ଜଗତସିଂହପୁର ୦୩/୧୨/୨୦୨୪ (ଓଡ଼ିଶା ସମାଚାର)-ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମା ରମାଦେବୀ ଚୌଧୁରୀ ଙ୍କ ୧୨୫ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି।ଏହି ଅବସରରେ ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ଥିବା ତାଙ୍କ ପ୍ରତିମୂର୍ତ୍ତି ରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଜଗତସିଂହପୁର ର ଗର୍ବ ମା ରମାଦେବୀ ଚୌଧୁରୀ ୧୮୯୯ ମସିହା ଡିସେମ୍ବର ୩ ତାରିଖରେ ଜନ୍ମ ନେଇଥିଲେ । ୧୯୨୧ ମାର୍ଚ୍ଚ ୨୪ ତାରିଖ ଦିନ ମହାତ୍ମା ଗାନ୍ଧୀ କଟକ କାଠଯୋଡି ବାଲି ଓ ବିନୋଦ ବିହାରୀ ପରିସରରେ ଦୁଇଗୋଟି ସାଧାରଣ ସମାବେଶରେ ଯୋଗଦେଇ ହରିଜନ, ଦଳିତମାନଙ୍କ ସୁରକ୍ଷା ଓ ସ୍ୱଦେଶୀ ଆନ୍ଦୋଳନର ଆବଶ୍ୟକତା ବୁଝାଇଥିଲେ, ନିଜ ଭାଷଣରେ ମହିଳାମାନଙ୍କୁ ଗହଣା ନପିନ୍ଧି ଦେଶ ସେବା ପାଇଁ ତାହାକୁ ଦାନ କରନ୍ତୁ ବୋଲି ନିବେଦନ କରିଥିଲେ । ଉକ୍ତ ସଭାରେ ଉପସ୍ଥିତ ଥିବା ରମାଦେବୀ ଗାନ୍ଧୀଜୀଙ୍କ ଭାଷଣରେ ପ୍ରଭାବିତ ହୋଇ ନିଜର ବହୁମୂଲ୍ୟ ୨୦୦ ଭରି ସ୍ୱର୍ଣ୍ଣ ଅଳଙ୍କାର ଓ ଅନେକ ମୂଲ୍ୟବାନ ଦ୍ରବ୍ୟ ଗାନ୍ଧୀଙ୍କ ସ୍ୱରାଜ ପାଣ୍ଠିକୁ ଦାନ କରିବା ସହିତ ଶସ୍ତା ଶାଢ଼ୀ ପିନ୍ଧିବା ଆରମ୍ଭ କରିଥିଲେ । ବଂଗଲକ୍ଷ୍ମୀ ପ୍ରେସର ଶାଢ଼ୀ , ଖଦୀବସ୍ତ୍ର ଓ ସ୍ୱଦେଶୀ ବସ୍ତ୍ର ଆଜୀବନ ପରିଧାନ କରିବା ପାଇଁ ସଂକଳ୍ପ କରିଥିଲେ ।
୧୯୩୦ର ଆଇନ ଅମାନ୍ୟ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ, ୧୯୩୪ ଅଗଷ୍ଟ ୮ ଗାନ୍ଧିଜୀଙ୍କ ଶ୍ରୀକ୍ଷେତ୍ର ହରିଜନ ସମାବେଶ ସହ ଶ୍ରୀମନ୍ଦିର ସମ୍ମୁଖରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନର ମୁଖ୍ୟ ଦାୟିତ୍ୱ ନେଇଥିଲେ ରମାଦେବୀ । ୧୯୫୫ ମସିହା ବିନୋବାଜୀଙ୍କ ଭୂଦାନ ଯଜ୍ଞର ସଫଳତା ପଛରେ ରମାଦେବୀଙ୍କର ଅଭୟ ହସ୍ତ ଥିଲା । ଆଜି ତାଙ୍କର ପବିତ୍ର ଜନ୍ମ ତିଥି ରେ ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ, ଉପାଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ବିଶୋଇ, ପୌର ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀମତୀ ସୀମା ଜେନା,ଦୀପକ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସେହି ମହାନ ଆତ୍ମା ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।