ଅଣସ୍ୱୀକୃତିପ୍ରାପ୍ତ ନିଶା ଜୀବନ ନାଶକ”: ନିଶା କାରବାର ରୋକିବାକୁ ଜିଲ୍ଲାପାଳଙ୍କ କଡ଼ା ଆଭିମୁଖ୍ୟ

 ତୃଣମୂଳ ସ୍ତରରୁ ନିଶା ନିବାରଣ: ବିଡିଓଙ୍କ ନେତୃତ୍ୱରେ ଗଠନ ହେବ ବ୍ଲକ ସ୍ତରୀୟ କମିଟି

ନିଶା ମୁକ୍ତ ଭାରତ ଅଭିଯାନ: ସଚେତନତା ସହ କଠୋର ଯାଞ୍ଚ ଉପରେ ଜିଲ୍ଲା ପ୍ରଶାସନର ଗୁରୁତ୍ୱ

ଯାଜପୁର,୨୫/୧୧/୨୦୨୬(ଓଡ଼ିଶା ସମାଚାର) – ନିଶା ମୁକ୍ତ ଭାରତ ଅଭିଯାନ ଅଧୀନରେ ଯାଜପୁର ଜିଲ୍ଲା ସ୍ତରୀୟ ନିଶା ଚାହିଦା ହ୍ରାସ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ନିଶା କାରବାର ଓ ସେବନକୁ ରୋକିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଏବଂ ନିୟମିତ ଯାଞ୍ଚ ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରିବା ନିମନ୍ତେ ଏହି ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ କର ନିଶାର ଭୟାବହତା ଉପରେ ଗୁରୁତ୍ୱାରୋପ କରିବା ସହ କହିଥିଲେ ଯେ, “ଅଣସ୍ୱୀକୃତିପ୍ରାପ୍ତ ମଦ କ୍ଷତିକାରକ, କିନ୍ତୁ ଅଣସ୍ୱୀକୃତିପ୍ରାପ୍ତ ନିଶା ଦ୍ରବ୍ୟ ଅତ୍ୟନ୍ତ ମାରାତ୍ମକ ଓ ଜୀବନନାଶକ।” ନିଶା ଚାହିଦା ହ୍ରାସ ପାଇଁ ତୃଣମୂଳ ସ୍ତରରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ)ଙ୍କ ଅଧ୍ୟକ୍ଷତାରେ ପ୍ରତ୍ୟେକ ବ୍ଲକରେ ବ୍ଲକ ସ୍ତରୀୟ କମିଟି ଗଠନ କରାଯିବ। ଏହି କମିଟି କ୍ଷେତ୍ରସ୍ତରୀୟ ଯାଞ୍ଚ କରିବା ପରେ ଏକ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରି ଜିଲ୍ଲା ସ୍ତରୀୟ କମିଟିକୁ ସୁପାରିଶ କରିବେ। ଏହି ସୁପାରିଶ ଆଧାରରେ ପ୍ରତି ମାସରେ ବୈଠକ ବସିବା ସହ ତ୍ରୈମାସିକ ଯାଞ୍ଚକୁ ବାଧ୍ୟତାମୂଳକ କରାଯିବ। ଆଗାମୀ ୭ ଦିନ ମଧ୍ୟରେ ଉଭୟ ବ୍ଲକ ଏବଂ ଜିଲ୍ଲା ସ୍ତରୀୟ କମିଟି ଗଠନ କରି ଏ ସମ୍ପର୍କରେ ଅବଗତ କରାଇବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଜିଲ୍ଲା ସ୍ତରୀୟ ନିଶା ଚାହିଦା ହ୍ରାସ କମିଟିର ପ୍ରମୁଖ କାର୍ଯ୍ୟଧାରା ସମ୍ପର୍କରେ ବୈଠକରେ ସ୍ପଷ୍ଟ କରାଯାଇଛି। ଏହି କମିଟି ଜିଲ୍ଲା ପାଇଁ ନିଶା ଚାହିଦା ହ୍ରାସ ଯୋଜନା ପ୍ରସ୍ତୁତ କରିବା ସହ ବ୍ୟାପକ ପ୍ରତିରୋଧ ଓ ସଚେତନତା ସୃଷ୍ଟି କରିବ। ନିଶାଗ୍ରସ୍ତ ବ୍ୟକ୍ତିଙ୍କୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଚିହ୍ନଟ କରି ଉପଯୁକ୍ତ ଚିକିତ୍ସା କେନ୍ଦ୍ରକୁ ପଠାଇବା, ଚିକିତ୍ସା ଓ ଥଇଥାନ ବ୍ୟବସ୍ଥାର ତଦାରଖ କରିବା ଏବଂ ତ୍ରୈମାସିକ ଭିତ୍ତିରେ ବିଭିନ୍ନ କେନ୍ଦ୍ରଗୁଡ଼ିକର ଯାଞ୍ଚ କରିବା ଏହି କମିଟିର ଦାୟିତ୍ୱ ରହିବ। ଏହା ବ୍ୟତୀତ ଗୋଷ୍ଠୀ ଭିତ୍ତିକ କାର୍ଯ୍ୟକ୍ରମ, ତଥ୍ୟ ସଂଗ୍ରହ ଓ ରିପୋର୍ଟିଂ, ବ୍ଲକ ସ୍ତରୀୟ କମିଟି ତଥା ‘ନିଶା ମୁକ୍ତି ମିତ୍ର’ଙ୍କ କାର୍ଯ୍ୟର ସମୀକ୍ଷା ଏବଂ ନିଶାମୁକ୍ତ ହୋଇଥିବା ବ୍ୟକ୍ତିମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଦକ୍ଷତା ବିକାଶ ସୁଯୋଗ ଯୋଗାଇ ଦେବା ଦିଗରେ କମିଟି କାର୍ଯ୍ୟ କରିବ।

ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ଯୁଧିଷ୍ଠିର ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ଶିବାନନ୍ଦ ସ୍ୱାଇଁ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ରତିକାନ୍ତ ଗିରି, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ନଗେନ୍ଦ୍ରନାଥ ମହାପାତ୍ର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଜାନକୀ ହେମ୍ବ୍ରମଙ୍କ ସମେତ ବିଭିନ୍ନ ସମ୍ପୃକ୍ତ ବିଭାଗର ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

-0-

ଅଭିନାଶ ସାଗର,ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *