ଯାଜପୁରରେ ଜିଲ୍ଲାସ୍ତରୀୟ ଜୁଭେଣ୍ଟିକା ଆଉଟରିଚ୍ କାର୍ଯ୍ୟକ୍ରମ ଅନୁଷ୍ଠିତ
ଯାଜପୁର,୧୧/୧୦/୨୦୨୬ (ଓଡ଼ିଶା ସମାଚାର)- ଅନ୍ତର୍ଜାତୀୟ ବାଳିକା ଦିବସ-୨୦୨୬ ଅବସରରେ ଯାଜପୁର ଜିଲ୍ଲା ପୋଲିସ ମୁଖ୍ୟାଳୟ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଏବଂ ରୁଚିକା ସମାଜ ସେବା ସଂଗଠନର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ‘ଜୁଭେଣ୍ଟିକା ଆଉଟରିଚ୍ କାର୍ଯ୍ୟକ୍ରମ’ ଯାଜପୁର ଇଣ୍ଡୋର ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷର ଏହି କାର୍ଯ୍ୟକ୍ରମର ମୁଖ୍ୟ ବାର୍ତ୍ତା ହେଉଛି— “ବାଲ୍ୟ ବିବାହ ବନ୍ଦ କରନ୍ତୁ ଏବଂ ବାଳିକାଙ୍କ ଅଧିକାର ପାଇଁ ନିବେଶ କରନ୍ତୁ।”
ବାଲ୍ୟ ବିବାହର ନିରାକରଣ, ବାଳିକାମାନଙ୍କ ଅଧିକାରର ସୁରକ୍ଷା ଏବଂ ଲିଙ୍ଗଗତ ସମାନତା ପ୍ରତିଷ୍ଠା ପାଇଁ ସମାଜର ସମସ୍ତ ସ୍ତରରେ ସଚେତନତା ଓ ସାମୂହିକ ପ୍ରୟାସ ଜାରି ରଖିବା ଆବଶ୍ୟକ ବୋଲି କାର୍ଯ୍ୟକ୍ରମରେ ଉପସ୍ଥିତ ପୋଲିସ ଅଧିକାରୀ ଓ ଅନ୍ୟ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯାଜପୁର ହକି ପ୍ରଶିକ୍ଷଣ କେନ୍ଦ୍ରର ୭୦ରୁ ଊର୍ଦ୍ଧ୍ୱ ପ୍ରଶିକ୍ଷାର୍ଥୀ ଯୋଗଦେଇଥିଲେ।
ଜିଲ୍ଲା ପୋଲିସ କାର୍ଯ୍ୟାଳୟର ମହିଳା ଓ ଶିଶୁ ସମ୍ପର୍କିତ ଅପରାଧ ନିୟନ୍ତ୍ରଣ ୟୁନିଟ୍ (IUCAW)ର ଉପଆରକ୍ଷୀ ଅଧୀକ୍ଷକ ଶ୍ରୀମତୀ ରେଣୁବାଳା ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ ଏହି ସଭାରେ ଯାଜପୁର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
ସେ କହିଥିଲେ ଯେ, କୌଣସି ବିପଦପୂର୍ଣ୍ଣ ବା ଅସୁରକ୍ଷିତ ପରିସ୍ଥିତିରେ ଥିବା ମହିଳା ଓ ବାଳିକାମାନେ ପୋଲିସର ଜରୁରୀକାଳୀନ ସହାୟତା ନମ୍ବର ୧୧୨ରେ ଫୋନ୍ କରି ତୁରନ୍ତ ସହାୟତା ପାଇପାରିବେ। ସେହିପରି, ୧୮ ବର୍ଷରୁ କମ୍ ବୟସର ଶିଶୁମାନେ ୨୪ ଘଣ୍ଟିଆ ନିଃଶୁଳ୍କ ଶିଶୁ ସହାୟତା ନମ୍ବର ୧୦୯୮ରେ ଯୋଗାଯୋଗ କରିପାରିବେ।
ବର୍ତ୍ତମାନ ସମୟରେ ମୋବାଇଲ୍ ଫୋନ୍ ଓ ଡିଜିଟାଲ୍ ମାଧ୍ୟମର ବ୍ୟବହାର ବଢ଼ୁଥିବାରୁ ଏହାର ଅପବ୍ୟବହାର ପ୍ରତି ସମସ୍ତେ ସଚେତନ ରହିବା ଆବଶ୍ୟକ। କେତେକ ଅସାମାଜିକ ବ୍ୟକ୍ତି କୃତ୍ରିମ ବୁଦ୍ଧିମତ୍ତା (AI) ଓ ଅନ୍ୟାନ୍ୟ ପ୍ରଯୁକ୍ତିର ଅପବ୍ୟବହାର କରି ଅଶ୍ଳୀଳ ଫଟୋ ପ୍ରସ୍ତୁତ କରିବା କିମ୍ବା ପଠାଇବା ମାଧ୍ୟମରେ ବାଳିକାମାନଙ୍କୁ ଭୟଭୀତ କରୁଛନ୍ତି। ଏପରି ଅନଲାଇନ୍ ଉତ୍ପୀଡ଼ନ ଓ ସାଇବର ଅପରାଧ ବିରୁଦ୍ଧରେ ସଜାଗ ରହିବା ସହ ଏଭଳି ଘଟଣା ଘଟିଲେ ତୁରନ୍ତ ପୋଲିସର ସହାୟତା ନେବାକୁ ସେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।
ଅନ୍ୟତମ ସମ୍ମାନିତ ଅତିଥି ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଶ୍ରୀ ଦିବ୍ୟଭୂଷଣ ମହାନ୍ତି ଛାତ୍ରଛାତ୍ରୀମାନଙ୍କୁ ନିଜର ପାଠପଢ଼ା ଓ ଭବିଷ୍ୟତ ଗଠନ ଉପରେ ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଥିଲେ। ମୋବାଇଲ୍ ଓ ସାମାଜିକ ଗଣମାଧ୍ୟମକୁ କେବଳ ଶିକ୍ଷା ଓ ଜ୍ଞାନ ଆହରଣ ଭଳି ସକାରାତ୍ମକ କାର୍ଯ୍ୟରେ ବ୍ୟବହାର କରିବା ଉଚିତ ବୋଲି ସେ କହିଥିଲେ।
ସମ୍ବିଧାନ ଅନୁଯାୟୀ ଝିଅ ଓ ପୁଅଙ୍କ ଅଧିକାର ସମାନ ହୋଇଥିଲେ ମଧ୍ୟ ଆଜି ମଧ୍ୟ କେତେକ କ୍ଷେତ୍ରରେ ବାଳିକାମାନେ ସେମାନଙ୍କ ନ୍ୟାଯ୍ୟ ଅଧିକାରରୁ ବଞ୍ଚିତ ହେଉଛନ୍ତି। କନ୍ୟା ସନ୍ତାନମାନଙ୍କର ଶିକ୍ଷା, ସୁରକ୍ଷା ଓ ସାମଗ୍ରିକ ବିକାଶ ସୁନିଶ୍ଚିତ ହେଲେ ହିଁ ଦେଶର ପ୍ରକୃତ ବିକାଶ ସମ୍ଭବ। ଏଥିପାଇଁ ପରିବାର ଓ ସମାଜର ସକ୍ରିୟ ସହଯୋଗ ଅତ୍ୟନ୍ତ ଜରୁରୀ ବୋଲି ସେ ମତପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଉପଆରକ୍ଷୀ ଅଧୀକ୍ଷକ ଶ୍ରୀମତୀ ସବିତା ସାହୁ, ପୋଲିସ ଅଧିକାରୀ ଶ୍ରୀ ଭରତ କୁମାର ବେହେରା,ଆଇ ଆଇ ସି ଶିବଚରଣ ବେହେରା, ସ୍ବାଗତିକା ବେହୁରିଆ,ଶ୍ରୀ ସାରଥୀ ମହାନ୍ତି, ମହିଳା ହବ୍ର ଜିଲ୍ଲା ସଂଯୋଜକ ଶ୍ରୀ ପ୍ରଭାତ କୁମାର ଘଡ଼େଇ ଏବଂ ରୁଚିକା ସମାଜ ସେବା ସଂଗଠନର ଜିଲ୍ଲା ସଂଯୋଜକ ଶ୍ରୀ ଲିଆକତ ଅଲି ଖାନ୍ ପ୍ରମୁଖ ଯୋଗଦେଇ ବାଳିକାମାନଙ୍କ ଅଧିକାର, ସୁରକ୍ଷା, ଶିକ୍ଷା ଓ ସମାନତା ସମ୍ପର୍କରେ ନିଜ ନିଜର ମତ ରଖିଥିଲେ।
ଏହି ଅବସରରେ ବାଳିକାମାନଙ୍କ ଅଧିକାର ସୁରକ୍ଷା ଓ ବାଲ୍ୟ ବିବାହ ନିରାକରଣ ସମ୍ପର୍କରେ ଏକ ସଚେତନତା ପଦଯାତ୍ରା ଯାଜପୁର ହକି ଷ୍ଟାଡିୟମରୁ ଆରମ୍ଭ ହୋଇ ଯାଜପୁର ସହର ପରିକ୍ରମା କରି ଇଣ୍ଡୋର ଷ୍ଟାଡିୟମରେ ପହଞ୍ଚିଥିଲା। ପରେ ଉପସ୍ଥିତ ଛାତ୍ରଛାତ୍ରୀମାନେ ବାଳିକାମାନଙ୍କ ଅଧିକାରର ସୁରକ୍ଷା ଏବଂ ବାଲ୍ୟ ବିବାହ ନିରାକରଣ ଦିଗରେ ସଚେତନ ରହିବା ପାଇଁ ଶପଥ ପାଠ କରିଥିଲେ।
କାର୍ଯ୍ୟକ୍ରମର ସଫଳ ପରିଚାଳନାରେ ଯାଜପୁର ହକି ଷ୍ଟାଡିୟମର ପ୍ରଶିକ୍ଷକ ଶ୍ରୀମତୀ ଅନିତା କୁଜୁର ଓ ଶ୍ରୀ ସିଦ୍ଧାନ୍ତ ରାଉତ ସହଯୋଗ କରିଥିଲେ। ଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ କର ଜିଲ୍ଲା ପୋଲିସ ପ୍ରଶାସନ ଏବଂ କ୍ରୀଡ଼ା ଅଧିକାରୀ ଶ୍ରୀ ଫକୀରମୋହନ ଟୁଡୁଙ୍କୁ ସେମାନଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
