ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟରେ ପ୍ରାକ୍ ନିର୍ବାଚନୀ ହିଂସା

ଯାଜପୁର,୦୮/୧୦/୨୦୨୬(ଓଡ଼ିଶା ସମାଚାର)- ଯାଜପୁର ଜିଲ୍ଲାର ପ୍ରମୁଖ ଶିକ୍ଷାନୁଷ୍ଠାନ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟରେ ପ୍ରାକ୍ ନିର୍ବାଚନୀ ହିଂସାକାଣ୍ଡ ଦେଖା ଦେଇଛି , ଯାହା୍କୁ ନେଇ ପରିସ୍ଥିତି ଅଶାନ୍ତ ହୋଇପଡ଼ିଛି । କ୍ୟାମ୍ପସରେ ପ୍ରାକ୍ ନିର୍ବାଚନୀ ହିଂସାକାଣ୍ଡ ଯୋଗୁ ଏକାଧିକ ସ୍ଥାନରେ ବୋମା ମାଡ଼ ହୋଇଛି । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ କଲେଜ ପରିସର ଅଶାନ୍ତ ହୋଇପଡ଼ିଥିଲା ।

ପ୍ରିନ୍ସିପାଲଙ୍କ ସରକାରୀ ବାସଭବନ ସମ୍ମୁଖରେ ଏବଂ ବଏଜ୍ ହଷ୍ଟେଲ ପରିସରରେ ପୃଥକ ପୃଥକ ଭାବେ ଦୁଇଟି ବୋମାମାଡ଼ ହୋଇଥିଲା । କଲେଜ ଗେଷ୍ଟହାଉସ ଏବଂ ପ୍ରିନ୍ସିପାଲଙ୍କ ବାସଭବନ ଫାଟକ ନିକଟରୁ କିଛି ଅଫୁଟା ବୋମା ଜବତ ହୋଇଛି । ଘଟଣା ପରେ ମହାବିଦ୍ୟାଳୟର କର୍ତ୍ତୃପକ୍ଷ ଯାଜପୁର ରୋଡ଼ ଆଦର୍ଶ ଥାନାରେ ଏକ ଲିଖିତ ଏତଲା ଦେଇଛନ୍ତି ।

ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଘଟଣାସ୍ଥଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି । ପୁଲିସ ଘଟଣାର ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଥିବାବେଳେ ସିସିଟିଭି ଫୁଟେଜ୍ ଆଧାରରେ ସଂପୃକ୍ତ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିବା ପାଇଁ ପ୍ରୟାସ ଜାରି ରହିଛି । ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

Leave a Reply

Your email address will not be published. Required fields are marked *