ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ କଲେଜ ଭୋଟ ଫଳାଫଳରୁ ପରିବର୍ତନ ସଂକେତ !

 ବିଜେଡିର ଜବରଦସ୍ତ ଏଣ୍ଟ୍ରି !!

ମାହାଙ୍ଗା,୧୫/୧୦/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )ମାହାଙ୍ଗା ନିର୍ବାଚନ ମଣ୍ଡଳୀର ୨ଟି ବ୍ଲକ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ଏହି ୨ଟିବ୍ଲକ ରେ ଥିବା ୪ ଟି ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ  ହୋଇଯାଇଛି । ୨ ଟି ମହାବିଦ୍ୟାଳୟରେ ସଭାପତି ପଦବୀ ସ୍ବାଧୀନ ଭାବେ ଜିତିଥିବା ତଥା ସରକାରଙ୍କ ସହଯୋଗୀ ବିଧାୟକ ଶାରଦା ପ୍ରଧାନଙ୍କ ମନୋନୀତ ପ୍ରାର୍ଥୀ ବିଜୟୀ ଘୋଷିତ ହୋଇଥିବା ବେଳେ, ଆଉ ୨ଟି ମହାବିଦ୍ୟାଳୟରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ପ୍ରତାପ ଜେନାଙ୍କ ସମର୍ଥିତ ସଭାପତି ପ୍ରାର୍ଥୀ ବାଜିମାତ କରିଛନ୍ତି ।

   ମାହାଙ୍ଗା ବ୍ଲକର ଜବାହରଲା ନେହେରୁ ମହାବିଦ୍ୟାଳୟ କୁଆଁପାଳ ପାଇଁ ଶାରଦା ଯେଉଁ ପ୍ରାର୍ଥୀ ମାନଙ୍କୁ ସମର୍ଥନ ଘୋଷଣା ପୂର୍ବକ କଳବଳ ଲଗାଇଥିଲେ,ତାହା ଫଳପ୍ରଦ ହୋଇପାରିଲା ନାହିଁ । ନିର୍ବାଚନରେ ସଭାପତି ଭାବେ ଇପ୍ସିତା ଖୁଣ୍ଟିଆ ବିଜୟୀ ହୋଇଥିବା ବେଳେ,ତାଙ୍କ ପ୍ୟାନେଲରୁ ଏକମାତ୍ର ସହ-ସମ୍ପାଦକ ପ୍ରାର୍ଥୀ ଚନ୍ଦ୍ରକାନ୍ତ ମହାନ୍ତି ଜିତିଛନ୍ତି । ଇପ୍ସିତାଙ୍କ ବାପାଙ୍କ ଦେହାନ୍ତ ଯୋଗୁଁ ଅନୁକମ୍ପା ଭୋଟ ତାଙ୍କ ସପକ୍ଷରେ ଯିବା ବିରୋଧି ଚର୍ଚ୍ଚା କରୁଛନ୍ତି ।

ସେହିପରି ବିଧାୟକଙ୍କ ନିଜ ପଞ୍ଚାୟତ ପୋଡାମରାଇ ରେ ରହିଥିବା ମାହାଙ୍ଗା ପୁଷ୍ପଗିରି ମହାବିଦ୍ୟାଳୟ ଏରକଣାରେ ବିଧାୟକଙ୍କ ସମର୍ଥିତ ପ୍ରାର୍ଥୀ ମାନେ ଏକାତରଫା ଭାବେ ନିର୍ବାଚନ ଜିତିବା ସୂଚନା ମିଳିଛି । ପୁଷ୍ପଗିରିରେ ବିରୋଧିଙ୍କ ସବୁ ଅଙ୍କ ଫେଲ ମାରିବା କୁହାଯାଉଛି ।

ସେହିପରି ନିଶ୍ଚିନ୍ତକୋଇଲି ବ୍ଲକରେ ବିରୋଧି ବିଜେଡି ବାଜିମାତ କରିଛି  । ନିଶ୍ଚିନ୍ତକୋଇଲି ପଞ୍ଚାୟତ ପ୍ରହଲ୍ଲାଦ ମହାବିଦ୍ୟାଳୟ ଏବଂ ସୁଭଦ୍ରା ମହତାବ କଲେଜ ଅସୁରେଶ୍ୱରରେ ପ୍ରତାପଙ୍କ ସମର୍ଥିତ ପ୍ରାର୍ଥୀମାନେ ସବୁ ଆସନ ପୋଛି ନେଇଛନ୍ତି  ।

ପି ପି କଲେଜ ରେ ସଭାପତି ଭାବେ ମନୋଜ କୁମାର ପରିଡା ବିଜୟୀ ହୋଇଛନ୍ତି । ମନୋଜଙ୍କ ପୁରା ପ୍ୟାନେଲ ଏକାତରଫା ଜିତିବା ବିଧାୟକ ସାରଦାଙ୍କ ଶିବିରରେ ନୈରାଶ୍ୟ ଖେଳାଇଦେଇଛି l କେବଳ ସେତିକି ନୁହେଁ ଅସୁରେଶ୍ୱର ସୁଭଦ୍ରା ମହତାବ ମହାବିଦ୍ୟାଳୟ ରେ ସଭାପତି ଭାବେ ନିହାର ରଞ୍ଜନ ସାହୁ ଜିତିଥିବା ବେଳେ, ନିହାରଙ୍କ ପ୍ୟାନେଲ ମଧ୍ୟ ବିଜୟୀ ହୋଇଛନ୍ତି ।

   ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳର ଏହି ୨ଟି କଲେଜ ନିର୍ବାଚନ ସାରଦାଙ୍କ ରାଜନୈତିକ ଗଣିତକୁ ପୁରା ବିଗାଡି ଦେଇଛି । ଗତ ସାଧାରଣ ନିର୍ବାଚନରେ ଯେଉଁ ବ୍ଲକରୁ ଶାରଦା ୬ ହଜାରରୁ ଉର୍ଦ୍ଧ୍ଵ ଭୋଟ ନେଇ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପୁଅ ଅଙ୍କିତ ଜେନାଙ୍କୁ ଧୂଳି ଚଟେଇ ଥିଲେ, ସେହି ବ୍ଲକର ସଦ୍ୟତମ ଛାତ୍ର ରାଜନୀତି ଫଳାଫଳ ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବର ସତର୍କ ଘଣ୍ଟି ବୋଲି ବୁଦ୍ଧିଜୀବୀ ମାନେ ଆକଳନ କରୁଥିବା ସୂଚନା ମିଳୁଛି  ।

ନିଶ୍ଚିନ୍ତକୋଇଲି ବ୍ଲକର ୨ ଦୁଇଟି କଲେଜ ନିର୍ବାଚନ ଫଳାଫଳ ଏକ ତରଫା ହେବାରୁ ବିଜେଡି ଶିବିରରେ ନୂଆ ଉତ୍ସାହ ସୃଷ୍ଟି କରିଛି । ଗତ ସାଧାରଣ ନିର୍ବାଚନ ପୂର୍ବରୁ ଏବଂ ପରେ ପରେ ଯେଉଁମାନେ ପ୍ରତାପ ଜେନାଙ୍କ ହାତ ଛାଡି ସାରଦାଙ୍କ ଶିବିରରେ ଯୋଗଦେଇଥିଲେ, ସେମାନେ ଏହି ପରାଜୟ ପାଇଁ ବିଧାୟକ ଶ୍ରୀ ପ୍ରଧାନଙ୍କ ରାଜନୈତିକ ଗୋଟି ଚାଳନା ବିଫଳ ହୋଇଥିବା କହୁଛନ୍ତି ।

   ମାହାଙ୍ଗା ବ୍ଲକର ୨ଟି କଲେଜ ମଧ୍ୟ୍ୟରୁ ପୁଷ୍ପଗିରି କଲେଜ ଏରକଣାକୁ ଛାଡିଦେଲେ, ଜେ ଏନ କଲେଜ କୁଆଁପାଳରେ ବିଧାୟକଙ୍କ ପ୍ରାର୍ଥୀମାନେଫେଲ ମାରିବା ଘଟଣା ଚର୍ଚ୍ଚା ର ବିଷୟ ହୋଇଛି ।

    ତେବେ ଆଜି ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୪ଟି କଲେଜ ନିର୍ବାଚନ ଫଳାଫଳରୁ ପୁଷ୍ପାଗିରି କଲେଜରେ ସରୋଜିନୀ ରାଉତ, ଜେ ଏନ କଲେଜରେ ଇପ୍ସିତା ଖୁଣ୍ଟିଆ, ପି ପି କଲେଜରେ ମନୋଜ କୁମାର ପରିଡା ଏବଂ ସୁଭଦ୍ରା ମହତାବ କଲେଜରେ ନିହାର ରଞ୍ଜନ ସାହୁ ସଭାପତି ଭାବେ ବିଜୟୀ ଘୋଷିତ ହୋଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *