ଯାଜପୁର ଜିଲ୍ଲାରେ ମଧୁବାବୁ ପେନସନ ଯୋଜନାରେ ଯୋଡି ହେଲେ ୩୦,୭୮୭ ନୂଆ ହିତାଧିକାରୀ

ସମୁଦାୟ ୨,୭୭,୯୬୦ ହିତାଧିକାରୀ ପାଇବେ ନିୟମିତ ସାମାଜିକ ସୁରକ୍ଷା ଭତ୍ତା

ଭତ୍ତା ବ୍ୟବସ୍ଥାର ସରଳୀକରଣ ପାଇଁ ଗୌତମ ବୁଦ୍ଧ ସଂସ୍କୃତି ଭବନଠାରେ UPMP ପୋର୍ଟାଲର ଜିଲ୍ଲା ସ୍ତରୀୟ ଶୁଭାରମ୍ଭ

ଯାଜପୁର, ୧୧/୧୧/୨୦୨୬(ଓଡ଼ିଶା ସମାଚାର)-ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବାଲେଶ୍ୱରଠାରେ ରାଜ୍ୟସ୍ତରୀୟ UPMP ପୋର୍ଟାଲ ଉନ୍ମୋଚନ କରିବା ପରେ, ଆଜି ଯାଜପୁର ସହରସ୍ଥିତ ଗୌତମ ବୁଦ୍ଧ ସଂସ୍କୃତି ଭବନଠାରେ ମଧୁବାବୁ ପେନସନ ଯୋଜନାର ସମ୍ପୂର୍ଣ୍ଣତା ଶୁଭାରମ୍ଭ ତଥା Unified Pension Management Portal (UPMP) ର ଜିଲ୍ଲା ସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି।

ଏହି ଜିଲ୍ଲା ସ୍ତରୀୟ ଉତ୍ସବରେ ମାନ୍ୟବର ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ UPMP ପୋର୍ଟାଲର ଜିଲ୍ଲା ସ୍ତରୀୟ ଉନ୍ମୋଚନ କରିବା ସହ ନୂତନ ହିତାଧିକାରୀମାନଙ୍କୁ ପେନସନ ଭତ୍ତା ବଣ୍ଟନର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ମାନ୍ୟବର ଯାଜପୁର ସାଂସଦ ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରା ମଧ୍ୟ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ବିଶେଷ ଅବସରରେ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ମାନ୍ୟବର ମନ୍ତ୍ରୀ ଏବଂ ମାନ୍ୟବର ସାଂସଦଙ୍କ ଦ୍ୱାରା ‘ଏକୀକୃତ ପେନସନ୍ ପରିଚାଳନା ପୋର୍ଟାଲ୍’ (UPMP) ସଚେତନତା ପରିକ୍ରମା ରଥର ଶୁଭାରମ୍ଭ କରାଯାଇଥିଲା।

ସଭାରେ ମୁଖ୍ୟ ଅତିଥି ଶ୍ରୀ ପ୍ରଦୀପ ବଳ ସାମନ୍ତ କହିଥିଲେ ଯେ, ରାଜ୍ୟ ସରକାରଙ୍କ ଦ୍ୱାରା ପୂର୍ବର ଅମାନବୀୟ ଓ ସମ୍ବେଦନହୀନ କୋଟା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ସମାପ୍ତ କରାଯାଇ ସବୁ ଯୋଗ୍ୟ ବ୍ୟକ୍ତିଙ୍କୁ ପେନସନ ଦେବାର ଯୁଗ ଆରମ୍ଭ ହୋଇଛି। ଆଜି ଯାଜପୁର ଜିଲ୍ଲାର ୧୦ଟି ବ୍ଲକ୍ ଓ ୨ଟି ପୌରାଞ୍ଚଳର ମୋଟ ୩୦,୭୮୭ ଜଣ ନୂଆ ଯୋଗ୍ୟ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯାଇଛି, ଯାହାଦ୍ୱାରା ଜିଲ୍ଲାରେ ମୋଟ ପେନସନ ହିତାଧିକାରୀଙ୍କ ସଂଖ୍ୟା (MBPY ଓ NSAP ମିଶାଇ) ୨,୭୭,୯୬୦ ରେ ପହଞ୍ଚିଛି ଏବଂ ଜିଲ୍ଲା ସାମାଜିକ ସୁରକ୍ଷା କ୍ଷେତ୍ରରେ ସମ୍ପୂର୍ଣ୍ଣତା ବା ସାଚୁରେଶନ ହାସଲ କରିଛି।

ଏହି କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ଅବଗତି ଓ ସଚେତନତା ପାଇଁ UPMP (Unified Pension Management Portal) ର କାର୍ଯ୍ୟକାରିତା ଓ ଆବେଦନ ପ୍ରକ୍ରିୟା ସମ୍ବନ୍ଧୀୟ ଏକ ସଚେତନତା ଭିଡିଓ ପ୍ରୋଜେକ୍ଟର ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା। ଏହି ପୋର୍ଟାଲ ଏବଂ upmp.gov.in ମାଧ୍ୟମରେ ଆବେଦନକାରୀମାନେ ନିକଟସ୍ଥ ଜନସେବା କେନ୍ଦ୍ର (CSC) କିମ୍ବା ବିଡିଓ କାର୍ଯ୍ୟାଳୟ ଜରିଆରେ ସ୍ୱଚ୍ଛତା ସହ ଅନଲାଇନ୍ ଆବେଦନ କରିପାରିବେ ଏବଂ ୮୦ ବର୍ଷ ବୟସ ପୂର୍ଣ୍ଣ ହେଲେ ସ୍ୱୟଂକ୍ରିୟ ଭାବେ ବର୍ଦ୍ଧିତ ୩,୫୦୦ ଟଙ୍କା ପେନସନ ଲାଗୁ ହେବ।

ସୂଚନାଯୋଗ୍ୟ ଯେ, ମୁଖ୍ୟ କାର୍ଯ୍ୟକ୍ରମ ଶେଷ ହେବା ପରେ ଯାଜପୁର ଜିଲ୍ଲାର ୧୦ଟି ବ୍ଲକରୁ ଆସିଥିବା ନୂତନ ହିତାଧିକାରୀମାନଙ୍କୁ ପ୍ରତ୍ୟକ୍ଷ ଭାବେ ନଗଦ ପେନସନ ଭତ୍ତା ପ୍ରଦାନ କରାଯାଇଥିଲା। ଏହାସହ ନଭେମ୍ବର ୧୩ ଏବଂ ୧୪ ତାରିଖ ମଧ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ଲକ ସ୍ତରରେ UPMP ପୋର୍ଟାଲ ଓ ମଧୁବାବୁ ପେନସନ ଯୋଜନାର ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ  ଶ୍ରୀ ଯୁଧିଷ୍ଠିର ନାୟକ, ଉପ-ଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୁରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ  ଶ୍ରୀମତୀ ଜାନକୀ ହେମ୍ବ୍ରମ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ ଏବଂ ଅତିରିକ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅଭିନାଶ ସାଗରଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ବ୍ଲକ ପ୍ରତିନିଧି, ଗଣମାଧ୍ୟମର ପ୍ରତିନିଧି ଏବଂ ବହୁ ସଂଖ୍ୟାରେ ହିତାଧିକାରୀ ଉପସ୍ଥିତ ଥିଲେ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *