* ଡିସେମ୍ବର ୩ ତାରିଖରେ ଜିଲ୍ଲା ସଦର ମହକୁମାଠାରେ ୱାକାଥନ୍, କ୍ରୀଡ଼ା ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ
* ଭିନ୍ନକ୍ଷମ ବିଦ୍ୟାଳୟଗୁଡ଼ିକର ନିୟମିତ ପରିଦର୍ଶନ କରି ରିପୋର୍ଟ ଦେବାକୁ ବି.ଏସ୍.ଏସ୍.ଓ (BSSO) ମାନଙ୍କୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
ଯାଜପୁର, ୨୫/୧୧/୨୦୨୬(ଓଡ଼ିଶା ସମାଚାର) – ଆଜି ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷଠାରେ ଆଗାମୀ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ-୨୦୨୬ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଅମ୍ବର କୁମାର କର ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ।
ବୈଠକର ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ଡିସେମ୍ବର ୩ ତାରିଖ ସକାଳେ ଜିଲ୍ଲା ସଦର ମହକୁମାଠାରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ସମସ୍ୟା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ଏକ ୱାକାଥନ୍ (ଗଣଦୌଡ଼) ଆୟୋଜନ କରାଯିବ। ଏଥିରେ ୧୮ ବର୍ଷରୁ କମ୍ ବୟସର ୩୪୮ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ସମେତ ସାଧାରଣ ନାଗରିକ ଏବଂ ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତିମାନେ ବ୍ୟାନର ଓ ପ୍ଲାକାର୍ଡ ଧରି ଅଂଶଗ୍ରହଣ କରିବେ। ଦିବସ ପାଳନ ପୂର୍ବରୁ ଜିଲ୍ଲାର ସମସ୍ତ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଭିନ୍ନକ୍ଷମ ପ୍ରସଙ୍ଗକୁ ନେଇ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେବ ଏବଂ ଉଭୟ ବିଭାଗରୁ ୩ ଜଣ ଲେଖାଏଁ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ।
ଏହା ସହିତ, ଡିସେମ୍ବର ୩ ତାରିଖରେ ସ୍ୱତନ୍ତ୍ର ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ଜିଲ୍ଲା କ୍ରୀଡ଼ା ଅଧିକାରୀ, ପି.ଇ.ଟି (PET) ଏବଂ ଜିଲ୍ଲା କ୍ରୀଡ଼ା ସଂଘର ସହାୟତାରେ ଏକ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯିବ। ସେହିଦିନ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହେବ, ଯେଉଁଥିରେ ଜିଲ୍ଲାର ବିଶିଷ୍ଟ ଭିନ୍ନକ୍ଷମ କଳାକାର, ସ୍ୱତନ୍ତ୍ର ବିଦ୍ୟାଳୟର ଛାତ୍ରଛାତ୍ରୀ, ତୃତୀୟଲିଙ୍ଗୀ ଏବଂ ବିଭାଗୀୟ ହିତାଧିକାରୀମାନେ ନୃତ୍ୟ, ସଙ୍ଗୀତ ଓ ନାଟକ ପରିବେଷଣ କରିବେ। ଏହି ସାଂସ୍କୃତିକ ଉତ୍ସବରେ କ୍ରୀଡ଼ା ଓ ଅନ୍ୟାନ୍ୟ ପ୍ରତିଯୋଗିତାର କୃତୀ ବିଜେତାମାନଙ୍କୁ ପୁରସ୍କୃତ କରାଯିବା ସହ ଭିନ୍ନକ୍ଷମ ସ୍ୱୟଂ ସହାୟକ ଗୋଷ୍ଠୀ (SHG) ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ବିକ୍ରୟ ପାଇଁ ଷ୍ଟଲ୍ ଖୋଲାଯିବ।
ଅନ୍ୟପକ୍ଷରେ, ଜିଲ୍ଲାରେ କାର୍ଯ୍ୟରତ ଭିନ୍ନକ୍ଷମ ବିଦ୍ୟାଳୟଗୁଡ଼ିକର ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି। ସମସ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ (BSSO) ମାନେ ନିୟମିତ ଭାବେ ନିଜ ଅଞ୍ଚଳର ଭିନ୍ନକ୍ଷମ ବିଦ୍ୟାଳୟଗୁଡ଼ିକ ପରିଦର୍ଶନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟାଳୟରେ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ଉପସ୍ଥାନ, କର୍ମଚାରୀଙ୍କ ବ୍ୟବହାର, ଛାତ୍ରଛାତ୍ରୀଙ୍କ ପାଇଁ ଥିବା ମୌଳିକ ସୁବିଧା, ହିସାବପତ୍ର ଏବଂ ସରକାରୀ ଅନୁଦାନର ସଠିକ୍ ବିନିଯୋଗ ଆଦି ଦିଗକୁ ତଦାରଖ କରି ଯଥାଶୀଘ୍ର ଏକ ଅନୁପାଳନ ରିପୋର୍ଟ (Compliance Report) ଦାଖଲ କରିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି।
ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ଯୁଧିଷ୍ଠିର ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ଶିବାନନ୍ଦ ସ୍ୱାଇଁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ (DSSO) ଶ୍ରୀମତୀ ଜାନକୀ ହେମ୍ବ୍ରମଙ୍କ ସମେତ ସମସ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ (BSSO) ଏବଂ ଜିଲ୍ଲାର ବିଭିନ୍ନ ସ୍ୱତନ୍ତ୍ର ବିଦ୍ୟାଳୟର ସମ୍ପାଦକମାନେ ଉପସ୍ଥିତ ଥିଲେ।
-0-
ଅଭିନାଶ ସାଗର ,ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
