କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ

ଶୁଭମ ସଭାପତି, ଶୁଭେନ୍ଦୁବିକାଶ ସାଧାରଣ ସଂପାଦିକା
କେନ୍ଦ୍ରାପଡ଼ା,୧୫/୧୦/୨୦୨୬(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅନୁଷ୍ଠିତ ଛାତ୍ର ସଂସଦ ନିର୍ବାଚନରେ ଯୁକ୍ତ ୩ ତୃତୀୟ ବର୍ଷ(ବିଜ୍ଞାନ) ଛାତ୍ର ଶୁଭମରଞ୍ଜନ ଦାସ ସଭାପତି ପଦରେ ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତୁଳସୀ ମଲ୍ଲିକଙ୍କୁ ୭୬ ଭୋଟରେ ପରାସ୍ତ କରିଛନ୍ତି । ସାଧାରଣ ସଂପାଦକ ପଦରେ ଯୁକ୍ତ ୩ ତୃତୀୟ ବର୍ଷ(କଳା)ର ଛାତ୍ର ଶୁଭେନ୍ଦୁ ବିକାଶ ମଲ୍ଲିକ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ୨୨୫ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଉପସଭାପତି ପଦରେ ଯୁକ୍ତ ୩ ପ୍ରଥମ ବର୍ଷ(କଳା)ର ଛାତ୍ର ଓମ ପ୍ରକାଶ ଦାସ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ୮୧୪ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ସହକାରୀ ସାଧାରଣ ସଂପାଦକ ପଦରେ ଯୁକ୍ତ ୩ ଦ୍ୱିତୀୟ ବର୍ଷ(ବାଣିଜ୍ୟ)ର ଛାତ୍ର ମହମ୍ମଦ ଆୱାସ ତାଙ୍କ ନିକଟମ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ୧୮୦ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ନାଟ୍ୟ ସଂସଦ ସଂପାଦକ ପଦରେ ଯୁକ୍ତ ୩ ତୃତୀୟ ବର୍ଷ(ବାଣିଜ୍ୟ)ର ଛାତ୍ରୀ ଦେବସ୍ମିତା ପି. ସୁତାର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ୧୪୦ ଖଣ୍ଡ ଭୋଟରେ ବିଜୟୀ ହୋଇଥିବା ବେଳେ କ୍ରୀଡ଼ା ସଂସଦ ସଂପାଦକ ପଦରେ ଯୁକ୍ତ ୩ ତୃତୀୟ ବର୍ଷ(ବିଜ୍ଞାନ)ର ଛାତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ମଲ୍ଲିକ ତାଙ୍କ ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀଙ୍କ ଠାରୁ ୨୪୧ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି ।

ଛାତ୍ର ସଂସଦର ଶ୍ରେଣୀ ପ୍ରତିନିଧି ପଦରେ ଯୁକ୍ତ ୩ ଦ୍ୱିତୀୟ ବର୍ଷ(ବାଣିଜ୍ୟ)ର ଛାତ୍ରୀ ବର୍ଷାରାଣୀ ସ୍ୱାଇଁ ବିଜୟ ହୋଇଛନ୍ତି । କଲେଜ ପତ୍ରିକାର ଛାତ୍ର ପ୍ରତିନିଧି ଭାବେ ଯୁକ୍ତ ୩ ତୃତୀୟ ବର୍ଷ(କଳା) ଜିତ୍ ପ୍ରସାଦ ରାଉତ ବିଜୟୀ ହୋଇଛନ୍ତି । କ୍ରୀଡ଼ା ସଂସଦ ସହକାରୀ ସଂପାଦକ ପଦରେ ଯୁକ୍ତ ୩ ଦ୍ୱିତୀୟ ବର୍ଷ(କଳା)ର ଛାତ୍ର ଆଲୋକ ଲେଙ୍କା ବିଜୟୀ ହୋଇଛନ୍ତି । ବାଳିକା କମନ ରୁମ ସଂପାଦିକା ଭାବେ ଯୁକ୍ତ ୩ ତୃତୀୟ ବର୍ଷ(ବାଣିଜ୍ୟ)ର ଛାତ୍ରୀ ପ୍ରିୟଦର୍ଶିନୀ ମଣ୍ଡୁ ବିଜୟୀ ହୋଇଛନ୍ତି ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷ ଚିରଞ୍ଜନ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଗୁରୁବାର ସମୁଦାୟ ୨୫୯୬ ଛାତ୍ରଛାତ୍ରୀ ଭୋଟ ଦେଇଥିଲେ । ଏହା ସମୁଦାୟ ଛାତ୍ରଛାତ୍ରୀ ସଂଖ୍ୟାର ୬୮.୪୬ ପ୍ରତିଶତ ବୋଲି ମହାବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସକାଳ ୮ଟାରୁ ଭୋଟଦାନ ଆରମ୍ଭ ହୋଇ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଚାଲିଥିଲା । ଏହାପରେ ଭୋଟ ଗଣତି ଆରମ୍ଭ ହୋଇଥିଲା । ଭୋଟ ଗଣତି ଶେଷ ହେବା ବେଳକୁ ରାତି ୮ଟା ହୋଇ ଯାଇଥିଲା । ରାତି ୯ଟାରେ ବିଜୟୀ ପ୍ରାର୍ଥୀଙ୍କ ସଂକ୍ରାନ୍ତରେ ମହାବିଦ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବିଜୟୀ ପ୍ରାର୍ଥୀମାନେ ଯେଉଁ ଦଳର ସମର୍ଥନରେ ନିର୍ବାଚନ ଜିତିଥିଲେ ସେହି ଦଳର ଯୁବ ନେତାମାନେ ମହାବିଦ୍ୟାଳୟ ମୁଖ୍ୟ ଫାଟକ ନିକଟକୁ ଆସି ବିଜୟୀ ପ୍ରାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଏହାସହ ଦଳୀୟ ନେତାମାନେ ନିଜ ସମର୍ଥନରେ ବିଜୟୀ ହୋଇଥିବା ପ୍ରାର୍ଥୀଙ୍କ ସହ ବାଇକ ଶୋଭାଯାତ୍ରା କରିଥିଲେ । ଏହାକୁ ନେଇ ତିନିମୁହାଣୀ, ନୂଆ ବସଷ୍ଟାଣ୍ଡ, ପୁରୁଣା ବସଷ୍ଟାଣ୍ଡ ପ୍ରମୁଖ ସ୍ଥାନରେ ପ୍ରବଳ ଭିଡ଼ ଅନୁଭୂତ ହୋଇଥିଲା । ଭିଡ଼ ନିୟନ୍ତ୍ରଣ ପାଇଁ ଟାଉନ୍ ଥାନା ଇନ୍ସପେକ୍ଟର ଶୁଭେନ୍ଦୁ କୁମାର ସାହୁ, ଏସଡିପିଓ ଜ୍ୟୋତିରଞ୍ଜନ ଗୌଡ଼, ଏଏସଆଇ ଅଶୋକ ମାଝୀ, ତିନିମୁହାଣୀ ଫାଣ୍ଡି ଅଧିକାରୀ ନରେନ୍ଦ୍ରନାଥ ସୋରେନ ପ୍ରମୁଖଙ୍କ ସହ ପୁଲିସ ବଳ ମୁତୟନ ହୋଇଥିଲେ । ଫଳରେ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜି ନଥିଲା । ସମସ୍ତ ବିଜୟୀ ପ୍ରାର୍ଥୀ ବିଜୁ ଛାତ୍ର ଜନତା ଦଳ(ବିସିଜେଡି) ସମର୍ଥନରେ ବିଜୟୀ ହୋଇଛନ୍ତି ବୋଲି କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ଯୁବନେତା ରାଜେଶ ପଣ୍ଡା,ବିଜେଡି ଜିଲା ସଭାପତି ଶିବ ପ୍ରସାଦ ଭଳ, ରଞ୍ଜିତ ସାହୁ, ଶରତ କୁମାର ବେହୁରା, ପ୍ରଦୁ୍ୟମ୍ନ ଜେନା, ଲିପୁ ସାହୁ, ସ୍ୱରୂପ ରାଉତରାୟ, ପିଂଟୁ ମହାନ୍ତି, ମଂଟୁ ମହାନ୍ତି, ସ୍ୱାଧୀନ ନାୟକ ପ୍ରମୁଖ ବିଜେଡି ନେତାମାନେ ଗଣମାଧ୍ୟମକୁ କହିଛନ୍ତି ।

Leave a Reply

Your email address will not be published. Required fields are marked *