କେନ୍ଦ୍ରାପଡ଼ା,୧୭/୦୪/୨୦୨୫(ଓଡ଼ିଶା ସମାଚାର)- ଅତିରିକ୍ତ ଜିଲାପାଳ(ରାଜସ୍ୱ) ନୀଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି ।
ଅତିରିକ୍ତ ଜିଲାପାଳ(ରାଜସ୍ୱ)ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ବୈଠକରେ ଆଂଚଳିକ ପରିବହନ ଅଧିକାରୀ ଧିରେନ କୁମାର ନାୟକ, ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରଜ ବିଶ୍ୱାଳ, ଜାତୀୟ ରାଜପଥର ଅମିତ କୁମାର ରାଉତ, ଜିଲା ଶିକ୍ଷା ଅଧିକାରୀ ବସନ୍ତ କୁମାର ନାୟକ, ରାସ୍ତା ଓ କୋଠାବାଡି ବିଭାଗ-୧ର ସହକାରୀ ନିର୍ବାହୀ ଯନ୍ତ୍ରୀ କୃପାସିନ୍ଧୁ ଧଳ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ, କେନ୍ଦ୍ରାପଡା ରାସ୍ତା ଓ କୋଠାବାଡି ବିଭାଗ-୨ର ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ କୁମାର ରାଜଗୁରୁ, ଏନଆଇସିର କର୍ମକର୍ତା, ଘରୋଇ ବସ୍ ମାଲିକ ସଂଘ କର୍ମକର୍ତା ଓ ପରିବହନ ବିଭାଗ ଏବଂ ରାସ୍ତା ଓ କୋଠାବାଡି ବିଭାଗର କର୍ମଚାରୀମାନେ ଯୋଗ ଦେଇଥିଲେ ।
ସୂଚନାଯୋଗ୍ୟ ଯେ ଗତ ବର୍ଷ ୧୪୭ ଗୋଟି ଦୁର୍ଘଟଣାରେ ୮୫ ଜଣ ମୃତୁ୍ୟବରଣ କରିଥିବା ବେଳେ ଏ ବର୍ଷ ଜାନୁଆରୀ ୧ ତାରିଖଠାରୁ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ୧୬ ଗୋଟି ଦୁର୍ଘଟଣାରେ ୧୭ ଜଣଙ୍କ ମୃତୁ୍ୟ ହୋଇଛି ବୋଲି ଆଂଚଳିକ ପରିବହନ ଅଧିକାରୀ ବୈଠକରେ ସୂଚନା ପ୍ରଦାନ କରିଥିଲେ । ଦୁର୍ଘଟଣାକୁ କମାଇବା ସହ ମୃତୁ୍ୟ ସଂଖ୍ୟାକୁ ଶୂନ୍ୟ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଅତିରିକ୍ତ ଜିଲାପାଳ ନିର୍ଦ୍ଧେଶ ଦେଇଥିଲେ ।
କଲେଜ ଓ ସ୍କୁଲର ଛାତ୍ରଛାତ୍ରୀ ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ୍ ସେମାନଙ୍କୁ ଗାଡି ନଚଳାଇବା ଓ ଗାଡି ଚଳାଇବା ବେଳେ ହେଲମେଟ୍ ପରିଧାନ କରିବା ସହ ଗାଡିଚାଳନାର ନିୟମଗୁଡିକୁ ମାନିବା ପାଇଁ ସଚେତନ କରିବାକୁ ଜିଲା ଶିକ୍ଷା ଅଧିକାରୀ ଓ ଆଂଚଳିକ ପରିବହନ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ଅତିରିକ୍ତ ଜିଲାପାଳ । ଦୁର୍ଘଟଣା ପ୍ରବଣ ସ୍ଥାନରେ ହମ୍ପସ୍ ନିର୍ମାଣ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଥିଲେ ।
