ଦୁର୍ଦ୍ଧାନ୍ତ ଅପରାଧୀ କାଶୀଆ ଗିରଫ

ସେମି ଅଟୋମେଟିକ ପିସ୍ତଲ, ୩ ଗୁଳି ଓ କଟୁରି ଜବତ
ତଦନ୍ତକାରୀ ଅଧିକାରୀଙ୍କୁ ହାଣିଥିଲା
ଭୁବନେଶ୍ୱର,୨୬/୧୧/୨୦୨୬(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- କମିଶନରେଟ୍ ପୋଲିସ ଭୁବନେଶ୍ୱର ସହରାଂଚଳ ପୋଲିସ ଜିଲା ଅଧୀନସ୍ଥ କ୍ୟାପିଟାଲ୍ ଥାନା ପୋଲିସ ଏକ ବଡ଼ ଧରଣର ସଫଳତା ହାସଲ କରି ରାଜଧାନୀର ବିଭିନ୍ନ ଥାନା ଅଂଚଳରେ ଆତଙ୍କ ସୃଷ୍ଟି କରିଥିବା ଜଣେ କୁଖ୍ୟାତ ପେସାଦାର ଅପରାଧୀ କାଶୀ ରାଉତ (୨୩) କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ କାଶୀ ନିକଟରୁ ଗୋଟିଏ ୭.୬୫ ଏମ୍ଏମ୍ ସେମି- ଅଟୋମେଟିକ୍ ପିସ୍ତଲ, ୩ ରାଉଣ୍ଡ ଜୀବନ୍ତ ଗୁଳି, ଗୋଟିଏ ଅନା କଟୁରୀ ଏବଂ ଗୋଟିଏ ମୋବାଇଲ୍ ଫୋନ୍ ଜବତ କରାଯାଇଛି ।

ଘଟଣାରୁ ଜଣାପଡ଼ିଛି ଯେ, ଗତ ମେଁ ୨୭ତାରିଖ ଭୋର ପ୍ରାୟ ୩ଟା ୩୦ ମିନିଟରେ ଅଭିଯୋଗକାରୀ ବିଜୟ କୁମାର ମହାପାତ୍ର କଳ୍ପନା ଛକରୁ ଫେରୁଥିବା ବେଳେ ରାଜମହଲ ଓଭରବ୍ରିଜ୍ ଆରମ୍ଭ ସ୍ଥାନ ନିକଟରେ ଏକ କଳା ରଙ୍ଗର ସ୍କର୍ପିଓ ଗାଡ଼ି ତାଙ୍କୁ ଓଭରଟେକ୍ କରି ଧକ୍କା ଦେଇଥିଲା । ଅଭିଯୋଗକାରୀ ଓ ତାଙ୍କ ସାଙ୍ଗମାନେ ଏହାର ପ୍ରତିବାଦ କରିବାରୁ ସ୍କର୍ପିଓରେ ଥିବା ଅଭିଯୁକ୍ତ କାଶୀ ରାଉତ ଓ ତା’ର ସହଯୋଗୀମାନେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଏକ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରିଥିଲେ, ଯାହାଫଳରେ ଅଭିଯୋଗକାରୀ ଗୁରୁତର ଆହତ ହୋଇଥିଲେ ।

ଏନେଇ ଅଭିଯୋଗକାରୀଙ୍କ ଲିଖିତ ଏତଲା ଆଧାରରେ କ୍ୟାପିଟାଲ୍ ଥାନାରେ କେସ ନଂ ୩୮୨/୨୦୨୬ ବିଏନଏସର ଧାରା ୨୮୧/୧୨୬(୨)/୨୯୬/୧୦୯/୩(୫) ଏବଂ ଅସ୍ତ୍ରଶସ୍ତ୍ର ଆଇନର ଧାରା ୨୫(୧)(ବ) ଅନୁଯାୟୀ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିଲା । ଉକ୍ତ ମାମଲା ସମେତ କ୍ୟାପିଟାଲ୍, ବଡ଼ଗଡ଼, ଲକ୍ଷ୍ମୀସାଗର ଓ ଖାରବେଳନଗର ଥାନା ଅଂଚଳରେ ହତ୍ୟା ଉଦ୍ୟମ, ଅପହରଣ, ପୋଲିସ ଉପରକୁ ଆକ୍ରମଣ ଏବଂ ବେଆଇନ୍ ଅସ୍ତ୍ରଶସ୍ତ୍ର ରଖିବା ଭଳି ୨୫ରୁ ଅଧିକ ସଙ୍ଗୀନ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ପେସାଦାର ଅପରାଧୀ କାଶୀ ରାଉତ ଓ ତା’ର ସହଯୋଗୀମାନଙ୍କୁ ଧରିବା ପାଇଁ ଭୁବନେଶ୍ୱର ସହରାଂଚଳ ପୋଲିସ ପକ୍ଷରୁ ନିରନ୍ତର ଉଦ୍ୟମ ଜାରି ରହିଥିଲା ।

ଶେଷରେ ପୋଲିସ ଟିମ୍ ଚଢ଼ଉ କରି ଅଶୋକ ନଗର ଫଳିକିଆ ବସ୍ତିର ଅଭିଯୁକ୍ତ କାଶୀ ରାଉତକୁ କାବୁ କରିବାରେ ସଫଳ ହୋଇଛି । ଯାଂଚ ବେଳେ ତା’ ନିକଟରୁ ବେଆଇନ୍ ୭.୬୫ ଏମ୍ଏମ୍ ସେମି- ଅଟୋମେଟିକ୍ ପିସ୍ତଲ, ୩ ରାଉଣ୍ଡ ଜୀବନ୍ତ ଗୁଳି ଓ ଗୋଟିଏ ଅନା କଟୁରୀ ଜବତ ହୋଇଥିବାରୁ ଏନେଇ ଆଜି କ୍ୟାପିଟାଲ୍ ଥାନାରେ ଅସ୍ତ୍ରଶସ୍ତ୍ର ଆଇନର ଧାରା ୨୫(୧)(ଏ)/୨୭ ଅନୁଯାୟୀ ଆଉ ଏକ ସ୍ୱତନ୍ତ୍ର ମାମଲା କେସ ନଂ ୯୪୬/୨୦୨୬ ରୁଜୁ କରାଯାଇଛି । ଅଭିଯୁକ୍ତକୁ ବିଧିବଦ୍ଧ ଭାବେ ଗିରଫ କରାଯାଇ ଡାକ୍ତରୀ ପରୀକ୍ଷା ପରେ କୋର୍ଟକୁ ଚାଲାଣ କରାଯାଇଛି ଏବଂ ଫେରାର୍ ଥିବା ତା’ର ଅନ୍ୟ ସହଯୋଗୀମାନଙ୍କୁ ଗିରଫ କରିବା ପାଇଁ ପୋଲିସର ଚଢ଼ାଉ ଜାରି ରହିଛି ।

Leave a Reply

Your email address will not be published. Required fields are marked *