ଭାରତୀ ବିହାର ମହାବିଦ୍ୟାଳୟ, ହରିପୁର, ଯାଜପୁରରେ ‘ବିକଶିତ ଭାରତ ଯୁବା କନେକ୍ଟ – ସ୍ପୋର୍ଟସ୍ ଏଡିସନ୍’ ଅନୁଷ୍ଠିତ

ଯାଜପୁର,୨୭/୦୮/୨୦୨୬ (ଓଡ଼ିଶା ସମାଚାର)-ଜାତୀୟ କ୍ରୀଡ଼ା ଦିବସ ଅବସରରେ ‘ବିକଶିତ ଭାରତ ଯୁବା କନେକ୍ଟ – ସ୍ପୋର୍ଟସ୍ ଏଡିସନ୍’ କାର୍ଯ୍ୟକ୍ରମ ଆଜି ଭାରତୀ ବିହାର ମହାବିଦ୍ୟାଳୟ, ହରିପୁର, ଯାଜପୁର ପରିସରରେ ମେରା ଯୁବା ଭାରତ (MY Bharat), ଯାଜପୁର ଦ୍ୱାରା ଭାରତୀ ବିହାର ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା (NSS) ସହ ସମନ୍ୱୟରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମାନ୍ୟବର ପ୍ରଧାନମନ୍ତ୍ରୀ ଭିର୍ଚୁଆଲ୍ ମାଧ୍ୟମରେ ଯୁବମାନଙ୍କ ସହ ଆଲୋଚନା କରିଥିଲେ ଏବଂ କ୍ରୀଡ଼ାର ଗୁରୁତ୍ୱ ଉପରେ ବାର୍ତ୍ତା ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ ଡା.ରବୀନ୍ଦ୍ର ନାରାୟଣ ବେହେରା ଯୋଗଦେଇ ଯୁବମାନଙ୍କୁ ସମ୍ବୋଧିତ କରିବା ସହ କ୍ରୀଡ଼ା, ଶୃଙ୍ଖଳା, ନେତୃତ୍ୱ ଏବଂ ରାଷ୍ଟ୍ର ନିର୍ମାଣରେ ଯୁବମାନଙ୍କ ସକ୍ରିୟ ଭୂମିକାର ଗୁରୁତ୍ୱ ଉପରେ ପ୍ରେରଣାଦାୟୀ ବାର୍ତ୍ତା ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠିତ କ୍ରୀଡ଼ାବିତ୍ ତଥା ସ୍ପୋର୍ଟସ୍ ଆଇକନ୍ ଓଇନାମ ଦିବ୍ୟା ଦେବୀ ମଧ୍ୟ ଉପସ୍ଥିତ ଥିଲେ। ସେ କ୍ରୀଡ଼ା ଏବଂ ଜୀବନରେ ସଫଳତା ହାସଲ କରିବାରେ କଠିନ ପରିଶ୍ରମ, ଆତ୍ମବିଶ୍ୱାସ, ଦୃଢ଼ତା ଏବଂ ସଂକଳ୍ପର ଗୁରୁତ୍ୱ ଉପରେ ଆଲୋକପାତ କରି ଯୁବମାନଙ୍କୁ ପ୍ରେରିତ କରିଥିଲେ।

ପ୍ରଫେସର ତ୍ରିଲୋଚନ ସାହୁ, ଅଧ୍ୟକ୍ଷ, ଏବଂ NSS ଅଧିକାରୀ ଶ୍ରୀ ପ୍ରଦୀପ ପ୍ରଧାନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଏବଂ କାର୍ଯ୍ୟକ୍ରମର ସଂଚାଳନା କରିଥିଲେ। MY Bharat ଏବଂ NSS ସ୍ୱେଚ୍ଛାସେବୀ, ଯୁବ ଅଂଶଗ୍ରହଣକାରୀ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉତ୍ସାହର ସହିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମ ଗତ ୧୨ ବର୍ଷ ମଧ୍ୟରେ ଭାରତର କ୍ରୀଡ଼ା ଭିତ୍ତିଭୂମିରେ ଘଟିଥିବା ପରିବର୍ତ୍ତନ, ଦେଶର କ୍ରୀଡ଼ା ପରିବେଶର ବିକାଶ, କ୍ରୀଡ଼ା କ୍ଷେତ୍ରରେ ଯୁବମାନଙ୍କ ପାଇଁ ଉପଲବ୍ଧ ସୁଯୋଗ ଏବଂ ରାଷ୍ଟ୍ର ନିର୍ମାଣରେ ଯୁବମାନଙ୍କ ଭୂମିକା ଉପରେ ଆଲୋଚନା ପାଇଁ ଏକ ମଞ୍ଚ ପ୍ରଦାନ କରିଥିଲେ।

ଏହା ପରେ ‘ଯୁବ ସମ୍ବାଦ’ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଯୁବ ଅଂଶଗ୍ରହଣକାରୀମାନେ ଭାରତୀୟ କ୍ରୀଡ଼ାର ଭବିଷ୍ୟତ ଏବଂ ବିକଶିତ ଭାରତ ଗଠନର ପରିକଳ୍ପନା ସମ୍ପର୍କରେ ନିଜର ଚିନ୍ତାଧାରା, ପ୍ରସ୍ତାବ ଏବଂ ଆକାଂକ୍ଷା ବାଣ୍ଟିଥିଲେ।

କାର୍ଯ୍ୟକ୍ରମର ସଫଳ ଆୟୋଜନରେ ମେରା ଯୁବା ଭାରତ, ଯାଜପୁରର ଜିଲ୍ଲା ଯୁବ ଅଧିକାରୀ ଶ୍ରୀ କୁମାର ଗୌରବଙ୍କ ସମନ୍ୱୟ ଏବଂ ଆୟୋଜନାତ୍ମକ ପ୍ରୟାସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। MY Bharat ପ୍ଲାଟଫର୍ମ ମଧ୍ୟ କ୍ରୀଡ଼ା ସମ୍ପର୍କିତ ୫ଟି ବିଷୟ ଉପରେ ଧାରଣା ଦାଖଲ କରିବାର ସୁଯୋଗ ପ୍ରଦାନ କରୁଛି। ଏଥିରେ ଏକ ଲାଇଭ୍ କୁଇଜ୍ ପ୍ରତିଯୋଗିତା ମଧ୍ୟ ରହିଛି, ଯାହା ୨୦୨୭ ମସିହା ଫେବୃଆରୀରେ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ବିକଶିତ ଭାରତ ଯୁବ ନେତା ସଂଳାପ (VBYLD) ୨୦୨୭ର ଅଂଶ ହେବାର ସୁଯୋଗ ପ୍ରଦାନ କରୁଛି।

‘ବିକଶିତ ଭାରତ ଯୁବା କନେକ୍ଟ – ସ୍ପୋର୍ଟସ୍ ଏଡିସନ୍’ ମାଧ୍ୟମରେ ଯୁବମାନଙ୍କୁ କ୍ରୀଡ଼ା ସହିତ ଯୋଡ଼ିବା, ନେତୃତ୍ୱ ଏବଂ ଦାୟିତ୍ୱବୋଧ ବିକଶିତ କରିବା ଏବଂ ବିକଶିତ ଭାରତ ଗଠନ ଦିଗରେ ସେମାନଙ୍କର ସକ୍ରିୟ ଅବଦାନକୁ ସୁଦୃଢ଼ କରିବା ପାଇଁ ବାର୍ତ୍ତା ପ୍ରଦାନ କରାଯାଇଥିଲା।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *