ଭୁବନେଶ୍ୱର, ୨୭/୧୧/୨୦୨୬ (ଓଡ଼ିଶା ସମାଚାର)- ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ପାଇଁ ଦୀର୍ଘ ୫୦ ବର୍ଷ ଧରି କାର୍ଯ୍ୟ କରୁଥିବା ପୂଜ୍ୟପୂଜାପ୍ରାଣ ବାଗ୍ମୀ ପ୍ରଦୁ୍ୟମ୍ନ ଶତପଥୀଙ୍କ ସ୍ୱନକ୍ଷତ୍ର ଉତ୍ସବକୁ ରାଜ୍ୟ ପୂଜ୍ୟ ପ୍ରଣାମ ଟ୍ରଷ୍ଟ ପକ୍ଷରୁ ରେଡ଼କ୍ରସ ଭବନ ସଭାଗୃହରେ ଶୁକ୍ରବାର ପ୍ରଦୁ୍ୟମ୍ନ ପ୍ରଣାମ ଉତ୍ସବ-୨୦୨୬ ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି ।
ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ଓଡ଼ିଶାର ବିଶିଷ୍ଟ ସନ୍ଥ ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ କହିଲେ ଯେ, ବାଗ୍ମୀ ପ୍ରଦୁ୍ୟମ୍ନ ଶତପଥୀ ଓଡ଼ିଶା ରାଜନୀତି, ସମାଜନୀତି, ସଂସ୍କୃତି ଓ ସାମ୍ବାଦିକତାର ଏକ ଉତୁଙ୍ଗ ବ୍ୟକ୍ତିତ୍ୱ । ଏହିଭଳି ୫ଟି ପ୍ରଦୁ୍ୟମ୍ନ ଯଦି ଓଡ଼ିଶାରେ ବାହାରିବେ ଉତ୍କଳ ଜନନୀର ଭାଗ୍ୟ ବଦଳିଯିବ । ପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ସୁସ୍ଥ ଓ ଦୀର୍ଘାୟୁ କରନ୍ତୁ ବୋଲି ଆଶୀର୍ବଚନ କରିଥିଲେ ।
ସମ୍ମାନିତ ଅତିଥି ଓଡ଼ିଶା ଅଧିବକ୍ତା ପରିଷଦର ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ୱିବେଦୀ, ଶ୍ରୀ ଶତପଥୀଙ୍କୁ ଶୁଭକାମନା ଜଣାଇ କହିଲେ ଯେ, ସେ ଆଜୀବନ ସଂଗ୍ରାମୀ, କେବଳ କୋଟିଆ ପାଇଁ ନୁହେଁ, ଓଡ଼ିଆ ଭାଷାଭାଷୀ ଅଂଚଳରେ ଓଡ଼ିଆଙ୍କୁ ସୁରକ୍ଷା ଦେବାରେ ତାଙ୍କର ଭୂମିକା ଉଲ୍ଲେଖନୀୟ । ମୁଖ୍ୟବକ୍ତା ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡଃ ସତ୍ୟନାରାୟଣ ଆଚାର୍ଯ୍ୟ ବାଗ୍ମୀ ପ୍ରଦୁ୍ୟମ୍ନଙ୍କ ସଂଗ୍ରାମୀ ମାନସିକତା ଓ ପୂଜ୍ୟପୂଜାପ୍ରାଣ ତାଙ୍କୁ ଓଡ଼ିଶାବାସୀଙ୍କ ନିକଟରେ ଚିର ପରିଚିତ କରାଇ ରଖିବ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ପାଇଁ ତାଙ୍କର ୫୦ ବର୍ଷର ଯାତ୍ରା ଓଡ଼ିଶାର ଯୁବ ଓ ଛାତ୍ରମାନଙ୍କ ପାଇଁ ଉଦାହରଣ । ଏହି ଅବସରରେ ପୂଜ୍ୟ ସ୍ୱାମିଜୀ ଓ ଅତିଥିମାନେ ସମାଜସେବା ଓ ଓକିଲ ଡଃ ଶମ୍ଭୁ ପାଣିଗ୍ରାହୀ, ସମାଜସେବୀ ଗୁରୁଚରଣ ପ୍ରଧାନ ଓ କବି ଚିନ୍ତାମଣି ଦାଶଙ୍କୁ ପ୍ରଦୁ୍ୟମ୍ନ ପ୍ରତିଭା ସମ୍ମାନ-୨୦୨୬ ପ୍ରଦାନ କରିଥିଲେ ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ବ୍ରହ୍ମଚାରୀ ଆନନ୍ଦ ଚୈତନ୍ୟ ଭଜନ ପରିବେଷଣ କରିଥିଲେ । ଏହି ଅବସରରେ କବି ଚିନ୍ତାମଣି ଦାଶଙ୍କ ପୁସ୍ତକ ‘ଅର୍ଘ୍ୟ, ସୁମିତ୍ରା’କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବାଗ୍ମୀ ପ୍ରଦୁ୍ୟମ୍ନ ଶତପଥୀଙ୍କୁ ଅତିଥିମାନେ ଉତରୀୟ, ଫୁଲତୋଡ଼ା, ତୁଳସୀବୃକ୍ଷ ଓ ଉପହାର ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ । ଶେଷରେ ସଂସ୍କୃତି ସୁରକ୍ଷା ଅଭିଯାନର ସମ୍ପାଦକ ପ୍ରଦୀପ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଶିବାନୀ ପ୍ରିନ୍ଟର୍ସର ତତ୍ୱାବଧାରକ ଶିବନାରାୟଣ, ବରୁଣରାଜ, ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ, ସୀତାଂଶୁ ମହାରାଣା, ନାରାୟଣ ଖୁଂଟିଆ ଓ ପ୍ରଜ୍ଞା ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ । ପୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତପଥୀ ଓ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିଙ୍କ ବାର୍ତା ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ପାଠ କରିଥିଲେ । ସମ୍ବର୍ଦ୍ଧନାର ଉତରରେ ଶ୍ରୀ ଶତପଥୀ, ଓଡ଼ିଶାର ବିଭିନ୍ନ ଅଂଚଳରୁ ଯେଉଁ ଶୁଭେଚ୍ଛାର ବାର୍ତା ମୁଁ ଆଜି ପାଇଛି ଓ ଉପସ୍ଥିତ ଥିବା ସମସ୍ତଙ୍କ ନିକଟରେ ମୁଁ କେବଳ କୃତଜ୍ଞ ନୁହେଁ, ମୁଁ ସଂକଳ୍ପ ନେଉଛି ଯେପର୍ଯ୍ୟନ୍ତ ମୋ ଶରୀରରେ ପ୍ରାଣ ଥିବ, ଓଡ଼ିଶା ଓ ଓଡ଼ିଆଙ୍କ ପାଇଁ ମୁଁ କାର୍ଯ୍ୟ କରିଚାଲିବି ବୋଲି କହିଥିଲେ ।
ବାଗ୍ମୀ ପ୍ରଦୁ୍ୟମ୍ନଙ୍କ ଭଳି ପାଂଚଟି ପ୍ରଦୁ୍ୟମ୍ନ ହେଲେ ଓଡ଼ିଶାର ଭାଗ୍ୟ ବଦଳିଯିବ
