ଘଟଗାଁ,୦୫/୧୦/୨୦୨୬ (ଓଡିଶା ସମାଚାର)- ପରିବେଶରେ ଦ୍ରୁତ ପରିବର୍ତ୍ତନ ଓ ଜୀବନ ଯାପନ ଶୈଳୀର ପରିବର୍ତ୍ତନ ଯୋଗୁଁ ଅନେକ ପଶୁପକ୍ଷୀଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ, ସ୍ଥାନୀୟ ଅଞ୍ଚଳରେ ହଜାର ହଜାର ଘର ଚଟିଆଙ୍କ ଉପସ୍ଥିତି ପକ୍ଷୀ ପ୍ରେମୀଙ୍କ ମନରେ ଖୁସି ଭରି ଦେଇଛି।
ଜୈବ ବିବିଧତାର ସନ୍ତୁଳନ ରକ୍ଷାରେ ପ୍ରତ୍ୟେକ ଜୀବଙ୍କର ଗୁରୁତ୍ୱ ରହିଛି। ଜଙ୍ଗଲ କ୍ଷୟ, ଅବାଧ ନିର୍ମାଣ ଓ ପରିବେଶ ପରିବର୍ତ୍ତନର ପ୍ରଭାବରେ ଗତ ପ୍ରାୟ ପାଞ୍ଚ ବର୍ଷ ଧରି ଏହି ଅଞ୍ଚଳରେ ଘର ଚଟିଆଙ୍କ ସଂଖ୍ୟା ଖୁବ କମ୍ ଦେଖିବାକୁ ମିଳୁଥିଲା। ଫଳରେ ଏହି ଛୋଟ ପକ୍ଷୀଟି ବିଲୁପ୍ତି ମୁଖୀ ହେଉଥିବା ନେଇ ଚିନ୍ତା ପ୍ରକାଶ ପାଇଥିଲା। ତେବେ ୧୦-୧୨ ଦିନ ହେଲା ସ୍ଥାନୀୟ ବଜାର ଓ ଏହାର ଆଖପାଖ ଅଞ୍ଚଳରେ ହଜାର ହଜାର ଘର ଚଟିଆ ଦେଖିବାକୁ ମିଳୁଛନ୍ତି।ବିଶେଷକରି ପ୍ରତିଦିନ ସନ୍ଧ୍ୟାରେ ରାତ୍ରିଯାପନ ପାଇଁ ଦଳଦଳ ହୋଇ ଉଡ଼ି ଆସୁଥିବା ଘର ଚଟିଆଙ୍କ ମନୋହର ଦୃଶ୍ୟ ସ୍ଥାନୀୟ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି।
ଏହି ଦୃଶ୍ୟକୁ ନେଇ ପକ୍ଷୀ ପ୍ରେମୀମାନେ ଖୁସି ବ୍ୟକ୍ତ କରିବା ସହ ଘର ଚଟିଆଙ୍କ ସୁରକ୍ଷା ଓ ପରିବେଶ ସଂରକ୍ଷଣ ପାଇଁ ସଚେତନତାର ଆବଶ୍ୟକତା ରହିଛି ବୋଲି କହିଛନ୍ତି।
