ମନର ପ୍ରଶ୍ନ ଓ ଶଙ୍କାର ସମାଧାନ ପାଇଁ ଶ୍ରୀଗୁରୁ ଭାଗବତ ଏକ ସହାୟକ ଗ୍ରନ୍ଥ : ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀ
ନୂଆଦିଲ୍ଲୀ, ୨୬/୧୧/୨୦୨୬(ଓଡ଼ିଶା ସମାଚାର)– ଗୁରୁଗ୍ରାମସ୍ଥିତ ସାଇ କା ଆଙ୍ଗନ୍ଠାରେ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ବୋଇତ ବନ୍ଦାଣ ଓ ଶ୍ରୀଗୁରୁ ଭାଗବତ ଜନ୍ମୋତ୍ସବ ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସ ସହକାରେ ପାଳିତ ହୋଇଯାଇଛି। ମହାନ୍ ଆଧ୍ୟାତ୍ମିକ ଚିନ୍ତକ ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରାଚୀନ ଓଡ଼ିଶାର ଅନନ୍ୟ ବୋଇତ ବନ୍ଦାଣ ପରମ୍ପରା ଓ ଶ୍ରୀଗୁରୁ ଭାଗବତର ଜନ୍ମୋତ୍ସବ ବିଷୟରେ ଆଲୋକପାତ କରିଥିଲେ।

ଭାରତର ଚବିଶିଟି ପ୍ରାନ୍ତୀୟ ଭାଷାରେ ଅନୁବାଦିତ ହୋଇଥିବା ଏହି ପବିତ୍ର ଗ୍ରନ୍ଥକୁ ସୁସଜ୍ଜିତ ପାଲିଙ୍କିରେ ରଖି ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ବିଭିନ୍ନ ଭାଷାର ପ୍ରତିନିଧିମାନେ ଆଣିବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚରଣରେ ଗୁରୁଜୀଙ୍କ କରକମଳରେ ପୂଜା ସମ୍ପନ୍ନ ହୋଇଥିଲା। ଏହାପରେ ଗୁରୁଜୀ ଆନୁଷ୍ଠାନିକ ଭାବରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ।
ଉପସ୍ଥିତ ଭକ୍ତମାନଙ୍କୁ ସମ୍ବୋଧିତ କରି ଗୁରୁଜୀ କାର୍ତ୍ତିକ ପୂର୍ଣ୍ଣିମା ଓ ପ୍ରାଚୀନ ଓଡ଼ିଶାର ଗାରିମାମାୟ ଇତିହାସ ଉପରେ ଆଲୋକପାତ କରିବା ପରେ ଶ୍ରୀଗୁରୁ ଭାଗବତର ଜନ୍ମଠାରୁ ଏହାର ଦୀର୍ଘ ଯାତ୍ରା ପଥରେ ଏହା କିପରି ଅଗଣିତ ଜନମାନସକୁ ପ୍ରଭାବିତ କରିଛି ତାହା ଉଲ୍ଲେଖ କରିଥିଲେ। ଏହି ଅବସରରେ ଗୁରୁଜୀ ଅବତାର ତତ୍ତ୍ୱ, ବ୍ରହ୍ମଶକ୍ତି, ସଦ୍ଗୁରୁ ଶକ୍ତି ଓ ଧର୍ମ ଆଦି ପ୍ରସଙ୍ଗ ଉପରେ ଆଲୋଚନା କରି ଜୀବନରେ ଆମ ମନରେ ଉଙ୍କି ମାରୁଥିବା ପ୍ରଶ୍ନ ଓ ଶଙ୍କାର ସମାଧାନରେ ଶ୍ରୀଗୁରୁ ଭାଗବତ ଏକ ସହାୟକ ଗ୍ରନ୍ଥ ହୋଇଥିବାରୁ ଜାତି, ଭାଷା ଓ ସୀମାର ଊର୍ଦ୍ଧ୍ୱରେ ଏହା ସମସ୍ତଙ୍କ ଦ୍ୱାରା ଗ୍ରହଣୀୟ ହୋଇପାରିଛି ବୋଲି କହିଥିଲେ। 
ଜୀବନରେ ଈର୍ଷା, ଅହଂକାର ଓ କ୍ରୋଧ ଆଦି ଗୁଣଗୁଡ଼ିକୁ ପରିହାର କରି ଶୁଦ୍ଧ ଭାବ ଓ ମନ ଦ୍ୱାରା ଈଶ୍ୱର ଭକ୍ତି ସହଜ ହୋଇଥାଏ ବୋଲି ଗୁରୁଜୀ କହିଥିଲେ। ଜୀବନରେ ଯେ ପର୍ଯ୍ୟନ୍ତ ଅନୁଭୂତି ହୋଇନାହିଁ, ସେ ପର୍ଯ୍ୟନ୍ତ ଦ୍ୱନ୍ଦ୍ୱରୁ ମୁକୁଳିବା ସମ୍ଭବ ନୁହେଁ। ଯୋଗ୍ୟ ଗୁରୁଙ୍କ ମାର୍ଗଦର୍ଶନ ଦ୍ୱାରା ଜଣେ ଏଥିରୁ ମୁକୁଳିପାରିବ ବୋଲି ଗୁରୁଜୀ କହିଥିଲେ।
ଏହି ଅବସରରେ ବାହାର ରାଜ୍ୟର ଭକ୍ତମାନେ ଓଡ଼ିଆ ଭାଷାରେ ଶ୍ରୀଗୁରୁ ଭାଗବତ ମଧୁର କଣ୍ଠରେ ଗାୟନ କରିଥିଲେ । ସାଇ କା ଆଙ୍ଗନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
ଏହି ଉତ୍ସବରେ ଭାରତୀୟ ପଦାତିକ ବାହିନୀର ପୂର୍ବତନ ଭାଇସ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତି, କେନ୍ଦ୍ର ସରକାରଙ୍କ ସଚିବ ନିକୁଞ୍ଜ କିଶୋର ଧଳ, ପୂର୍ବତନ ଡିଜି ଅରୁଣ କୁମାର, ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ବୈଜ୍ଞାନିକ ପରାମର୍ଶଦାତା ଡ. ସତୀଶ ରେଡ୍ଡିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଓ ବୁଦ୍ଧିଜୀବୀ ଯୋଗଦେଇଥିଲେ।
ଶ୍ରୀଗୁରୁ ଭାଗବତ ତେଲୁଗୁର ୟୁଟ୍ୟୁବ ଚ୍ୟାନେଲ ଗୁରୁଜୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଏହି ଚ୍ୟାନେଲର ପ୍ରତିଷ୍ଠାତା ପ୍ରଫେସର ଡ. ରଘୁନାଥ ରେଡ଼ି ଶ୍ରୀଗୁରୁ ଭାଗବତର ମହିମା ଉପରେ ଆଲୋଚନା କରିଥିଲେ।
ଦେଶର ଅନ୍ୟାନ୍ୟ ପ୍ରାନ୍ତରେ ଶ୍ରୀଗୁରୁ ଭାଗବତ ଜନ୍ମୋତ୍ସବ ଦେଶର ଅନ୍ୟାନ୍ୟ ପ୍ରାନ୍ତରେ ମଧ୍ୟ ଶ୍ରୀଗୁରୁ ଭାଗବତ ଜନ୍ମୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଉତ୍ତରପ୍ରଦେଶର ଲକ୍ଷ୍ନୌ, କାନପୁର, ମୋରାଦାବାଦ, ଆସାମର ଗୁହାଟୀ, ଛତିଶଗଡ଼ର ରାୟପୁର, ବିହାର, ଗୁଜୁରାଟ, ରାଜସ୍ଥାନ, ଆନ୍ଧ୍ର ଓ ତାମିଲନାଡ଼ୁର ଭକ୍ତମାନଙ୍କ ଦ୍ୱାରା ଶ୍ରୀଗୁରୁ ଭାଗବତ ଜୟନ୍ତୀ ଶ୍ରଦ୍ଧା ଓ ଭକ୍ତି ସହକାରେ ପାଳିତ ହୋଇଯାଇଛି। ସେହିପରି ଓଡ଼ିଶାରେ ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ଶ୍ରୀଗୁରୁ ଭାଗବତ ଟୁଙ୍ଗୀ ଏବଂ ବିଭିନ୍ନ ଦେବାଳୟ ଓ ମଠ ମନ୍ଦିରମାନଙ୍କରେ ଶ୍ରୀଗୁରୁ ଭାଗବତର ଜନ୍ମ ଅବସରରେ ବିଭିନ୍ନ ଆଧ୍ୟାତ୍ମିକ, ସାଂସ୍କୃତିକ, ସାମାଜିକ ଓ ଦାତବ୍ୟ କାର୍ଯ୍ୟ ଅନୁଷ୍ଠିତ ହୋଇଥିବା ଜଣାଯାଇଛି।
