକୁ ଦୋଳି ମାଲିକ ଓ ପରିଚାଳକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଦୁର୍ଘଟଣାର ପୁନରାବୃତ୍ତି ରୋକିବା ସହ ଦର୍ଶକଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ପ୍ରଶାସନ ଏହି ପଦକ୍ଷେପ ନେଇଛି। ଦୋଳି ଉପରୁ କଟକଣା ହଟିବା ପରେ ବାଲିଯାତ୍ରାକୁ ଆସୁଥିବା ଲୋକଙ୍କ ମଧ୍ୟରେ ଉତ୍ସାହ ଫେରିବା ଆଶା କରାଯାଉଛି।
