ଢେଙ୍କାନାଳ,୦୯/୧୦/୨୦୨୬(ଓଡ଼ିଶା ସମାଚାର)-ଗନ୍ଦିଆ ବ୍ଲକ୍ ଅନ୍ତର୍ଗତ ଦିଗାମ୍ବରପୁର ଗ୍ରାମର ମୃତକ ଦୁର୍ଗାବତୀ ରାଉତଙ୍କୁ ଆଜି ପୂର୍ବାହ୍ନରେ ରାଜ୍ୟ ସମ୍ମାନ ପ୍ରଦାନ ପୂର୍ବକ ଆରକ୍ଷୀ ବାହିନୀ ପକ୍ଷରୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୂର୍ଯ୍ୟମଣି ପ୍ରଧାନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ (ଡ଼ି. ଆଇ.ବି.) ଶ୍ରୀ ନିରଞ୍ଜନ ପାଢୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ, ଗନ୍ଦିଆ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରୀନା ରାଣୀ ଖଟୁଆ, ନିହଲ ପ୍ରସାଦ ଥାନା ଅଧିକାରୀ ଶ୍ରୀ ଧୀରେନ୍ଦ୍ର କୁମାର ସ୍ୱାଇଁ, ବିଡ଼ିଓ ଶ୍ରୀ ପବିତ୍ର ମୋହନ ବେହେରା ପ୍ରମୂଖ ପୁଷ୍ପଗୁଚ୍ଛ ଦେଇ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ପ୍ରମୋଦ କୁମାର ରାଉତଙ୍କ ୪୪ ବର୍ଷିୟା ପତ୍ନୀ ଦୁର୍ଗାବତୀ ନିଜର କିଡ଼ନୀ ଓ ଲିଭର ଦାନ ପାଇଁ ସମ୍ମତି ପ୍ରଦାନ କରିଥିଲେ । ବ୍ରେନ୍ ଷ୍ଟେ୍ରାକ୍ ଯୋଗୁଁ ଭୁବନେଶ୍ୱରର ନିଳାଦ୍ରୀ ବିହାରସ୍ଥିତ ଉତ୍କଳ ହସ୍ପିଟାଲରେ ମୃତ୍ୟୁ ବରଣ କରିବା ପରେ ତାଙ୍କର କିଡ଼ନୀ ଓ ଲିଭରକୁ ବାହାର କରି ସଂରକ୍ଷିତ ରଖା ଯାଇଛି । ମୃତକ ଦୁର୍ଗାବତୀଙ୍କ ମର ଶରୀରକୁ ପୂର୍ବାହ୍ନ ୧୦ ଘଟିକା ସମୟରେ ଗ୍ରାମସ୍ଥିତ ମଶାଣିରେ ସମାଧିସ୍ଥ କରାଯାଇଥିଲା । ତାଙ୍କର ଏହି ମହାନ୍ ଦାନ ଯୋଗୁଁ ପ୍ରତିରୋପଣ ଦ୍ୱାରା ଅନ୍ୟର ଜୀବନ ବଞ୍ଚା ଯାଇପାରିବ ।
