ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ କେନ୍ଦ୍ରାପଡା ଜିଲାପାଳଙ୍କ ଅଫିସ ସମ୍ମୁଖରେ ଆହୋରାତ୍ର ଗଣଧାରଣା

କେନ୍ଦ୍ରାପଡ଼ା,୨୨/୦୯/୨୦୨୫(ଓଡ଼ିଶା ସମାଚାର)- ପଦ୍ମ ଘୁଂଚି ଘଂଚି ଯାଉଛି । ସ୍ୱାଧୀନତାର ୭୯ ବର୍ଷ ପରେ ମଧ୍ୟ ନାହିଁ ନାହିଁର ଜିଲା କେନ୍ଦ୍ରାପଡା ସବୁଥିରୁ ବଂଚିତ । ଅର୍ଥନୈତିକ ବିକାଶର ୨୯ତମ ସ୍ଥାନରେ ଥିବା କେନ୍ଦ୍ରାପଡା ଜିଲାର ଲୋକେ ସାଧାରଣ ସ୍ୱାସ୍ଥ୍ୟ ସେବାରୁ ବଂଚିତ । ଜିଲାର ଛାତି ଚିରି ୫୩ନମ୍ବର ଜାତୀୟ ରାଜପଥ ଏବଂ ରେଳପଥ ଯାଇଛି । କେନ୍ଦ୍ରାପଡାବାସୀ ଦେଶର ବିକାଶ ପାଇଁ ହଜାର ହଜାର ଏକର ଜମି ଦେଇଛନ୍ତି । ପାଇଛନ୍ତି କଣ ବୋଲି ଆଜି ପ୍ରଶ୍ନ ପଚାରୁଛନ୍ତି ? ପ୍ରତିଦିନ ସେହି ରାସ୍ତାରେ ଯାଉଥିବା ଲୋକେ ଆକ୍ସିଡେଂଟ ରେ ଖଣ୍ଡିଆଖାବରା ହୋଇ ମୃତ୍ୟୁବରଣ କରିଥାନ୍ତି । ଅର୍ଥନୈତିକ ବିକାଶର କଥା ଯଦି କହିବା ତେବେ କେନ୍ଦ୍ରାପଡା ଜିଲାକୁ ନମୁନା ଭାବେ ଗ୍ରହଣ କରାଯାଇ ପାରେ । ଯେତେବେଳେ ରାଜ୍ୟରେ ତିନୋଟି ମେଡିକାଲ କଲେଜ ଥିଲା ସେତେବେଳଠୁ ଅର୍ଥାତ ୨୦୧୫ମସିହା ଠାରୁ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଜିଲାରେ ଆନ୍ଦୋଳନ ଆରମ୍ଭ ହେଇଛି ।

ସେତେବେଳେ ସମସ୍ତ ବିରୋଧୀ ରାଜନୈତିକ ଦଳ, ଗଣସଙ୍ଗଠନ, ସାମାଜିକ ସଂଗଠନ, ବୁଦ୍ଧିଜୀବୀ ସମ୍ପ୍ରଦାୟ ନିଜସ୍ୱ ଭାବେ ଆନ୍ଦୋଳନ କରିଆସିଛନ୍ତି । ଏହା ମଧ୍ୟରେ ୩ରୁ୧୭ମେଡିକାଲ କଲେଜ ରାଜ୍ୟରେ ଘୋଷଣା ହେଇଛି । ସରକାର ପରେ ସରକାର ବଦଳିଛି । କିନ୍ତୁ କେନ୍ଦ୍ରାପଡା ଜିଲା ଯେଉଁ ଦୁଃଖିଆକୁ ସେହି ଦୁଃଖିଆ । ରାଜନୈତିକ ପଶା ପାଲିରେ କେନ୍ଦ୍ରାପଡା ବଳି ପଡିଛି । ଅତୀତରେ କ୍ଷମତାରେ ଥିବା ଦଳ ନିରବ ରହିଥିବା ବେଳେ, ଗତକାଲି ଆନ୍ଦୋଳନ କରୁଥିବା ଦଳ ଆଜି କ୍ଷମତାକୁ ଯିବା ପରେ ନିରବ ରହୁଛି । ଏହି ଛାଇ ଆଲୁଅ ଖେଳ ଜିଲାର ବିକାଶ ପାଇଁ କାଳ ହୋଇଛି । ଅନ୍ୟ ପକ୍ଷରେ ଆନ୍ଦୋଳନର ଜୁଆର ଯେତିକି ଉତାଳ ହେଇଛି ପ୍ରତିଶ୍ରୁତିର ବନ୍ୟା ସେତିକି ପ୍ରଖର ହୋଇଛି । ପୂର୍ବ ସରକାରଠୁ ଏବର ସରକାର ପ୍ରତିଶୃତି ପରେ ପ୍ରତିଶ୍ରୁତି ଦେଇଚାଲିଛି । ଫଳ କିନ୍ତୁ ଶୂନ ।

ଯଦି ହିସାବକୁ ନେବା କେନ୍ଦ୍ରାପଡାର ଶ୍ରୀବଳଦେବଜୀଉଙ୍କ ମନ୍ଦିର ନିକଟରେ ଜିଲା ମେଡିକାଲ ଥିଲା ବେଳେ ପଟ୍ଟାମୁଣ୍ଡାଇରେ ଗୋଟିଏ ଉପଖଣ୍ଡ ସ୍ତରୀୟ ମେଡିକାଲ ଅଛି । ଏହାସହିତ ତିନୋଟି ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ସାରା ଜିଲାରେ ୪୬ଟି ନୂଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି । କିନ୍ତୁ ବିଭିନ୍ନ ସମୟରେ ସ୍ୱାସ୍ଥ୍ୟ ସେବାରୁ ବଂଚିତ ହୋଇ ଅର୍ଦ୍ଧାଧିକ ଲୋକ କଟକ ବଡ଼ ଡ଼ାକ୍ତରଖାନା ଯାଇଥାନ୍ତି । ବର୍ଷ ବର୍ଷ ଧରି ଚାଲିଥିବା ଏହି ପ୍ରକ୍ରିୟାର କୌଣସି ପରିବର୍ତନ ନାହିଁ । ଏହା ବିରୁଦ୍ଧରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଜିଲାବାସୀ ଏକଜୁଟ । ଯେ ପର୍ଯ୍ୟନ୍ତ ମେଡିକାଲ କଲେଜ ଘୋଷଣା ହୋଇନି ସେପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ । ମେଡିକାଲ କଲେଜ ପ୍ରତିଷ୍ଠାରେ କେନ୍ଦ୍ରାପଡା ୩୦ନମ୍ବର ଜିଲା ନହେଉ ।

ଏହି ପରିପ୍ରେକ୍ଷୀରେ ଓଡିଶା ବିଧାନସଭାର ଚାଲିଥିବା ମୌସୁମୀ ଅଧିବେଶନରେ ମୋହନ ସରକାର ବିଧାନସଭାରେ କେନ୍ଦ୍ରାପଡାରେ ମେଡିକାଲ କଲେଜ ଘୋଷଣା କରିବା ଦାବିରେ ସୋମବାର ଠାରୁ ଜିଲାପାଳ ଅଫିସ ସମ୍ମୁଖରେ ଅନୁଷ୍ଠିତ ଆହୋରାତ୍ର ଗଣଧାରଣାର ପ୍ରଥମ ଦିନରେ ଅଧ୍ୟାପକ ଅଜୟ ସାମଲ ସଭାପତିତ୍ୱ କରିଥିଲେ ।

ଏହି ଗଣ ଧାରଣାରେ ବିଜେଡିର ରାଜ୍ୟ ନେତା ରବି ସାମଲ, କଂଗ୍ରେସ ଜିଲା ସଂଯୋଜକ ପ୍ରଫୁଲ୍ଲ ଦାସ, ସିପିଆଇ(ଏମ୍) ଜିଲା ସମ୍ପାଦକ ଗୟାଧର ଧଳ, ସିପିଆଇ ଜିଲା ସମ୍ପାଦକ ବିକାଶ ବେଉରା, ଆମ୍ ଆଦମି ଜିଲା ସମ୍ପାଦକ ସୂର୍ଯ୍ୟକାନ୍ତ ପରିଡା, କଂଗ୍ରେସ ରାଜ୍ୟ ସମ୍ପାଦିକା ସସ୍ମିତା ପଣ୍ଡା, ନିରାକାର ଜେନା, କେଦାର ସାମନ୍ତରାୟ, ମୁକ୍ତାର ଖାଁ, ଭାଗିରଥି ଜେନା, ମହେନ୍ଦ୍ର ପଟ୍ଟନାୟକ, ଆଦିକନ୍ଦ ରାଉଳ, ନରୋତମ ପାର୍ଥସାରଥୀ, ଉପେନ୍ଦ୍ର ନାଥ ପରିଡା, ରାଜକୁମାର ବିଶ୍ୱାଳ, ବ୍ରଜକିଶୋର ବିଶ୍ୱାଳ, ପ୍ରଭାକର ସାମଲ, ବିଦ୍ୟୁତ ଖୁଂଟିଆ, ବିଦ୍ୟୁତ ପଲେଇ, ଗୋଲକ ଚନ୍ଦ୍ର ମହାଭୋଇ, କିଶୋର ସାହୁ, ସୋହାନା ବିବି, ରବୀନ୍ଦ୍ର ସାମଲ, ରବୀନ୍ଦ୍ର ଜେନା, ସନାତନ ତରାଇ, ରାଧାକାନ୍ତ ଦାସ, ସୀତାକାନ୍ତ ନାୟକ, ସଞ୍ଜୟ ବସନ୍ତିଆ, ପ୍ରତାପ ନାୟକ, ବିଧୁଭୂଷଣ ମହାପାତ୍ର, ଜଗତଜୀବନ ଦାଶ, ରଶ୍ମିରଞ୍ଜନ ଚୌଧୁରୀ, କ୍ଷୀରୋଦ ପଣ୍ଡା, ବିଜୟ ପରିଡା,ବିଚିତ୍ରକୁମାର ରାଉତ ପ୍ରମୁଖ ବକ୍ତବ୍ୟ ରଖି ଏହି ଐତିହାସିକ ଲଢେଇରେ ସାରା ଜିଲାର ଆବଳ ବୃଦ୍ଧ ବନିତା ଦଳମତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଦାବି ହାସଲ ପର୍ଯ୍ୟନ୍ତ ଆନ୍ଦୋଳନକୁ ଚଳେଇ ରଖିବା ପାଇଁ ଅନୁରୋଧ କରିଥିଲେ ।

ପ୍ରକାଶ ଥାଉକି ଆଜି ବିଧାନସଭାରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦାବି ଉପସ୍ଥାପିତ କରିଛନ୍ତି । ଦାବି ହାସଲ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁରହିବ ବୋଲି ଆନ୍ଦୋଳନକାରୀ ମାନେ ଘୋଷଣା କରିଛନ୍ତି ।

Leave a Reply

Your email address will not be published. Required fields are marked *