ପରିସ୍ଥିତି ପ୍ରତି ପ୍ରସ୍ତୁତ ରହିବାକୁ ଜିଲାପାଳମାନଙ୍କୁ ନିର୍ଦେଶ
ଭୁବନେଶ୍ୱର,୨୯/୦୯/୨୦୨୬ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ସ୍କୁଲ ବହି ତ୍ରୁଟି ପ୍ରସଙ୍ଗ ଓ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ସହିତ ୬ ଦଫା ଦାବିରେ ଆସନ୍ତାକାଲି (ବୁଧବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଂଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି ନବନିର୍ମାଣ କୃଷକ ସଂଗଠନ ଏବଂ ଯୁବଛାତ୍ର ସଂଗଠନର ପ୍ରତିଷ୍ଠାତା ଅକ୍ଷୟ କୁମାର ।
ନବନିର୍ମାଣ ଯୁବଛାତ୍ର ସଂଗଠନ ଏବଂ କୃଷକ ସଂଗଠନର ପ୍ରତିଷ୍ଠାତା ଅକ୍ଷୟ କୁମାର କହିଛନ୍ତି ଯେ, ପିଲାମାନଙ୍କ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ୧୬୭୮ଟି ଭୁଲ୍ ରହିଛି । ଏହାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱୀକାର କରିବା ସତ୍ୱେ ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ବହି ବିଭ୍ରାଟ ପ୍ରତିବାଦରେ ନବନିର୍ମାଣ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ଏମ.ଡ଼ି ମନୱର ଅଲ୍ଲୀଙ୍କ ନେତୃତ୍ୱରେ ଅଗଷ୍ଟ ୨୦ ତାରିଖରୁ ଜାରି ରହିଥିବା ଅନିର୍ଦ୍ଧିଷ୍ଟକାଳୀନ ଅନଶନ ଓ ସତ୍ୟାଗ୍ରହ ଆଜି ୪୧ ଦିନରେ ପହଂଚିବା ପରେ ମଧ୍ୟ ସରକାର ନୀରବ ରହିଥିବା କୁହାଯାଇଛି ।
୧୨ ଘଂଟିଆ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯିବା ପରେ ଓଡ଼ିଶା ଗୃହ ବିଭାଗ ଏକ ବିଜ୍ଞପ୍ତି ଜାରି କରିଛି । ଏହା ମାଧ୍ୟମରେ, ଯୁଗ୍ମ ସଚିବ ଶରତ ଚନ୍ଦ୍ର ମାରାଣ୍ଡି ସମସ୍ତ ଜିଲାପାଳ ଓ ଜିଲା ମାଜିଷ୍ଟ୍ରେଟ୍ମାନଙ୍କୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମ୍ଭାବ୍ୟ ରାସ୍ତା ଅବରୋଧ, ଯାତାୟାତ ବାଧାପ୍ରାପ୍ତ ହେବା ଏବଂ ଟାୟାର ଜାଳିବା ଭଳି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦେଇଛନ୍ତି ।
