— ଅକ୍ଷିମୁଠି ଅନୁକୂଳ ସହ ଚାଷ କାର୍ଯ୍ୟର ଶୁଭାରମ୍ଭ କଲେ ଜିଲ୍ଲାପାଳ
— ଯାଜପୁର ଜିଲ୍ଲାର ୧,୯୯,୨୧୪ ଜଣ ଚାଷୀଙ୍କୁ ମିଳିଲା ସିଏମ କିଷାନ୍ ସହାୟତା ରାଶି
ଯାଜପୁର, ୨୦/୦୪/୨୬(ଓଡ଼ିଶା ସମାଚାର)- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲା କୃଷି ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ କୃଷକ ଦିବସ ୨୦୨୬ ଆୟୋଜିତ ହୋଇଛି। ନବବର୍ଷର ପ୍ରଥମ କୃଷି ପର୍ବ ଅକ୍ଷୟ ତୃତୀୟାକୁ ରାଜ୍ୟ ସରକାର ୧୯୯୮ ମସିହାଠାରୁ କୃଷକ ଦିବସ ରୂପେ ପାଳନ କରି ଆସୁଛନ୍ତି। ଯାଜପୁର ବ୍ଲକର ମହେଶ୍ୱରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜୟପୁର ଗ୍ରାମରେ କୃଷକ ଦିବସ ଏବଂ ଅକ୍ଷିମୁଠି କାର୍ଯ୍ୟକ୍ରମ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଯୋଗ ଦେଇ ଭୂମି ପୂଜନ କରିଥିଲେ। ଏହାପରେ ଜିଲ୍ଲାପାଳ ଶ୍ରୀ କର ଚାଷ ଜମିରେ ଅକ୍ଷିମୁଠି ବିହନ ବୁଣିଥିଲେ।
ଏହାସହ ପାରମ୍ପରିକ ପଦ୍ଧତିରେ ବଳଦ ଲଙ୍ଗଳ ସାହାଯ୍ୟରେ ହଳ କରାଯାଇଥିଲା। ସଭାରେ ଯୋଗ ଦେଇ ଜିଲ୍ଲାପାଳ କହିଥିଲେ ଯେ ଚାଷୀ ଓ ଚାଷ ହିଁ ଆମ ସମାଜର ମୂଳଦୁଆ ଏବଂ ଆଜି ତାହାର ଶୁଭାରମ୍ଭ ହୋଇଛି। ଜଳବାୟୁ ପରିବର୍ତ୍ତନ ସହ ଚାଷ ପ୍ରଣାଳୀରେ ମଧ୍ୟ ପରିବର୍ତ୍ତନ ପରିଲକ୍ଷିତ ହେଉଛି। ତଥାପି ଅକ୍ଷୟ ତୃତୀୟାରେ ମାଟି ମାଆର ପୂଜାର୍ଚ୍ଚନା କରି ଅକ୍ଷିମୁଠି ଅନୁକୂଳ କରି ଚାଷ କାମ ଆରମ୍ଭ ହୁଏ। ଏହା ଓଡ଼ିଆ ଜାତିର ଏକ ପ୍ରଧାନ ପର୍ବ ଏବଂ ପରମ୍ପରା ବୋଲି ଜିଲ୍ଲାପାଳ କହିଥିଲେ। କୃଷକ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଭାସୀ ମାଧ୍ୟମରେ ରାଜ୍ୟର କୃଷକ ହିତାଧିକାରୀମାନଙ୍କୁ ସିଏମ୍ କିଷାନ୍ ଯୋଜନା ଅନ୍ତର୍ଗତ ଖରିଫ ୨୦୨୬ ନିମନ୍ତେ ଆର୍ଥିକ ସହାୟତା ରାଶି ବଣ୍ଟନ କରିଥିଲେ।
ସେହିକ୍ରମରେ ଆଜି ଯାଜପୁର ଜିଲ୍ଲାର ୧,୯୯,୨୧୪ ଜଣ ଚାଷୀ ସିଏମ କିଷାନ୍ ଯୋଜନାରେ ସହାୟତା ରାଶି ପାଇଛନ୍ତି। କୃଷକ ଦିବସ ସମାରୋହରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ସୁରେଶ ଚନ୍ଦ୍ର ମଲ୍ଲିକ, କୃଷି ଜିଲ୍ଲା ଅଧିକାରୀ ଶ୍ରୀ ଭବାନୀ ଶଙ୍କର ମିଶ୍ର, ଜିଲ୍ଲା ମତ୍ସ୍ୟସମ୍ପଦ ଅଧିକାରୀ ଶ୍ରୀମତୀ ରଞ୍ଜିତା ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ, ଉଦ୍ୟାନ କୃଷି ସହକାରୀ ନିର୍ଦ୍ଦେଶକ ଶ୍ରୀ ରାଧେଶ୍ୟାମ ବେହେରା, ଏଡିଏସସି ଋତୁପର୍ଣ୍ଣା ଜେନା ଏବଂ ମହେଶ୍ୱରପୁର ସରପଞ୍ଚ ଯୋଗ ଦେଇଥିଲେ। ଏହି ଅବସରରେ ଜିଲ୍ଲାପାଳ ଏବଂ ଅତିଥିମାନେ ବୃକ୍ଷରୋପଣ କରିବା ସହ ପତାକା ଦେଖାଇ କୃଷି ସଚେତନତା ରଥର ଉଦଘାଟନ କରିଥିଲେ। କୃଷି ଜିଲ୍ଲା ଅଧିକାରୀ ଶ୍ରୀ ପୀୟୂଷ ପଲ୍ଲବ ପରିଡ଼ା ମଞ୍ଚ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ସହକାରୀ କୃଷି ଅଧିକାରୀ, ବ୍ଲକ୍ କୃଷି ଅଧିକାରୀ, ସହକାରୀ ନିର୍ଦ୍ଦେଶକ, କର୍ମଚାରୀ ଏବଂ ୧୦୦ ରୁ ଉର୍ଦ୍ଧ୍ୱ ଚାଷୀ ଭାଇଭଉଣୀମାନେ ଉପସ୍ଥିତ ଥିଲେ।
