ସହିଦ ବାଜି ରାଉତଙ୍କ ୮୯ତମ ଶ୍ରାଦ୍ଧବାର୍ଷିକୀ ପାଳିତ

ଷ୍ଟାଚ୍ୟୁ ଅଫ ୟୁନିଟ୍ ଢାଞ୍ଚାରେ ବାଜି ରାଉତ ଙ୍କ ର ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ ହେବ : ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଭୁବନ,୧୧/୧୦/୨୦୨୬(ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ନୀଳକଣ୍ଠପୁରଠାରେ ଅମର ସହିଦ ବୀର ବାଜି ରାଉତଙ୍କ ୮୯ତମ ଶ୍ରାଦ୍ଧବାର୍ଷିକୀ ଶ୍ରଦ୍ଧା ଓ ସମ୍ମାନର ସହ ପାଳିତ ହୋଇଯାଇଛି। ଏହି ଅବସରରେ ବ୍ରାହ୍ମଣୀ ନଦୀକୂଳରେ ତିଳତର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହେବା ସହ ବୀର ବାଜି ରାଉତଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା।

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ, ଢେଙ୍କାନାଳ ଏବଂ ବାଜି ରାଉତ ସ୍ମୃତି ପରିଷଦର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ରନାରାୟଣ ପାଣି, କାମାକ୍ଷାନଗର ବିଧାୟକ ଶ୍ରୀ ଶତ୍ରୁଘ୍ନ ଜେନା, ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ, ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅଜିଙ୍କ୍ୟ ବାବୁରାଓ ମାନେ, ଗଁଦିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ରିନାରାଣୀ ଖଟୁଆ ଏବଂ ବାଜି ରାଉତ ସ୍ମୃତି ପରିଷଦର ସଭାପତି ଶ୍ରୀ କୋଦଣ୍ଡଧର ସାହୁ ପ୍ରମୁଖ ଉପସ୍ଥିତ ରହି ବୀର ସହିଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ସଭାରେ ଉଦ୍‌ବୋଧନ ଦେଇ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ ଯେ, ବୀର ବାଜି ରାଉତଙ୍କ ଅମର ଗାଥା ଓ ବଳିଦାନର ଗୌରବମୟ ଇତିହାସକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ। ଏଥିସହ ବ୍ରାହ୍ମଣୀ ନଦୀକୂଳରେ ବାଜି ରାଉତଙ୍କ ଏକ ବିଶାଳ ଓ ଆକର୍ଷଣୀୟ ପ୍ରତିମୂର୍ତ୍ତି ନିର୍ମାଣ କରିବା ପାଇଁ ଯୋଜନା ରହିଥିବା ସେ ପ୍ରକାଶ କରିଥିଲେ। ଏହି ପ୍ରତିମୂର୍ତ୍ତି ଏକତାର ପ୍ରତୀକ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ଢାଞ୍ଚାରେ ନିର୍ମାଣ କରିବାର ପରିକଳ୍ପନା ରହିଛି।

ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ ନିଜ ବକ୍ତବ୍ୟରେ କହିଥିଲେ ଯେ, ବାଜି ରାଉତ ସ୍ମୃତି ପୀଠ ନିକଟରେ ଏକ ଆଧୁନିକ ସ୍ମାରକୀ ପରିସର ନିର୍ମାଣ କରିବା ପାଇଁ ନ୍ୟାସନାଲ ବିଲ୍ଡିଂସ୍ କନଷ୍ଟ୍ରକସନ୍ କର୍ପୋରେସନ୍ ଲିମିଟେଡ୍ (ଏନ୍‌ବିସିସି ଇଣ୍ଡିଆ ଲିମିଟେଡ୍‌)କୁ ଦାୟିତ୍ୱ ଦିଆଯାଉଛି। ଏହି ସ୍ମାରକୀ ପରିସର ବୀର ବାଜି ରାଉତଙ୍କ ଅମର ସ୍ମୃତିକୁ ସଂରକ୍ଷିତ ରଖିବା ସହ ଭବିଷ୍ୟତ ପିଢ଼ିକୁ ତାଙ୍କ ତ୍ୟାଗ, ସାହସ ଓ ଦେଶପ୍ରେମରୁ ପ୍ରେରଣା ଯୋଗାଇବ।

ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ରନାରାୟଣ ପାଣି ନିଜ ବକ୍ତବ୍ୟରେ ବାଜି ରାଉତଙ୍କ ଆଦର୍ଶ ଓ ତାଙ୍କ ବଳିଦାନର ଗାଥାକୁ ଆଗାମୀ ପିଢ଼ି ନିକଟରେ ପହଞ୍ଚାଇବା ଆମ ସମସ୍ତଙ୍କର ସାମୂହିକ ଦାୟିତ୍ୱ ବୋଲି କହିଥିଲେ।

କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଶ୍ରୀନିବାସ ରାଉତ ଧନ୍ୟବାଦ ଅର୍ପଣ କରିଥିବାବେଳେ ଶ୍ରୀ ସତ୍ୟନାରାୟଣ କର ସଭା ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନରେ ଭୁବନ ବିଡିଓ ଶ୍ରୀମତୀ ଆୟୁଷୀ ମହାପାତ୍ର ସକ୍ରିୟ ଭୂମିକା ନିର୍ବାହ କରିଥିଲେ।

Leave a Reply

Your email address will not be published. Required fields are marked *