ନିର୍ମାଣାଧୀନ ପ୍ରକଳ୍ପ ର କାର୍ଯ୍ୟକାରିତା ନେଇ ସମୀକ୍ଷା

ଓଡ଼ିଶାର ପ୍ରଗତିକୁ ଦ୍ରୁତତର କରିବା ଲାଗି ସରକାର ପ୍ରତିଶ୍ରୁତିବଦ୍ଧ

“ରାସ୍ତା ମରାମତି ନୀତି’ ଖୁବଶୀଘ୍ର :ମନ୍ତ୍ରୀ

ଭୁବନେଶ୍ୱର,୦୧/୦୮/୨୦୨୫ (ଓଡ଼ିଶା ସମାଚାର)- ପ୍ରଗତିକୁ ଦ୍ରୁତତର କରିବା ଲାଗି ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ନେଇ ସରକାର ଲକ୍ଷ୍ୟରଖିଥିବା ବେଳେ ଭିତ୍ତିଭୂମିକୁ ସୁଦୃଢ କରିବାକୁ ପଡ଼ିବ ।

ଏଥିପାଇଁ ଜାତୀୟ ରାଜପଥ ଠାରୁ ଆରମ୍ଭ କରି ବିଭାଗ ଅଧୀନରେ ଥିବା ବିଭିନ୍ନ ରାସ୍ତା, ସେତୁ ଓ କୋଠାବାଡ଼ିଗୁଡ଼ିକ ଗୁଣବତା ଓ ସମୟ ଅବଧି ମଧ୍ୟରେ କାର୍ଯ୍ୟ ପରିସମାପ୍ତିକୁ ଗୁରୁତ୍ୱ ଦେବାକୁ ପଡ଼ିବ । ଏଥି ପାଇଁ ବିଭାଗରେ କାର୍ଯ୍ୟ କରୁଥିବା ଅଧିକାରୀମାନଙ୍କୁ ସମୟ ସହିତ ତାଳ ଦେଇ ଅପଡେଟ ହେବା ସହ ଅଧୁନିକ ଜ୍ଞାନକୌଶଳ ତଥା କୃତ୍ରିମ ବୁଦ୍ଧିମତାକୁ ଆପଣାଇବାକୁ ପଡ଼ିବ ବୋଲି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି ।

ପୂର୍ତ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକସେବା ଭବନ କନଭେନସନ ହଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ୫୦ କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ନିର୍ମଣାଧୀନ ପ୍ରକଳ୍ପର ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି ଯେ ବିଭିନ୍ନ ରାସ୍ତା ଘାଟ ତଥା କୋଠାବାଡ଼ିର ନିର୍ମାଣ ସହିତ ଏହାର ମରାମତିକୁ ଗୁରୁତ୍ୱ ଦେବାକୁ ପଡ଼ିବ । ଏଥି ପାଇଁ ବିଭାଗର ଇଞ୍ଜିନିୟର ମାନଙ୍କୁ ସେମାନଙ୍କ କାର୍ଯ୍ୟ ଶୈଳୀରେ ଉନ୍ନତି ଆଣିବାକୁ ପଡ଼ିବ । ଏହି ଅବସରରେ ମନ୍ତ୍ରୀ “ସେତୁ ମରାମତି ନୀତି’କୁ ଉନ୍ମୋଚିତ କରିଥିବା ବେଳେ ଖୁବଶୀଘ୍ର “ରାସ୍ତା ମରାମତି ନୀତି’ ଆସିବାକୁ ଯାଉଛି ବୋଲି କହିଥିଲେ ।

ବୈଠକରେ ପୂର୍ତବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ଯୋଗ ଦେଇ କହିଥିଲେ ଯେ ଆଗକୁ ବଢ଼ିବାକୁ ହେଲେ ପାରମ୍ପରିକ କାର୍ଯ୍ୟଶୈଳୀକୁ ଛାଡ଼ି ଯୁଗୋପଯୋଗୀ ହେବାକୁ ପଡ଼ିବ । ଏହି ଅବସରରେ ମନ୍ତ୍ରୀ ଓ ବିଭାଗୀୟ ପ୍ରମୁଖ ଶାସନ ସଚିବ ବ୍ରହ୍ମ ପୁର ବାଇପାସ୍, ଖୋର୍ଦ୍ଧା ବାଇପାସ୍, ଖରିଆର ଆରଓବି, ପୁରୀ-କୋଣାର୍କ ରାସ୍ତାରେ ଥିବା ମାଟିଆପଡ଼ା ଆରଓବି, ନୟାଗଡ଼ ବାଇପାସ୍, ୪ ଲେନ୍ ବିଶିଷ୍ଟ କେସିଙ୍ଗା-ଜୟପୁର ଟାଉନ୍ ବାଇପାସ୍ ଆରଓବି, ବଲାଙ୍ଗୀରି ବାଇପାସ୍, ଟିଟିଲାଗଡ଼ ବାଇପାସ୍, ବୈତରଣୀ ନଦୀ ଉପରେ ହାଇ ଲେବୁଲ ସେତୁ, ତେଲ ନଦୀ ଉପରେ ନିର୍ମାଣାଧୀନ ହାଇଲେବୁଲ ସେତୁ, କନ୍ଦରପୁର ବାଲିକୁଦା ରାସ୍ତା, ବ୍ରହ୍ମ ପୁର ରିଙ୍ଗରୋଡ଼, କଟକ ରିଙ୍ଗରୋଡ଼ ଏସସିବି ପ୍ରକଳ୍ପ, ପୁରୀ ସହରର ବିଭିନ୍ନ ପ୍ରକଳ୍ପ ତଥା ମା’ସାରଳା, କଟକ ଚଣ୍ଡୀ ମନ୍ଦିର ଆଦି ପ୍ରମୁଖ ମନ୍ଦିର ଉନ୍ନତି ଏବଂ ବିଭିନ୍ନ କ୍ରୀଡ଼ା ଉନ୍ନୟନ ପ୍ରକଳ୍ପ ଯଥା ନୟାଗଡ଼, ବାଲେଶ୍ୱର, ଝାରସୁଗୁଡା ଓ ଯାଜପୁର ସ୍ୱିମିିଙ୍ଗ ପୁଲ ଆଦି ୫୦ କୋଟିରୁ ଊଦ୍ଧ୍ୱର୍ ନିର୍ମାଣାଧୀନ କୋଠାବାଡ଼ି, ରାସ୍ତା, ସେତୁ ଓ ଜାତୀୟ ରାଜପଥ ପ୍ରକଳ୍ପ ଆଦିର ସମୀକ୍ଷା କରିଥିଲେ ।

ଏହି ବୈଠକରେ ଇଆଇସି ସିଭିଲ ସତ୍ୟବ୍ରତ ବେହେରା, ଏଇଆଇସି ତଥା ସ୍ୱତନ୍ତ୍ର ଶାସନ ସଚିବ ଏଲ. କେ. ପାଢ଼ୀ, ଓବିସିସି ପରିଚାଳନା ନିର୍ଦ୍ଧେଶକ ସମୀର ହୋତାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ, ବିଭିନ୍ନ ଜୋନର ଅଧିକ୍ଷଣ ଯନ୍ତ୍ରୀ ଏବଂ ନିର୍ମାଣ ସଂସ୍ଥା ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *