ଜଗତସିଂହପୁର, ୦୮/୧୦/୨୦୨୬(ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲ୍ଲାରେ ୯ମ ରାଷ୍ଟ୍ରୀୟ ପୋଷଣ ମାହ ଅବସରରେ ୯ ସେପ୍ଟେମ୍ବର ରୁ ୮ ଅକ୍ଟୋବର ମାସବ୍ୟାପୀ ବିଭିନ୍ନ ସଚେତନତାମୂଳକ ଓ ପୋଷଣ ସମ୍ବନ୍ଧୀୟ କାର୍ଯ୍ୟକ୍ରମର ସମାପନୀ ସମାରୋହ ଆଜି ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।
ଅତିରିକ୍ତ ଜିଲ୍ଲାପାଳ (ପ୍ରସାଶନ) ଶ୍ରୀ ଜ୍ୟୋତି ଶଙ୍କର ରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ବିଭିନ୍ନ ବିଭାଗର ସମ୍ମାନିତ ଅଧିକାରୀ ଓ ଅତିଥିମାନେ ଯୋଗଦେଇଥିଲେ।
ସମାରୋହରେ ଶ୍ରୀ ଜ୍ୟୋତି ଶଙ୍କର ରାୟ ମାତୃ ଓ ଶିଶୁ ସ୍ୱାସ୍ଥ୍ୟର ସୁରକ୍ଷା ଓ ଉନ୍ନତି ଉପରେ ଗୁରୁତ୍ୱାରୋପ କରିଥିଲେ। ସମସ୍ତ ଅଙ୍ଗନବାଡ଼ି କର୍ମୀ ଓ ସୁପରଭାଇଜରମାନେ SNPର ସମ୍ପୂର୍ଣ୍ଣ ଓ ନିୟମିତ ଯୋଗାଣ, SAM/MAM ଶିଶୁଙ୍କର ସଠିକ୍ ଚିହ୍ନଟ, NRCକୁ ଅଧିକ ରେଫରାଲ୍, ଶିଶୁ ମୃତ୍ୟୁ ଓ ମାତୃ-ଶିଶୁ ସ୍ୱାସ୍ଥ୍ୟ ସମସ୍ୟା ହ୍ରାସ ଦିଗରେ ଅଧିକ ଯତ୍ନବାନ ହେବାକୁ ସେ ଆହ୍ୱାନ ଦେଇଥିଲେ। ସେହିପରି ସ୍ଥାନୀୟ ଭାବେ ଉପଲବ୍ଧ ବିଭିନ୍ନ ପୋଷ୍ଟିକ ଖାଦ୍ୟକୁ ଦୈନନ୍ଦିନ ଖାଦ୍ୟତାଲିକାରେ ସାମିଲ କରିବା, ‘ତ୍ରିରଙ୍ଗା ଥାଳି’ ମାଧ୍ୟମରେ ସନ୍ତୁଳିତ ଖାଦ୍ୟ ସମ୍ପର୍କରେ ଜନସଚେତନତା ବୃଦ୍ଧି କରିବା ଏବଂ ଜନଭାଗିଦାରୀ ଓ ଜନଆନ୍ଦୋଳନ ମାଧ୍ୟମରେ ପୋଷଣ ସଚେତନତାକୁ ଅଧିକ ବ୍ୟାପକ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।
ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମାନସୀ ବେହେରା ଅତିଥିମାନଙ୍କୁ ସ୍ୱାଗତ କରିବା ସହ ପୋଷଣ ମାହର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଚଳିତ ବର୍ଷର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ।
ଏରସମା CDPO ଶ୍ରୀମତୀ କୃଷ୍ଣା କୁମାରୀ ରାଉତ ଜିଲ୍ଲାର ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ର ସ୍ତରରେ ପୋଷଣ ମାହ ଅବସରରେ ଆୟୋଜିତ ବିଭିନ୍ନ କାର୍ଯ୍ୟକଳାପ ଓ ସଚେତନତାମୂଳକ କାର୍ଯ୍ୟକ୍ରମର ବିବରଣୀ ଉପସ୍ଥାପନ କରିଥିଲେ।
ଏହି ଅବସରରେ ICDS Biridi project କୁ ଆଧାର, APAAR ଓ ABHA ପଞ୍ଜିକରଣରେ ଉଲ୍ଲେଖନୀୟ ସଫଳତା ଓ ଉତ୍କୃଷ୍ଟ କାର୍ଯ୍ୟ ପାଇଁ ଶ୍ରେଷ୍ଠ ICDS ପ୍ରୋଜେକ୍ଟ ଭାବେ ପୁରସ୍କୃତ କରାଯାଇଛି।
ପୋଷଣ ମାହ ଉପଲକ୍ଷେ ଆୟୋଜିତ ଚିତ୍ରାଙ୍କନ, କୁଇଜ୍, ଓଡ଼ିଆ ଓ ଇଂରାଜୀ ପ୍ରବନ୍ଧ ଲିଖନ ଆଦି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ଓ ଅନ୍ୟ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।
ସମାରୋହରେ ଦେଶୀୟ ଖେଳନା ଓ ବିଭିନ୍ନ ପାରମ୍ପରିକ ପିଠା ପ୍ରଦର୍ଶିତ ହୋଇଥିଲା, ଯାହା ପୋଷଣ ସହିତ ଆମର ସ୍ଥାନୀୟ ଖାଦ୍ୟ ପରମ୍ପରା ଓ ସଂସ୍କୃତିକୁ ଯୋଡ଼ିବାର ବାର୍ତ୍ତା ପ୍ରଦାନ କରିଥିଲା।
ସମାରୋହରେ ADMO (PHO), ଡେପୁଟି କଲେକ୍ଟର (ସଂସ୍ଥା), DM RCH, DCPO, ଜିଲ୍ଲା ଖାଦ୍ୟ ସୁରକ୍ଷା ନିରୀକ୍ଷକଙ୍କ ସମେତ ସମସ୍ତ CDPO, ସେକ୍ଟର ସୁପରଭାଇଜର, POSHAN କର୍ମଚାରୀ, ଅଙ୍ଗନବାଡ଼ି କର୍ମୀ ଏବଂ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
ଶେଷରେ DPC (ମମତା) ଶ୍ରୀମତୀ ତପସ୍ୱିନୀ ସାହୁ ସମସ୍ତ ଅତିଥି, ଅଧିକାରୀ, କର୍ମଚାରୀ, ଅଙ୍ଗନବାଡ଼ି କର୍ମୀ, ଛାତ୍ରଛାତ୍ରୀ ଓ ପ୍ରତିଯୋଗିତାରେ ଅଂଶଗ୍ରହଣକାରୀମାନଙ୍କୁ ଧନ୍ୟବାଦ ଜଣାଇବା ସହିତ ସମାରୋହର ସମାପନ କରିଥିଲେ।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
