ଯାଜପୁର ଜିଲ୍ଲାରେ ‘ବ୍ୟାପକ ସୁଗମତା କାର୍ଯ୍ୟଖସଡ଼ା’ ପ୍ରସ୍ତୁତି ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ

ସମସ୍ତ ସରକାରୀ ଓ ସର୍ବସାଧାରଣ କୋଠାକୁ ସମ୍ପୂର୍ଣ୍ଣ ବାଧାମୁକ୍ତ ଓ ଭିନ୍ନକ୍ଷମ-ଅନୁକୂଳ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଛୋଟ ଛୋଟ ପରିବର୍ତ୍ତନ ହିଁ ବଡ଼ ପାର୍ଥକ୍ୟ ଆଣିଥାଏ – ଜିଲ୍ଲାପାଳ

ଯାଜପୁର,୨୫/୧୧/୨୦୨୬(ଓଡ଼ିଶା ସମାଚାର) – ଯାଜପୁର ଜିଲ୍ଲାରେ ଭିନ୍ନକ୍ଷମ ବ୍ୟକ୍ତିବିଶେଷଙ୍କ ପାଇଁ ଏକ ସମ୍ପୂର୍ଣ୍ଣ ବାଧାମୁକ୍ତ ଓ ସୁଗମ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ ‘ବ୍ୟାପକ ସୁଗମତା କାର୍ଯ୍ୟଖସଡ଼ା’ (Comprehensive Accessibility Action Plan) ପ୍ରସ୍ତୁତି ନିମନ୍ତେ ଆଜି ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ, ସର୍ବସାଧାରଣ କୋଠା, ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ, ବ୍ୟାଙ୍କ ଓ ଆର୍ଥିକ ପ୍ରତିଷ୍ଠାନ, ଡାକ୍ତରଖାନା ଓ ସ୍ୱାସ୍ଥ୍ୟକେନ୍ଦ୍ର, ପରିବହନ ବ୍ୟବସ୍ଥା, ପର୍ଯ୍ୟଟନ ଓ ଐତିହ୍ୟ ସ୍ଥଳୀ, କ୍ରୀଡ଼ା ଓ ମନୋରଞ୍ଜନ କେନ୍ଦ୍ର ଏବଂ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକୁ ଭିନ୍ନକ୍ଷମ-ଅନୁକୂଳ କରିବା ପାଇଁ ଜିଲ୍ଲାପାଳଙ୍କ ପକ୍ଷରୁ ଅନୁରୋଧ ପତ୍ର ପଠାଯାଇଛି। ଆସନ୍ତା ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ସୁଦ୍ଧା ଏହି ସମସ୍ତ ଅନୁଷ୍ଠାନଗୁଡ଼ିକ ସେମାନଙ୍କର ବ୍ୟାପକ ସୁଗମତା କାର୍ଯ୍ୟଖସଡ଼ା ସମ୍ପର୍କିତ ଅନୁପାଳନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବୈଠକର ନିଷ୍ପତ୍ତି ଅନୁଯାୟୀ, ପ୍ରତ୍ୟେକ ବ୍ଲକ୍ ସ୍ତରରେ ସ୍ୱତନ୍ତ୍ର ବୈଠକ କରାଯାଇ କେତେଗୋଟି କୋଠା ସମ୍ପୂର୍ଣ୍ଣ ଭାବେ ଭିନ୍ନକ୍ଷମଙ୍କ ପାଇଁ ଉପଯୋଗୀ ହୋଇପାରିଛି, ତାହାର ସମୀକ୍ଷା କରାଯିବ। ସମସ୍ତ କୋଠାରେ ନିର୍ଦ୍ଧାରିତ ମାପର ରାମ୍ପ, ରେଲିଂ, ହ୍ୱିଲଚେୟାର ଏବଂ ଭିନ୍ନକ୍ଷମ-ଅନୁକୂଳ ଶୌଚାଳୟ ଭଳି ମୌଳିକ ସୁବିଧା ଉପଲବ୍ଧ କରାଇବା ସହ ସରକାରୀ ଅନୁଦାନର ସଠିକ୍ ବିନିଯୋଗ ଉପରେ ଧ୍ୟାନ ଦିଆଯିବ। ଏହା ସହିତ କାର୍ଯ୍ୟର ଅଗ୍ରଗତି, ଆହ୍ୱାନ ଏବଂ ଆଗାମୀ ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରିବା ପାଇଁ ଏକ ଜିଲ୍ଲା ସ୍ତରୀୟ ଟାସ୍କଫୋର୍ସ କମିଟି ଗଠନ କରାଯିବ, ଯାହାର ପ୍ରଥମ ବୈଠକ ଆସନ୍ତା ଜାନୁଆରୀ ମାସର ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ।

ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର କହିଥିଲେ ଯେ, “ଛୋଟ ଛୋଟ ପରିବର୍ତ୍ତନ ହିଁ ବଡ଼ ପାର୍ଥକ୍ୟ ଆଣିଥାଏ।” ଆନ୍ତରିକତା ଓ ନିଷ୍ଠାର ସହ ନିଆଯାଉଥିବା ଛୋଟ ଛୋଟ ପଦକ୍ଷେପ ଭିନ୍ନକ୍ଷମ ଭାଇଭଉଣୀମାନଙ୍କ ଜୀବନଶୈଳୀରେ ବଡ଼ ସକାରାତ୍ମକ ପରିବର୍ତ୍ତନ ଆଣିପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ।

ଆଜିର ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ଯୁଧିଷ୍ଠିର ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ଶିବାନନ୍ଦ ସ୍ୱାଇଁ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ରତିକାନ୍ତ ଗିରି, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ନଗେନ୍ଦ୍ରନାଥ ମହାପାତ୍ର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଜାନକୀ ହେମ୍ବ୍ରମ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପାର୍ବତୀ ସାହୁ, ସ୍ବେଛାସେବୀ ମଣ୍ଟୁ ଦାସଙ୍କ ସମେତ ବିଭିନ୍ନ ଲାଇନ୍ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

-0-

ଅଭିନାଶ ସାଗର,ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *