ପ୍ରସ୍ତୁତିର ସମୀକ୍ଷା କଲେ ମାନ୍ୟବର ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର; ସମନ୍ୱିତ ପ୍ରୟାସ ସହ ‘ଅତିଥି ଦେବୋ ଭବ’ ଭାବନାରେ ଆୟୋଜନକୁ ସଫଳ କରିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର,୦୮/୧୦/୨୦୨୬(ଓଡ଼ିଶା ସମାଚାର)-ଓଡ଼ିଶାରେ ପ୍ରଥମ ଥର ପାଇଁ ପୂର୍ବ ଭାରତରେ ୧୯ତମ ଅର୍ବାନ୍ ମୋବିଲିଟି ଇଣ୍ଡିଆ (UMI) ସମ୍ମିଳନୀ-ସହ-ପ୍ରଦର୍ଶନୀ ଓ ୨ୟ ନ୍ୟାସନାଲ ଅର୍ବାନ କନକ୍ଲେଭ୍ ଆୟୋଜିତ ହେବାକୁ ଯାଉଛି। ଏହି ଜାତୀୟସ୍ତରୀୟ ଆୟୋଜନକୁ ରାଜ୍ୟ ପାଇଁ ଏକ ସ୍ମରଣୀୟ ଅବସରରେ ପରିଣତ କରିବା ଲକ୍ଷ୍ୟରେ ଆଜି ମାନ୍ୟବର ଗୃହ ଓ ନଗର ଉନ୍ନୟନ ଏବଂ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର ଏହାର ପ୍ରସ୍ତୁତିର ସମୀକ୍ଷା କରିବା ସହ ବିଭିନ୍ନ ବିଭାଗ ମଧ୍ୟରେ ସୁସମନ୍ୱୟ ରକ୍ଷା କରି କାର୍ଯ୍ୟ ସମ୍ପାଦନ କରିବାକୁ ଗୁରୁତ୍ୱାରୋପ କରିଛନ୍ତି।
ଆସନ୍ତା ଅକ୍ଟୋବର ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ହୋଟେଲ୍ ମେଫେୟାର ସାଙ୍କଚୁଆରୀଠାରେ ଏହି ତିନିଦିନିଆ ଆୟୋଜନ ଅନୁଷ୍ଠିତ ହେବ। ଭାରତ ସରକାରଙ୍କ ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ (MoHUA) ପକ୍ଷରୁ ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ କମ୍ପ୍ରିହେନସିଭ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (CRUT)ର ସହଯୋଗରେ ଏହା ଆୟୋଜିତ ହେଉଛି। ଚଳିତ ବର୍ଷର ଆୟୋଜନର ବିଷୟବସ୍ତୁ ରହିଛି “Urban Accessibility and Liveability in the Digital Age: Advancing Rail-led Development”।
ଏହି ପରିପ୍ରେକ୍ଷୀରେ ଆଜି ଖାରବେଳ ଭବନଠାରେ ମାନ୍ୟବର ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ବିଭାଗ ଓ ସଂସ୍ଥା ପକ୍ଷରୁ ଚାଲିଥିବା ପ୍ରସ୍ତୁତି ଏବଂ ଦାୟିତ୍ୱଗୁଡ଼ିକର ଅଗ୍ରଗତି ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା।
ଏହି ବୈଠକରେ ଗୃହ ଓ ନଗର ଉନ୍ନୟନ ବିଭାଗ ସମେତ କ୍ରୁଟ, ଗୃହ, ନିର୍ମାଣ, ପର୍ଯ୍ୟଟନ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ସୂଚନା ଓ ଲୋକସମ୍ପର୍କ, ମିଶନ ଶକ୍ତି ଆଦି ବିଭାଗର ବରିଷ୍ଠ ଅଧିକାରୀ ଓ ନୋଡାଲ ଅଧିକାରୀମାନେ ଯୋଗ ଦେଇଥିଲେ।
ଏହି ଆୟୋଜନର ଜାତୀୟ ଗୁରୁତ୍ୱକୁ ଦୃଷ୍ଟିରେ ରଖି ସମସ୍ତ ବିଭାଗ ଓ ସଂସ୍ଥା ମଧ୍ୟରେ ନିବିଡ଼ ସମନ୍ୱୟ ରକ୍ଷା କରି ପ୍ରତ୍ୟେକ କାର୍ଯ୍ୟକୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ସୁଚାରୁ ଭାବେ ସମ୍ପାଦନ କରିବାକୁ ଡ. ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। କେବଳ ସମ୍ମିଳନୀ ସ୍ଥଳ ନୁହେଁ, ସମଗ୍ର ସହରରେ ଅତିଥିମାନଙ୍କ ଅନୁଭୂତିକୁ ସୁନ୍ଦର ଓ ସ୍ମରଣୀୟ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ଏଥିପାଇଁ ନଗର ଯାତାୟାତ, ଆତିଥ୍ୟ, ପରିମଳ, ସୌନ୍ଦର୍ଯ୍ୟକରଣ, ଭିତ୍ତିଭୂମି, ସୁରକ୍ଷା, ପ୍ରୋଟୋକଲ୍, ସାଂସ୍କୃତିକ ପ୍ରଦର୍ଶନ ଓ ଅତିଥି ସୁବିଧା ଆଦି ସମସ୍ତ ଦିଗରେ ସମନ୍ୱିତ ପ୍ରସ୍ତୁତି କରିବାକୁ ସେ କହିଥିଲେ।
ମାନ୍ୟବର ମନ୍ତ୍ରୀ କହିଥିଲେ ଯେ, ପୂର୍ବ ଭାରତରେ ପ୍ରଥମ ଥର ପାଇଁ ଜାତୀୟ ନଗର ସମ୍ମିଳନୀ ଓଡ଼ିଶାରେ ଆୟୋଜିତ ହେବା ରାଜ୍ୟ ପାଇଁ ଏକ ଗୌରବର ଅବସର। ନଗର ଯାତାୟାତ ଏହି ଆୟୋଜନର ମୁଖ୍ୟ ଆକର୍ଷଣ ହୋଇଥିବା ବେଳେ, ଏହା ମାଧ୍ୟମରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ନୀତି ନିର୍ଦ୍ଧାରକ, ନଗର ବିଶେଷଜ୍ଞ, ପ୍ରତିନିଧି ଓ ଅତିଥିମାନଙ୍କ ସମ୍ମୁଖରେ ନଗର ଉନ୍ନୟନ ଓ ନଗର ଯାତାୟାତ କ୍ଷେତ୍ରରେ ଓଡ଼ିଶାର ଅଗ୍ରଗତି, ପଦକ୍ଷେପ ଓ ଭବିଷ୍ୟତ ଦୃଷ୍ଟିକୋଣକୁ ପ୍ରଦର୍ଶନ କରିବାର ସୁଯୋଗ ମିଳିବ ବୋଲି ସେ କହିଥିଲେ।
“ଆମର ଅତିଥିମାନେ କେବଳ ଏକ ସୁଚାରୁ ଭାବେ ଆୟୋଜିତ ଜାତୀୟସ୍ତରୀୟ କାର୍ଯ୍ୟକ୍ରମର ଅନୁଭବ ନେଇ ଫେରନ୍ତୁ ନାହିଁ, ବରଂ ଓଡ଼ିଶାର ଆତିଥ୍ୟ ଓ ଜଣେ ଓଡ଼ିଆ ହେବାର ଭାବନାକୁ ମଧ୍ୟ ଅନୁଭବ କରି ଫେରନ୍ତୁ। ‘ଅତିଥି ଦେବୋ ଭବ’ ଭାବନା ଆମର ପ୍ରସ୍ତୁତି ଓ ଆତିଥ୍ୟର ମାର୍ଗଦର୍ଶକ ହେବା ଉଚିତ। ପ୍ରତ୍ୟେକ ଅଧିକାରୀ, ପ୍ରତିନିଧି ଓ ଅତିଥି ଓଡ଼ିଶାର ଏକ ସ୍ମରଣୀୟ ଅନୁଭୂତି ନେଇ ଫେରନ୍ତୁ,” ମାନ୍ୟବର ମନ୍ତ୍ରୀ କହିଥିଲେ।
ଏହି ଆୟୋଜନର ସଫଳତା ରାଜ୍ୟ ସରକାରଙ୍କ ସାମୂହିକ ପ୍ରୟାସକୁ ପ୍ରତିଫଳିତ କରିବା ଆବଶ୍ୟକ ବୋଲି ମନ୍ତ୍ରୀ କହିବା ସହ ସମସ୍ତ ବିଭାଗ ଏକ ସମନ୍ୱିତ ଟିମ୍ ଭାବେ କାର୍ଯ୍ୟ କରିବାକୁ କହିଥିଲେ। ପ୍ରତ୍ୟେକ କାର୍ଯ୍ୟଧାରାର ନିୟମିତ ସମୀକ୍ଷା କରିବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ଦାୟିତ୍ୱ ସମ୍ପାଦନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ଆୟୋଜନର ସୁଚାରୁ ସମନ୍ୱୟ ପାଇଁ ଅର୍ଥ ଓ ବଜେଟ୍, ଲଜିଷ୍ଟିକ୍ସ ଓ ଆବାସ, ପ୍ରଦର୍ଶନୀ, ସ୍ଥାନ ପରିଚାଳନା, ସେମିନାର, ଖାଦ୍ୟ, ଭିଆଇପି ଅତିଥି ପରିଚାଳନା, ପୁରସ୍କାର ଓ ସମ୍ମାନ, ଯୋଗାଯୋଗ ଓ ଗଣମାଧ୍ୟମ ପରିଚାଳନା, ପ୍ରକାଶନ, ଅତ୍ୟାବଶ୍ୟକ ସେବା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ପାଇଁ ବିଭିନ୍ନ କମିଟି ଗଠନ କରାଯାଇଛି।
ଏହି ଆୟୋଜନରେ ପ୍ରାୟ ୧,୦୦୦ରୁ ୧,୫୦୦ ପ୍ରତିନିଧି ଯୋଗଦେବା ସହ ପ୍ରାୟ ୫୧ଟି ପ୍ରଦର୍ଶନୀ ଷ୍ଟଲ୍ ସ୍ଥାନ ପାଇବ। ନୀତିଗତ ଆଦାନପ୍ରଦାନ, ଜ୍ଞାନ ବିନିମୟ, ପ୍ରଯୁକ୍ତି ପ୍ରଦର୍ଶନୀ, ଶିଳ୍ପ-ସରକାର ଆଲୋଚନା ଏବଂ ବିଭିନ୍ନ ସହରର ଅନୁଭୂତି ଓ ଶ୍ରେଷ୍ଠ ପଦକ୍ଷେପ ବିନିମୟ ପାଇଁ ଏହା ଏକ ଜାତୀୟ ମଞ୍ଚ ଭାବେ କାର୍ଯ୍ୟ କରିବ।
ସମସ୍ତ ବିଭାଗର ସମନ୍ୱିତ ପ୍ରୟାସ ଦ୍ୱାରା ଓଡ଼ିଶା ଏହି ଜାତୀୟସ୍ତରୀୟ ଆୟୋଜନକୁ ସଫଳତାର ସହ ଆୟୋଜନ କରିବା ସହ ଦେଶର ବିଭିନ୍ନ ସ୍ଥାନରୁ ଆସୁଥିବା ପ୍ରତିନିଧି ଓ ଅତିଥିମାନଙ୍କୁ ଏକ ସୁଚାରୁ, ସମୃଦ୍ଧ ଓ ସ୍ମରଣୀୟ ଅନୁଭୂତି ପ୍ରଦାନ କରିବ ବୋଲି ମାନ୍ୟବର ମନ୍ତ୍ରୀ ଆଶା ପ୍ରକାଶ କରିଥିଲେ।
“ଗୃହ ଓ ନଗର ଉନ୍ନୟନ ବିଭାଗ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତି ପଥରେ ଅଛି ଏବଂ ଏହି ଆୟୋଜନକୁ ଏକ ବୃହତ୍ ସଫଳତାରେ ପରିଣତ କରିବା ପାଇଁ ପୂର୍ଣ୍ଣ ଗତିରେ ପ୍ରସ୍ତୁତି ଚାଲିଛି,” ବୋଲି ମାନ୍ୟବର ମନ୍ତ୍ରୀ କହିଥିଲେ। ଏହି ଜାତୀୟ ଆୟୋଜନ ଓଡ଼ିଶାର ନଗର ଉନ୍ନୟନ ଯାତ୍ରାରେ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ।
ବୈଠକରେ ଶ୍ରୀ ମହମ୍ଦ ସାଦିକ୍ ଆଲମ, ପରିଚାଳନା ନିର୍ଦ୍ଦେଶକ, କ୍ରୁଟ; ଶ୍ରୀ ଅରିନ୍ଦମ ଡାକୁଆ, ନିର୍ଦ୍ଦେଶକ, ମ୍ୟୁନିସିପାଲ୍ ଆଡମିନିଷ୍ଟ୍ରେସନ୍; ଏବଂ ଶ୍ରୀ ଚଞ୍ଚଳ ରାଣା, ଭୁବନେଶ୍ୱର ମହାନଗର ନିଗମର କମିଶନର, ବିଡିଏର ଉପାଧ୍ୟକ୍ଷ ଏବଂ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକଙ୍କ ସମେତ ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ଅନ୍ୟ ସମ୍ପୃକ୍ତ ବିଭାଗ ବରିଷ୍ଠ ଅଧିକାରୀ, ସ୍ୱତନ୍ତ୍ର ଶାସନ ସଚିବ, ଅତିରିକ୍ତ ଶାସନ ସଚିବ, ଉପ ଶାସନ ସଚିବ ଏବଂ ନୋଡାଲ ଅଧିକାରୀମାନେ ଉପସ୍ଥିତ ଥିଲେ।
-0-
ଅନିଶା କର ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
