ଭୁବନେଶ୍ୱର,୨୭/୧୧/୨୦୨୬(ଓଡ଼ିଶାସମାଚାର)-ଗୁରୁବାର ଏଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟିର ୧୫୨ତମ ବୈଠକରେ ଓଡ଼ିଶା ସରକାର ୧୦ଟି ଜିଲାରେ ୩,୮୧୦.୨୫ କୋଟି ଟଙ୍କାର ୧୯ଟି ନିବେଶ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ୧୧,୨୫୧ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଆଶା ରହିଛି । ମୁଖ୍ୟ ସଚିବ ଅନୁ ଗର୍ଗ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ ।
ଅନୁମୋଦିତ ପ୍ରକଳ୍ପଗୁଡ଼ିକ ପର୍ଯ୍ୟଟନ, ବସ୍ତ୍ର ଓ ପୋଷାକ, ଶକ୍ତି ଓ ଅକ୍ଷୟ ଶକ୍ତି, ଇସ୍ପାତ, ଧାତୁ ଭିତିକ ଅନୁଷଙ୍ଗିକ ଶିଳ୍ପ, ସ୍ୱାସ୍ଥ୍ୟସେବା, ଔଷଧ ନିର୍ମାଣ, ପ୍ଲାଷ୍ଟିକ, ରାସାୟନିକ ଦ୍ରବ୍ୟ ଏବଂ ସବୁଜ ଶକ୍ତି ଉପକରଣ ଭଳି ବିଭିନ୍ନ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରେ । ପର୍ଯ୍ୟଟନ ଓ ଆତିଥ୍ୟ କ୍ଷେତ୍ରରେ ୭ଟି ପ୍ରକଳ୍ପ ଅନୁମୋଦିତ ହୋଇଛି, ଯେଉଁଥିରେ ୬୦୭ କୋଟି ଟଙ୍କାର ନିବେଶ ହେବ ଏବଂ ୧,୫୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ କୋରାପୁଟ, କଟକ, ଝାରସୁଗୁଡ଼ା ଏବଂ ବାଲେଶ୍ୱରରେ ୫-ତାରକା ଓ ୪-ତାରକା ହୋଟେଲ ଓ ରିସର୍ଟ, ଇକୋ-ଟୁରିଜିମ୍ (ପରିବେଶ-ପର୍ଯ୍ୟଟନ) ସୁବିଧା, ୱେଲନେସ୍ ସେଣ୍ଟର (ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ର) ଏବଂ ମନୋରଞ୍ଜନ ଭିତିଭୂମି ଅନ୍ତର୍ଭୁକ୍ତ ।କୋରାପୁଟରେ ୩ଟି ଆତିଥ୍ୟ ପ୍ରକଳ୍ପ ସ୍ଥାପିତ ହେବ । ଏଥିମଧ୍ୟରେ “ସଚେତି ହସ୍ପିଟାଲିଟି ପ୍ରାଇଭେଟ୍ ଲିମିଟେଡ୍’ ଦ୍ୱାରା ୧୨୧ କୋଟି ଟଙ୍କା ବିନିଯୋଗରେ ଏକ ୫-ତାରକା ରିସର୍ଟ, “ଟିଭିଆର୍ ଇଷ୍ଟେଟ୍ସ ଆଣ୍ଡ ରିସର୍ଟସ୍ ପ୍ରାଇଭେଟ୍ ଲିମିଟେଡ୍’ ଦ୍ୱାରା ୧୦୪ କୋଟି ଟଙ୍କା ବିନିଯୋଗରେ ଏକ ୱେଲନେସ୍ ସେଂଟର ସହ ୪- ତାରକା ଇକୋ-ରିସର୍ଟ ଏବଂ “ନୀଳାଦ୍ରି ହୋଟେଲ୍ସ ଆଣ୍ଡ ରିସର୍ଟସ୍ ପ୍ରାଇଭେଟ୍ ଲିମିଟେଡ୍’ ଦ୍ୱାରା ୭୨ କୋଟି ଟଙ୍କା ବିନିଯୋଗରେ ଏକ ୪-ତାରକା ୱେଲନେସ୍ ରିସର୍ଟ ନିର୍ମାଣ କରାଯିବ ।
