ନାମାଙ୍କନ ନାକଚକୁ ନେଇ ପୁଷ୍ପଗିରି କଲେଜରେ ଉତ୍ତେଜନା, ଛାତ୍ର ନେତା ଙ୍କ ଅନଶନ

ସାଲେପୁର,୧୪/୧୦/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା )କଟକ ଜିଲ୍ଲା ମାହାଙ୍ଗା ପୁଷ୍ପଗିରି ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ବଢ଼ୁଛି ଅସନ୍ତୋଷ। ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ କରିଥିବା ମେଧାବୀ ଛାତ୍ର ରୁଦ୍ରନାରୟଣ କରଙ୍କ ନାମାଙ୍କନପତ୍ର ନାକଚ ହେବା ପରେ ତୀବ୍ର ପ୍ରତିବାଦ ଦେଖାଦେଇଛି।

ଏହାକୁ ନେଇ ରୁଦ୍ରଙ୍କ ସମର୍ଥକମାନେ ଅନିୟମିତତାର ଅଭିଯୋଗ ଆଣିବା ସହ ନାମାଙ୍କନପତ୍ର ନାକଚ ଘଟଣାର ପୁନର୍ବିଚାର କରି ତାଙ୍କୁ ନିର୍ବାଚନରେ ଲଢ଼ିବାକୁ ସୁଯୋଗ ଦେବାକୁ ଦୃଢ଼ ଦାବି କରିଛନ୍ତି।

ଏହି ଦାବିରେ ଗତ ସୋମବାର ଠାରୁ ଛାତ୍ରନେତା ରୁଦ୍ର ନାରାୟଣ ଗଣତାନ୍ତ୍ରିକ ଅଧିକାର ପାଇଁ ଅନଶନରେ ବସିରହିବା ଦେଖିବାକୁ ମିଳିଥିବା ବେଳେ, ତାଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ରୁଦ୍ରଙ୍କ ସମର୍ଥକ ଛାତ୍ର ଛାତ୍ରୀମାନେ ଚେତାବନୀ ଦେଇଛନ୍ତି।

ଅନ୍ୟପଟେ, ଛାତ୍ରଙ୍କ ନାମାଙ୍କନପତ୍ର ନାକଚ ଘଟଣାରେ ପ୍ରଶାସନ ଓ ନିର୍ବାଚନ ପରିଚାଳନା କମିଟିର ହସ୍ତକ୍ଷେପ ଦାବି ଜୋର ଧରିଛି।

ତେବେ ଏହି ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଏକ ନାଟକୀୟ ଢଙ୍ଗରେ ସ୍ଥାନୀୟ ପୋଲିସ ପ୍ରଶାସନ ଅନଶନ ସ୍ଥଳୀରୁ ରୁଦ୍ରଙ୍କୁ ଉଠାଇଆଣି ମାହାଙ୍ଗା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଇଥିଲା । ରୁଦ୍ରଙ୍କ ଅବସ୍ଥା ବିଗିଡି ନଥିଲେ ମଧ୍ୟ ତାଙ୍କୁ ଏସସିବି କୁ ସ୍ଥାନାନ୍ତର ପାଇଁ ମସୁଧା ଚାଲିଥିବା ବେଳେ, ରାଜ୍ୟ ଛାତ୍ର କଂଗ୍ରେସ ନେତାମାନେ ଏହି ଘଟଣାରେ ହସ୍ତକ୍ଷେପ କରିବାରୁ, ପୋଲିସ ଓ କଲେଜ ପ୍ରଶାସନଙ୍କ ଚକ୍ରାନ୍ତ ବିଫଳ ହୋଇଯାଇଥିଲା । ରୁଦ୍ର ହସ୍ପିଟାଲରୁ ଫେରି ପୁଷ୍ପଗିରି କଲେଜ ପରିସରରେ ପୁନର୍ବାର ଗାନ୍ଧିଜୀଙ୍କ ଫଟୋ ଚିତ୍ର ତଳେ ଆମରଣ ଅନଶନ ଜାରିରଖିବା ଚର୍ଚ୍ଚାର ବିଷୟ ହୋଇଛି ।

   ରାଜନେତା, କଲେଜ କର୍ତୃପକ୍ଷ ଏବଂ ପୋଲିସ ମିଳିତ ଭାବେ ଜଣେ ମେଧାବୀ ଛାତ୍ରଙ୍କୁ ନିର୍ବାଚନ ପ୍ରକ୍ରିୟାରୁ ବଂଚିତ ପାଇଁ ଯେଉଁ ହୀନ ଚକ୍ରାନ୍ତ ଚଳାଇଛନ୍ତି ଏହାକୁ ବୁଦ୍ଧିଜୀବୀ ମାନେ ତୀବ୍ର ନିନ୍ଦା କରିଛନ୍ତି  ।

Leave a Reply

Your email address will not be published. Required fields are marked *