ଲିଙ୍ଗଗତ ହିଂସା ବିରୁଦ୍ଧରେ ୧୬ ଦିନିଆ ସଚେତନତା ଅଭିଯାନର ଶୁଭାରମ୍ଭ

 ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରା ଜିଲ୍ଲାସ୍ତରୀୟ ସଚେତନତା ଶୋଭାଯାତ୍ରାର ଉଦଘାଟନ

 ମହିଳାଙ୍କ ସୁରକ୍ଷା ଓ ନ୍ୟାୟ ପାଇଁ ସଂସ୍କୃତି ଭବନରେ ଶପଥ ପାଠ

ଯାଜପୁର,୨୫/୧୧/୨୦୨୬(ଓଡ଼ିଶା ସମାଚାର) – ଲିଙ୍ଗଗତ ହିଂସା ବିରୁଦ୍ଧରେ ଯାଜପୁର ଜିଲ୍ଲାରେ ଆଜିଠାରୁ ୧୬ ଦିନିଆ ସଚେତନତା ଅଭିଯାନର ଶୁଭାରମ୍ଭ ହୋଇଛି। ଜିଲ୍ଲା ପ୍ରଶାସନ ଓ ସମାଜ କଲ୍ୟାଣ ବିଭାଗର ମିଳିତ ଆନୁକୂଲ୍ୟରେ ତଥା ଜିଲ୍ଲା ମହିଳା ସଶକ୍ତିକରଣ ହବ୍ (DHEW) ଏବଂ ୱାନ୍ ଷ୍ଟପ୍ ସେଣ୍ଟରର ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀଯୁକ୍ତ ଯୁଧିଷ୍ଠିର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ “ପ୍ରତ୍ୟେକ ମହିଳାଙ୍କ ପାଇଁ ନ୍ୟାୟ” ବାର୍ତ୍ତା ନେଇ ଆୟୋଜିତ ଜିଲ୍ଲାସ୍ତରୀୟ ସଚେତନତା ଶୋଭାଯାତ୍ରାର ଉଦଘାଟନକୁ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଶ୍ରୀ ଦିବ୍ୟ ଭୂଷଣ ମହାନ୍ତିଙ୍କ ଉପସ୍ଥିତରେ କରିଥିଲେ।

ଏହି ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ମେଡିକାଲ ଛକ ପର୍ଯ୍ୟନ୍ତ ଯାଇଥିଲା ଏବଂ ସେଠାରୁ ପୁନର୍ବାର ଫେରିଥିଲା। ଏଥିରେ ଅଙ୍ଗନୱାଡି କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର ସଦସ୍ୟା, କିଶୋରୀ ବାଳିକା, ଟ୍ରାନ୍ସଜେଣ୍ଡର ସମୁଦାୟର ସଦସ୍ୟ ଏବଂ ବିଭିନ୍ନ ସରକାରୀ ଅଧିକାରୀଙ୍କ ସମେତ ୧୦୦ରୁ ଅଧିକ ମହିଳା ଅଂଶଗ୍ରହଣ କରିଥିଲେ। ଶୋଭାଯାତ୍ରାରେ ଅଂଶଗ୍ରହଣକାରୀମାନେ ହାତରେ ପ୍ଲାକାର୍ଡ ଧରି “ସମାଜ ବଦଳିବ ସେତେବେଳେ, ଯେତେବେଳେ ନାରୀ ସୁରକ୍ଷିତ ରହିବ”, “ହିଂସା ନୁହେଁ ପ୍ରେମ ଦରକାର, ନାରୀଙ୍କୁ ସମ୍ମାନ ଦରକାର” ଏବଂ “ହିଂସାର ଜବାବ ଏକତା ଓ ନ୍ୟାୟରେ ଦିଅ” ଭଳି ବିଭିନ୍ନ ସଚେତନତାମୂଳକ ସ୍ଲୋଗାନ ଦେଇ ଜନସାଧାରଣଙ୍କୁ ସଚେତନ କରାଇଥିଲେ।

ଜନସାଧାରଣଙ୍କ ସୁବିଧା ଓ ସୁରକ୍ଷା ନିମନ୍ତେ ବିଭିନ୍ନ ବ୍ୟାନର ମାଧ୍ୟମରେ ଜରୁରୀକାଳୀନ ହେଲ୍ପଲାଇନ ନମ୍ବର ଯଥା- ମହିଳା ହେଲ୍ପଲାଇନ (୧୮୧), ଚାଇଲ୍ଡ ହେଲ୍ପଲାଇନ (୧୦୯୮) ଏବଂ ଜରୁରୀକାଳୀନ ପୋଲିସ ସହାୟତା (୧୧୨) ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା। ଏହା ସହିତ ସୋସିଆଲ ମିଡିଆରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ #noexcuse ଏବଂ #orangetheworld ହ୍ୟାସଟ୍ୟାଗର ବ୍ୟବହାର କରାଯାଇଛି।

ଶୋଭାଯାତ୍ରା ପରେ ସଂସ୍କୃତି ଭବନଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ସେଠାରେ ଉପସ୍ଥିତ ସମସ୍ତ ସଦସ୍ୟ “ମହିଳାଙ୍କ ଉପରେ ଅତ୍ୟାଚାର କରୁଥିବା କୌଣସି ବ୍ୟକ୍ତି ଦଣ୍ଡରୁ ବର୍ତ୍ତି ପାରିବେ ନାହିଁ” ବୋଲି ଶପଥ ଗ୍ରହଣ କରିଥିଲେ। ଆଜିଠାରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଆଗାମୀ ୧୫ ଦିନ ଧରି ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ଜାରି ରହିବ ଏବଂ ଆସନ୍ତା ଡିସେମ୍ବର ୧୬ ତାରିଖରେ ଉଦଯାପିତ ହେବ।

-0-

ଅଭିନାଶ ସାଗର ,ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଯାଜପୁର ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *