ଜଗତସିଂହପୁର ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ତଦାରଖ (ଦିଶା)କମିଟିର ଅଷ୍ଟମ ବୈଠକ ଅନୁଷ୍ଠିତ ।

ଜଗତସିଂହପୁର,୧୩/୧୦/୨୦୨୬(ଓଡ଼ିଶା ସମାଚାର)-ଆଜି ଜଗତସିଂହପୁର ଜିଲ୍ଲା ସ୍ତରୀୟ ଉନ୍ନୟନ ସମନ୍ଵୟ ଓ ତଦାରଖ (ଦିଶା)କମିଟିର ଅଷ୍ଟମ ବୈଠକ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଜଗତସିଂହପୁରର  ଲୋକସଭା ସାଂସଦ ତଥା ଜିଲ୍ଲା ଦିଶା କମିଟିର ଅଧ୍ୟକ୍ଷ ଶ୍ରୀ ବିଭୁପ୍ରସାଦ ତରାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକର ପ୍ରାରମ୍ଭ ରେ  ସାଂସଦ ଶ୍ରୀ ବିଭୁପ୍ରସାଦ ତରାଇ ସମସ୍ତଙ୍କୁ ସ୍ୱାଗତ ଜଣାଇ  ଜିଲ୍ଳାର ସାମଗ୍ରିକ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ସହାୟତାରେ ରାଜ୍ୟରେ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଜନକଲ୍ୟାଣ ମୂଳକ କାର୍ଯ୍ୟକ୍ରମ ଗୁଡିକର ସଫଳ ରୂପାୟନ ଓ କାର୍ଯ୍ୟାନ୍ଵୟନ ପାଇଁ ଜିଲ୍ଲା ସ୍ତରୀୟ ଜିଲ୍ଲା ଦିଶା କମିଟିର ସମସ୍ତ ଲୋକପ୍ରତିନିଧି ସଭ୍ୟ/ସଭ୍ୟା  ଏବଂ ସମ୍ପୃକ୍ତ ବିଭାଗର ଅଧିକାରୀଗଣ ଙ୍କ ସକ୍ରିୟ ଅଂଶ ଗ୍ରହଣ ର ଆବଶ୍ୟକତା ରହିଛି ବୋଲି ପରାମର୍ଶ ଦେଇଥିଲେ ।ସରକାରୀ ସ୍ତରରେ ପ୍ରୋତ୍ସାହନ ସହ ଜନ ପ୍ରତିନିଧି ମାନଙ୍କ ଅଭିଜ୍ଞତା କାର୍ଯ୍ୟକୁ ସଫଳ ରୂପ ଦେବବୋଲି ସେ କହିଥିଲେ।

ଏହି ବୈଠକରେ ତିର୍ତ୍ତୋଲ ବିଧାୟକ  ଶ୍ରୀ ରମାକାନ୍ତ ଭୋଇ କହିଲେ ଯେ, ସରକାରୀ ପ୍ରକଳ୍ପ ର କାର୍ଯ୍ୟକାରିତା ପୁର୍ବରୁ ସ୍ଥାନୀୟ ଜନପ୍ରତିନିଧି ଙ୍କ ପରାମର୍ଶ ନେଲେ ଏହା ସୁବ୍ୟବସ୍ଥିତ ହୋଇପାରିବ।ଜିଲ୍ଲା ପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇ,  ପାରାଦ୍ଵୀପ ପୌର ପରିଷଦ ଅଧ୍ୟକ୍ଷ ଶ୍ରୀ ବସନ୍ତ କୁମାର ବିଶ୍ୱାଳ,ଜଗତସିଂହପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ପ୍ରମୁଖ ଉପସ୍ଥିତ ରହି ଜନ ପ୍ରତିନିଧି ଓ ପ୍ରାଶାସନିକ ସହଯୋଗ ଓ ଆଲୋଚନା ରେ ସରକାର ଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ଲୋକଙ୍କ ପାଖରେ ପହଞ୍ଚିବ ବୋଲି ମତ ଦେଇଥିଲେ। ପାରାଦ୍ଵୀପ ପୌର ଅଧ୍ୟକ୍ଷ ସେଠାରେ ଥିବା ଶିଳ୍ପ ସଂସ୍ଥା ଗୁଡିକ ଶ୍ରମିକ ମାନଙ୍କ ପାଇଁ ରହିଁବାର ସୁବିଧା ସୁନିଶ୍ଚିତ କଲେ ଶିଳ୍ପ ନଗରୀ ରେ ବସ୍ତି ସଂଖ୍ୟା କମିବ ବୋଲି କହିଥିଲେ।

ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ବୈଠକରେ ଉପସ୍ଥିତ ରହି ଆଲୋଚନା ଓ ପରିଦର୍ଶନ ଦ୍ଵାରା ସମସ୍ତ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ବୋଲି କହିଥିଲେ। ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ ପିଲେ ମଧ୍ୟ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ପ୍ରଥମେ ଜିଲ୍ଲାରେ ମିଶନ ଶକ୍ତି, ଓରମାସ, ଲକ୍ଷପତି ଦିଦି ସୃଷ୍ଟି ଓ ସଫଳତା ବିଷୟରେ ଆଲୋଚନା ହୋଇଥିଲା। କୋଟିପତି ଦିଦି ସୃଷ୍ଟି ପାଇଁ ଲକ୍ଷ ହାସଲ କୁ ପ୍ରାଥମିକତା ଦିଆ ଯାଇଥିଲା। ଓରମାସ ଅନ୍ତର୍ଗତ ରଘୁନାଥପୁର ର ବୟନ ଗ୍ରାମ ର ଉତ୍ପାଦନ, କୁଜଙ୍ଗ ର ଶୁଖୁଆ ଏବଂ ମା ମାନଙ୍କ ହାତ ଟିଆରି ବିଭିନ୍ନ ଉତ୍ପାଦନ କୁ ଜାତୀୟ ତଥା ଆନ୍ତର୍ଜାତୀୟ ବଜାର ରେ ବିକ୍ରୀ ସୁଯୋଗ କରିବାକୁ ସାଂସଦ ପ୍ରସ୍ତାବ ଦେଇଥିଲେ। କେନ୍ଦ୍ର ସରକାରଙ୍କ ଯୋଜନା ଅନ୍ତର୍ଭୁକ୍ତ ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଯୋଜନା,ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ପାନୀୟ ଜଳ ଯୋଜନା ଅନ୍ତର୍ଗତ ଜଳ ଜୀବନ ମିଶନ, ଜାତୀୟ ରାଜପଥ ଭିତ୍ତି ଭୂମି ବିକାଶ, ସମନ୍ୱିତ ଶିଶୁବିକାଶ ଯୋଜନା, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ମୃତ୍ତିକା ହେଲଥ କାର୍ଡ, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, କୃଷି ଓ କୃଷକ ସଶକ୍ତିକରଣ,ସ୍ଵଚ୍ଛ ଭାରତ ଅଭିଯାନ,ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନା, କାମଧେନୁ ଯୋଜନା,ପି ଏମ୍ ସ୍ୱନିଧି, ଜାତୀୟ ସ୍ୱାସ୍ଥ୍ୟ ମିଶନ, ବିଦ୍ୟୁତ ଯୋଜନା, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ପ୍ରାଣୀ ସମ୍ପଦ ବିଭାଗର ଯୋଜନା ଇତ୍ୟାଦି ବିଭିନ୍ନ କେନ୍ଦ୍ରୀୟ ଜନକଲ୍ୟାଣ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ପୂର୍ବକ ସମୀକ୍ଷା କରାଯାଇଥିଲା ।  ବୈଠକରେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ଲାଇନ ବିଭାଗର ଅଧିକାରୀ, ଜିଲ୍ଲାର ପଂଚାୟତ ସମିତିର ଅଧ୍ୟକ୍ଷ/ଅଧ୍ୟକ୍ଷା, ଅନ୍ୟାନ୍ୟ ଜନପ୍ରତିନିଧି ତଥା ଦିଶା କମିଟିର ସଦସ୍ୟ/ସଦସ୍ୟା,   ଯୋଗଦେଇଥିଲେ ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *