କର୍ତବ୍ୟରେ ଖିଲାପ ଅଭିଯୋଗରେ ନିଲମ୍ବିତ ହେଲେ ମଂଚେଶ୍ୱର ଥାନା ଅଧିକାରୀ

ଭୁବନେଶ୍ୱର,୨୬/୧୧/୨୦୨୬(ଓଡ଼ିଶା ସମାଚାର)-କାର୍ଯ୍ୟରେ ଅବହେଳା ଓ ଦାୟିତ୍ୱହୀନତା ଯୋଗୁଁ ମଂଚେଶ୍ୱର ଥାନା ଅଧିକାରୀ ତଥା ଇନ୍ସପେକ୍ଟର ଗୟାନନ୍ଦ ଶାହାଙ୍କୁ ପୋଲିସ ଡିଜି କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ଏନେଇ ଓଡ଼ିଶା ପୋଲିସ ମୁଖ୍ୟାଳୟ ପକ୍ଷରୁ ଏକ ନିର୍ଦ୍ଧେଶନାମା ଜାରି ହୋଇଛି । ଏହି ଅନୁଯାୟୀ, ଗୟାନନ୍ଦ ସାହାଙ୍କ ବିରୁଦ୍ଧରେ କର୍ତବ୍ୟରେ ଅବହେଳା, ଦାୟିତ୍ୱହୀନତା ଏବଂ ସରକାରୀ କାର୍ଯ୍ୟ ସଠିକ୍ ଭାବେ ସମ୍ପାଦନ ନକରିବା ଅଭିଯୋଗରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବିଚାରାଧୀନ ରହିଛି । ଜନସ୍ୱାର୍ଥ ଦୃଷ୍ଟିରୁ ତାଙ୍କୁ ତୁରନ୍ତ ନିଲମ୍ବନ କରିବାକୁ ଡିଜିପି ନିଷ୍ପତିି ନେଇଛନ୍ତି । ନିଲମ୍ବନ ଅବଧିରେ ସେ ଭୁବନେଶ୍ୱର-କଟକ ପୋଲିସ କମିଶନରଙ୍କ ଶୃଙ୍ଖଳାଗତ ନିୟନ୍ତ୍ରଣରେ ରହିବେ । ଏହି ସମୟରେ ଓଡ଼ିଶା ସର୍ଭିସ୍ କୋଡ୍ର ନିୟମ ୯୦ ଅନୁଯାୟୀ ସେ ନିୟମ ଅନୁସାରେ ଭତା ପାଇବେ ।
ସୂଚନା ଅନୁସାରେ, ଗତ କିଛିଦିନ ତଳେ ସୋନପୁର ଜିଲାର ଜଣେ ଜଣାଶୁଣା ଡାକ୍ତରଙ୍କ ମା’ ରାଜଧାନୀର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସା ସମୟରେ ତାଙ୍କର ପରଲୋକ ଘଟିଥିଲା । ନିୟମ ଅନୁସାରେ ମୃତଦେହର ଶବ ବ୍ୟବଚ୍ଛେଦ ହେବା କଥା । ମାତ୍ର ମୃତକଙ୍କ ପୁଅ ଡାକ୍ତର ଜଣଙ୍କ ଥାନା ଅଧିକାରୀଙ୍କୁ ବିନା ବ୍ୟବଚ୍ଛେଦରେ ଶବ ଛାଡିବାକୁ ଅନୁରୋଧ କରିଥିଲେ । ଏଥିରେ ଥାନା ଅଧିକାରୀ ଶ୍ରୀ ଶାହା ସହମତି ପ୍ରକାଶ କରି ବିନା ବ୍ୟବଚ୍ଛେଦରେ ଶବ ଛାଡିଥିଲେ ।

Leave a Reply

Your email address will not be published. Required fields are marked *