ଭରତୀ ପାହାଡରେ ବେଆଇନ ବ୍ଲାଷ୍ଟିଂ ଯୋଗୁ ବନ୍ୟଜନ୍ତୁମାନେ ସହର ମୁହାଁ

                                                               ବାରହା ଆକ୍ରମଣରେ ଚାଷୀ ଗୁରୁତର

ଭୁବନ ୨୩/୧୨/୨୦୨୫ (ଓଡ଼ିଶା ସମାଚାର)-  ଭୁବନ ସହର ଉପକଣ୍ଠସ୍ଥ ଭରତୀ ପାହାଡ଼ରେ ବେଆଇନ ଭାବେ ଦୀର୍ଘଦିନ ଧରି ଚାଲିଥିବା ଅବୈଧ ପଥର ଖନନ ଓ ବ୍ଲାଷ୍ଟିଂ ଯୋଗୁ ବନ୍ୟଜନ୍ତୁଙ୍କ ପାଇଁ ଭୟଙ୍କର ସଙ୍କଟ ସୃଷ୍ଟି କରିଛି। ଜଙ୍ଗଲ ପରିବେଶ ଧ୍ଵଂସ ହେଉଥିବାରୁ ଖାଦ୍ୟ ଓ ସୁରକ୍ଷିତ ଆଶ୍ରୟ ପାଇଁ ବନ୍ୟଜନ୍ତୁମାନେ ସହର ମୁହାଁ ହେଉଛନ୍ତି । ଗତ ସପ୍ତାହରେ ଭୁବନ ଥାନା ନିକଟରେ ରାତି ସମୟରେ ରାସ୍ତା ଅତିକ୍ରମ କରୁଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁ ମୃତ୍ୟୁ ହୋଇଥିଲା ବେଳେ ଆଜି ମଙ୍ଗଳବାର ଏକ ବାରହା ଆକ୍ରମଣରେ ଜଣେ ଚାଷୀ ଗୁରୁତର ଆହତ ହୋଇ ଢେ଼ଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର ହୋଇଥିବା ଜଣାପଡିଛି ।

ପ୍ରାପ୍ତ ସୂଚନା ଅନୁଯାୟୀ ଭୁବନ ଥାନା ଅନ୍ତର୍ଗତ ଅନନ୍ତପୁର ଗ୍ରାମର ଛବି ପାତ୍ର (୫୦) ନାମକ ଜନୈକ ଚାଷୀ ବିଲ ରେ ଧାନ କାଟୁଥିବା ବେଳେ ଆଜି ମଧ୍ୟାହ୍ନ ସମୟରେ ଏକ ବାରହା ତାଙ୍କୁ ଆକ୍ରମଣ କରିଥିଲା । ବାରହା ଆକ୍ରମଣରେ ତାଙ୍କ ହାତ,ଗୋଡ, ମୁହଁ ଓ ପେଟରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ସ୍ଥାନୀୟ ଲୋକ ହୋ ହାଲ୍ଲା କରି ବାରହା କୁ ଘଉଡାଇ ଦେଇଥିଲେ। ଆହତ ଛବି ଙ୍କୁ ପୂର୍ବତନ ନଗରପାଳ ଶୁଭେନ୍ଦୁ ସାହୁ ଙ୍କ ସହଯୋଗରେ ଭୁବନ ଡାକ୍ତର ଖାନା ରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।

ଭରତୀ ପାହାଡ ମୁଖ୍ୟତଃ ବାରହା ଓ ଭାଲୁ ଙ୍କ ସୁରକ୍ଷିତ ଆଶ୍ରୟ ସ୍ଥଳ ହୋଇଥିବା ବେଳେ ବ୍ଲାଷ୍ଟିଁ ଯୋଗୁ ବନ୍ୟପ୍ରାଣୀ ମାନେ ଏବେ ସହର ଓ ଜନ ବସତି ମୁହାଁ ହେଉଛନ୍ତି । କେତେବେଳେ ବନ୍ୟଜନ୍ତୁ ମୃତ୍ୟୁ ବରଣ କରୁଛନ୍ତି ତ ଆଉ କେତେବେଳେ ବନ୍ୟ ଜନ୍ତୁ ଙ୍କ ଆକ୍ରମଣରେ ଜନ ସାଧାରଣ ଗୁରୁତର ଆହତ ହେଉଛନ୍ତି । ବାରମ୍ବାର ଅଭିଯୋଗ ସତ୍ବେ ପ୍ରଶାସନ ଭରତୀ ପାହାଡ଼ରେ ବେଆଇନ ବ୍ଲାଷ୍ଟି କୁ ବନ୍ଦ କରୁ ନଥିବାରୁ ବୁଦ୍ଧିଜୀବୀ ଓ ପରିବେଶ ପ୍ରେମୀ ମାନେ ମଧ୍ୟ ଏହି ଘଟଣାକୁ ନେଇ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି । ମାଫିଆଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଓ ବନ୍ୟଜନ୍ତୁ ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *