କେନ୍ଦ୍ର ବଜେଟ୍‌ରେ ଓଡ଼ିଶାର ବିକାଶକୁ ଦିଆଯାଇଛି ଗୁରୁତ୍ୱ

କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଦେଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା

#      ଓଡ଼ିଶାର ପର୍ଯ୍ୟଟନକ୍ଷେତ୍ର ବିକାଶକୁ କେନ୍ଦ୍ର ବଜେଟରେ ମିଳିଛି ସ୍ୱତନ୍ତ୍ର ସ୍ଥାନ

#       କାର୍ଯ୍ୟରତ ମହିଳାମାନଙ୍କ ପାଇଁ ହଷ୍ଟେଲ ସଂଖ୍ୟା ବୃଦ୍ଧି କରାଯିବାକୁ ଗୁରୁତ୍ୱ

#        ପୂର୍ବୋଦୟ ଯୋଜନାରେ ଓଡ଼ିଶାର ଭୂମିକାକୁ ପ୍ରାଧାନ୍ୟ

ଭୁବନେଶ୍ୱର, ୨୩/୦୭/୨୦୨୪(ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ଲୋକସଭାରେ ଆଗତ ହୋଇଛି କେନ୍ଦ୍ରୀୟ ବଜେଟ । ଅର୍ଥ ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ୨୦୨୪- ୨୫ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ କରିଥିବା ଏହି ବଜେଟରେ ଓଡ଼ିଶାର ମହିଳା ଓ ପର୍ଯ୍ୟଟନ ବିକାଶକୁ ପ୍ରାଧାନ୍ୟ ଦେଇଛନ୍ତି । ସେଥିପାଇଁ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଓ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣଙ୍କୁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଧନ୍ୟବାଦ ଅର୍ପଣ କରିଛନ୍ତି । ଶ୍ରୀମତୀ ପରିଡ଼ା ବଜେଟକୁ ସ୍ୱାଗତ କରିବା ସହିତ ଏହାକୁ ଏକ ଯୁଗାନ୍ତକାରୀ ବଜେଟ ବୋଲି ଉଲ୍ଲେଖ କରିଛନ୍ତି ।

          କେନ୍ଦ୍ର ବଜେଟ ଉପରେ ମତାମତ ରଖି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି ଯେ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ବଜେଟରେ ଗରିବ, ମହିଳା, ଯୁବ ଓ ଅନ୍ନଦାତା(କୃଷକ)ମାନଙ୍କ ବିକାଶ ନିମନ୍ତେ ବିଶେଷ ଧ୍ୟାନ ଦେଇଛନ୍ତି । ମହିଳା ବିକାଶ କ୍ଷେତ୍ରର ଏକାଧିକ ଯୋଜନାକୁ ତ୍ୱରାନ୍ୱିିତ କରିବା ପାଇଁ ବଜେଟରେ ସେ ଆଲୋକପାତ କରିଛନ୍ତି । କର୍ମକ୍ଷେତ୍ରରେ ମହିଳାମାନଙ୍କ ଅଂଶଗ୍ରହଣକୁ ବ୍ୟାପକ କରିବା ପାଇଁ ଶିଳ୍ପକ୍ଷେତ୍ର ସହଯୋଗରେ କାର୍ଯ୍ୟରତ ମହିଳାମାନଙ୍କ ପାଇଁ ହଷ୍ଟେଲ ସଂଖ୍ୟା ବୃଦ୍ଧି ସାଙ୍ଗକୁ କ୍ରେଚ ପ୍ରତିଷ୍ଠାର ପ୍ରସ୍ତାବ ରଖାଯାଇଛି । ସହଭାଗିତାରେ ମହିଳା ନିର୍ଦ୍ଦିଷ୍ଟ ଦକ୍ଷତା କାର୍ଯ୍ୟକ୍ରମ ସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଉଦ୍ୟୋଗ ପାଇଁ ବଜାର ସୁବିଧାକୁ ପ୍ରୋତ୍ସାହନ ପ୍ରଦାନ କରାଯିବ । ଭାରତ ସରକାରଙ୍କ ବିଭିନ୍ନ ଯୋଜନା ଯଥା- ପି. ଏମ. ବିଶ୍‌କର୍ମା, ପି. ଏମ. ସ୍ୱନିଧି, ଜାତୀୟ ଜୀବିକା ମିଶନ ଓ ଷ୍ଟାଣ୍ଡ-ଅପ ଯୋଜନା ଦ୍ୱାରା ସ୍ୱୟଂ ସହାୟକ ଗୋଷ୍ଠୀ ଓ ମହିଳା ଉଦ୍ୟୋଗୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ବଜେଟରେ ମହିଳା ନେତୃତ୍ୱ ବିକାଶକୁ ପ୍ରୋତ୍ସାହନ ଦିଆଯାଇ ମହିଳା ଓ ବାଳିକାମାନଙ୍କ ପାଇଁ ୩ ଲକ୍ଷ କୋଟି ଟଙ୍କାରୁ ଅଧିକ ବ୍ୟୟ ବରାଦ କରାଯିବା ଏକ ଉଲ୍ଲେଖଯୋଗ୍ୟ ପଦକ୍ଷେପ ।

          ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ପୁଣି କହିଛନ୍ତି ଯେ ବଜେଟରେ ମଧ୍ୟ ଓଡ଼ିଶା ପର୍ଯ୍ୟଟନକୁ ସ୍ୱତନ୍ତ୍ର ସ୍ଥାନ ଦିଆଯାଇଛି । ଓଡ଼ିଶାର ପ୍ରାକୃତିକ ବିଭବ, ମନ୍ଦିର, କାରିଗରୀ, ଅନ୍ୟାନ୍ୟ କୀର୍ତ୍ତି, ଅଭୟାରଣ୍ୟ ଏବଂ ବେଳାଭୂମିକୁ ନେଇ ଅର୍ଥ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ସାମଗ୍ରିକ ମାନବୀୟ ଦୃଷ୍ଟି ନେଇ ସାମାଜିକ ନ୍ୟାୟ ଓ ଅର୍ଥନୈତିକ ବିକାଶ ଲକ୍ଷ୍ୟରେ ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ କରାଯିବ । ପୂର୍ବୋଦୟ ଯୋଜନାରେ ଓଡ଼ିଶାକୁ ସାମିଲ କରାଯାଇଛି । ଭୁବନେଶ୍ୱର, କଟକ, ପୁରୀ, ସମ୍ବଲପୁର ଏବଂ ବ୍ରହ୍ମପୁରରେ ଫୁଡ କୋର୍ଟ ପ୍ରତିଷ୍ଠାକ୍ରମେ ଓଡ଼ିଶା ପର୍ଯ୍ୟଟନକୁ ପ୍ରୋତ୍ସାହନ ଦିଆଯିବ । ପର୍ଯ୍ୟଟନ କ୍ଷେତ୍ରରେ ଅଧିକ ନିବେଶ, ଅଧିକ କର୍ମନିଯୁକ୍ତି ସୃଷ୍ଟି ସହିତ  କାରିଗର, ମହିଳା ଓ ସ୍ୱୟଂ ସହାୟକ ଗୋଷ୍ଠୀର କଲ୍ୟାଣକୁ ସୁଦୂରପ୍ରସାରୀ କରାଯିବ ।

          ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ୨୦୨୪-୨୫ ନିମନ୍ତେ ଉପସ୍ଥାପିତ ବଜେଟକୁ ସ୍ୱାଗତ କରିବା ସହ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କର ଭୂୟସୀ ପ୍ରଶଂସା କରିଛନ୍ତି । ଓଡ଼ିଶାରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ଉନ୍ନତି ହେବ ବୋଲି ଶ୍ରୀମତୀ ପରିଡ଼ା ଆଶା ବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *