କୋଠଘର ପକ୍ଷରୁ ଦହିପଣା ବଂଟନ

ଭୁବନେଶ୍ୱର,୨୫/୦୫/୨୦୨୬(ଓଡ଼ିଶା ସମାଚାର /ଦୀପ୍ତିରଂଜନ କାନୁନଗୋ)- ସାହିତ୍ୟ ଚର୍ଚ୍ଚା ସହ ସାମାଜିକ ସେବାକୁ ବ୍ରତ କରି ଆଗେଇ ଚାଲିଥିବା ଅଗ୍ରଣୀ ଅନୁଷ୍ଠାନ ‘କୋଠଘର ଆମ ସାହିତ୍ୟ ପରିବାର’ ପକ୍ଷରୁ ରାଜଧାନୀରେ ଏକ ଜଳଦାନ ଓ ଦହିପଣା ଶିବିର ଅନୁଷ୍ଠିତ ହୋଇଯାଇଛି । କେବଳ ଏକ ସାହିତ୍ୟ ଅନୁଷ୍ଠାନ ନୁହେଁ, ବରଂ ଏକ ସାମାଜିକ ସେବା ସଙ୍ଗଠନ ଭାବେ ପରିଚିତ ଏହି ଅନୁଷ୍ଠାନ ତରଫରୁ ପ୍ରତି ମାସରେ କବିତା ଆସର, ସାହିତ୍ୟ ଆଲୋଚନା, ପୁସ୍ତକ ପ୍ରକାଶନ ଓ ଲୋକାର୍ପଣ କାର୍ଯ୍ୟକ୍ରମ ନିରନ୍ତର ଭାବେ କରାଯାଇଥାଏ । ଏହା ସହିତ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପଥିକ ଓ ଜନସାଧାରଣଙ୍କ ପାଇଁ ଦହି ପଣା ଓ ଜଳଦାନ ଭଳି ମହାନ୍ ସେବା କାର୍ଯ୍ୟର ଆୟୋଜନ କରାଯାଇଛି ।

ଚଳିତ ବର୍ଷ ରବିବାର ଦିନ ସ୍ଥାନୀୟ ୟୁନିଟ୍-୮ ସ୍ଥିତ ଜଳେଶ୍ୱର ମନ୍ଦିର ତ୍ରିକୋଣ ଛକଠାରେ ଏହି ମହନୀୟ କାର୍ଯ୍ୟକ୍ରମ କୋଠଘରର ପ୍ରତିଷ୍ଠାତା ତଥା ସମ୍ପାଦିକା ଅମ୍ବିକା ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସଫଳତାର ସହ ସମ୍ପନ୍ନ ହୋଇଯାଇଛି । ଏହି ସେବା କାର୍ଯ୍ୟରେ ଅନୁଷ୍ଠାନର ସଭାପତି ପ୍ରଦୀପ କୁମାର ସାହୁ, କାର୍ଯ୍ୟକାରୀ ସଭାପତି ଆଶୁତୋଷ ମେହେର, ସଦସ୍ୟ ପ୍ରଭାତ କୁମାର ଦାଶ, ଆଶାଲତା ଦୀକ୍ଷିତ, ଗୀତାଞ୍ଜଳି ମହାନ୍ତି, ସଂଯୁକ୍ତା ସାହୁ ଏବଂ ସମ୍ମାନିତ ଅତିଥି ଭାବେ ସ୍ୱାଧୀନତା ସଂଗ୍ରାମୀ ବିଜୟ ପରିଜା ଯୋଗ ଦେଇ ସମସ୍ତ ପଥିକ ଓ ତୃଷାର୍ତଙ୍କୁ ପଣା ବଂଟନ କରିଥିଲେ । ତତଲା ଖରାରେ ସନ୍ତୁଳିତ ହେଉଥିବା ବାଟୋଇମାନେ ଏହି ସୁସ୍ୱାଦୁ ଦହିପଣା ପିଇ ଆତ୍ମତୃପ୍ତି ଲାଭ କରିବା ସହ ଅନୁଷ୍ଠାନର ଏହି ପ୍ରୟାସକୁ ଭୂରି ଭୂରି ପ୍ରଶଂସା କରିଥିଲେ । ଶେଷରେ ଏହି ମହତ କାର୍ଯ୍ୟକ୍ରମର ସଫଳତା ପାଇଁ ସମ୍ପାଦିକା ଅମ୍ବିକା ସ୍ୱାଇଁ ଉପସ୍ଥିତ ସମସ୍ତ ସଦସ୍ୟ ଓ ସହଯୋଗୀଙ୍କୁ ଧନ୍ୟବାଦ୍ ଦେଇଥିଲେ ।

Leave a Reply

Your email address will not be published. Required fields are marked *