ପ୍ରତିଷ୍ଠିତ ଓଡ଼ିଆ ଇଞ୍ଜିନିୟର ଅଶୋକ ବସା ଡବ୍ଲ୍ୟୁ.ଏଫ.ଇ.ଓ. ର ଆଭ୍ୟନ୍ତରୀଣ ଅଡିଟ୍ କମିଟିର ଅଧ୍ୟକ୍ଷ ନିଯୁକ୍ତ

                          ନବଗଠିତ ଅନ୍ତର୍ଜାତୀୟ କମିଟିର ପ୍ରଥମ ଅଧ୍ୟକ୍ଷ ହେଲେ ଇଂ. ବସା

ଭୁବନେଶ୍ୱର,୨୯/୦୯/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- : ବିଶ୍ୱସ୍ତରରେ ଭାରତର ଇଞ୍ଜିନିୟରିଂ ନେତୃତ୍ୱ ପାଇଁ ଏକ ଗୌରବମୟ ସ୍ୱୀକୃତି ସ୍ୱରୂପରେ ଇନ୍‌ଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ (ଇଣ୍ଡିଆ) ର ପୂର୍ବତନ ସଭାପତି ତଥା ପ୍ରତିଷ୍ଠିତ ଓଡ଼ିଆ ଇଞ୍ଜିନିୟର ଅଶୋକ ବସାଙ୍କୁ ୱାର୍ଲ୍ଡ ଫେଡେରେସନ୍ ଅଫ୍ ଇଞ୍ଜିନିୟରିଂ ଅର୍ଗାନାଇଜେସନ୍ସ (ଡବ୍ଲ୍ୟୁ.ଏଫ.ଇ.ଓ.) ର ଆଭ୍ୟନ୍ତରୀଣ ଅଡିଟ୍ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି ।

ଡବ୍ଲ୍ୟୁ.ଏଫ.ଇ.ଓ. ପକ୍ଷରୁ ଏହି ନିଯୁକ୍ତି ୨୮ ସେପ୍ଟେମ୍ବର ୨୦୨୬ରୁ କାର୍ଯ୍ୟକାରୀ ହୋଇଛି ଏବଂ ଏହି କମିଟିର ନିର୍ଦ୍ଧାରିତ କାର୍ଯ୍ୟକାଳ ୨୦୨୭ ମସିହା ଶେଷ ପର୍ଯ୍ୟନ୍ତ ରହିବ । ଡବ୍ଲ୍ୟୁ.ଏଫ.ଇ.ଓ. ପକ୍ଷରୁ ଏହି ଆଭ୍ୟନ୍ତରୀଣ ଅଡିଟ୍ କମିଟି ପ୍ରଥମ ଥର ପାଇଁ ଗଠନ କରାଯାଇଥିବାରୁ, ଇଂ. ଅଶୋକ ବସା ଏହାର ପ୍ରଥମ ଅଧ୍ୟକ୍ଷ ହେବାର ଗୌରବ ଅର୍ଜନ କରିଛନ୍ତି ।

ଡବ୍ଲ୍ୟୁ.ଏଫ.ଇ.ଓ. ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ମୋଏଜ୍ ଚକଚକ୍ ତାଙ୍କ ନିଯୁକ୍ତିପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଏହି ନିଯୁକ୍ତି ଇଞ୍ଜିନିୟର ବସାଙ୍କ ଉଲ୍ଲେଖନୀୟ ନେତୃତ୍ୱ, ବୃତ୍ତିଗତ ପ୍ରତିଷ୍ଠା ଏବଂ ବିଶ୍ୱସ୍ତରରେ ଇଞ୍ଜିନିୟରିଂର ଉତ୍କର୍ଷକୁ ଆଗେଇ ନେବା ପ୍ରତି ତାଙ୍କର ପ୍ରତିବଦ୍ଧତା ଉପରେ ଫେଡେରେସନ୍‌ର ଆସ୍ଥାର ପ୍ରତିଫଳନ ଅଟେ । ଏଥିସହିତ, ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ସୁଶାସନ ପ୍ରତି ଡବ୍ଲ୍ୟୁ.ଏଫ.ଇ.ଓ. ର ପ୍ରତିବଦ୍ଧତାକୁ ସୁଦୃଢ଼ କରିବାରେ ଇଂ. ବସାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ ।

କମିଟିର ଅଧ୍ୟକ୍ଷ ଭାବେ ଇଂ. ବସା ଡବ୍ଲ୍ୟୁ.ଏଫ.ଇ.ଓ. ର ଆଭ୍ୟନ୍ତରୀଣ ନିୟନ୍ତ୍ରଣ ବ୍ୟବସ୍ଥାର ଦକ୍ଷତା ଓ ପ୍ରଭାବଶୀଳତାର ସମୀକ୍ଷା, ପ୍ରଚଳିତ ନୀତି ଓ ନିୟମାବଳୀର ଅନୁପାଳନ, ଫେଡେରେସନ୍‌ର ସମ୍ପତ୍ତି ଓ ସ୍ୱାର୍ଥର ସୁରକ୍ଷା ଏବଂ ଆର୍ଥିକ ଓ ପରିଚାଳନା ସମ୍ପର୍କିତ ତଥ୍ୟର ସଠିକତା ଓ ବିଶ୍ୱସନୀୟତାର ସମୀକ୍ଷା ଭଳି ଗୁରୁଦାୟିତ୍ୱ ତୁଲାଇବେ । ଏଥିସହିତ, ଆଭ୍ୟନ୍ତରୀଣ ଅଡିଟ୍ ସମୟରେ ଚିହ୍ନଟ ହୋଇଥିବା ତ୍ରୁଟିର ସୁଧାର ପାଇଁ ନିଆଯାଇଥିବା ପଦକ୍ଷେପ ଅନୁସରଣ ଏବଂ କମିଟିର କାର୍ଯ୍ୟପରିସର ମଧ୍ୟରେ ଆସୁଥିବା ତଦନ୍ତର ନେତୃତ୍ୱ ମଧ୍ୟ ସେ ନେବେ  ।

ଏହି କମିଟି ଡବ୍ଲ୍ୟୁ.ଏଫ.ଇ.ଓ. ର ଏକ୍ଜିକ୍ୟୁଟିଭ୍ ବୋର୍ଡ, ସଚିବାଳୟ ଏବଂ କମିଟିର ସଦସ୍ୟମାନଙ୍କ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବ । ଏଥିସହିତ, କମିଟିର କାର୍ଯ୍ୟକଳାପରେ ସଚ୍ଚୋଟତା, ନିରପେକ୍ଷତା, ସ୍ୱଚ୍ଛତା ଓ ବୃତ୍ତିଗତ ମାନଦଣ୍ଡର ସର୍ବୋଚ୍ଚ ସ୍ତର ବଜାୟ ରଖିବାକୁ ଗୁରୁତ୍ୱ ଦିଆଯିବ ।

ୱାର୍ଲ୍ଡ ଫେଡେରେସନ୍ ଅଫ୍ ଇଞ୍ଜିନିୟରିଂ ଅର୍ଗାନାଇଜେସନ୍ସ (ଡବ୍ଲ୍ୟୁ.ଏଫ.ଇ.ଓ.) ବିଶ୍ୱର ବିଭିନ୍ନ ଦେଶର ଇଞ୍ଜିନିୟରିଂ ସଂଗଠନଗୁଡ଼ିକୁ ନେଇ ଗଠିତ ଏକ ବିଶ୍ୱସ୍ତରୀୟ ଫେଡେରେସନ୍ । ୧୯୬୮ ମସିହାରେ ଯୁନେସ୍କୋ ର ପଦକ୍ଷେପରେ ପ୍ରତିଷ୍ଠିତ ଡବ୍ଲ୍ୟୁ.ଏଫ.ଇ.ଓ. ବିଶ୍ୱ ଇଞ୍ଜିନିୟରିଂ ସମୁଦାୟ ପାଇଁ ଏକ ଅନ୍ତର୍ଜାତୀୟ ମଞ୍ଚ ଭାବେ କାର୍ଯ୍ୟ କରୁଛି ଏବଂ ଇଞ୍ଜିନିୟରିଂରେ ଉତ୍କର୍ଷତା ସହିତ ସ୍ଥାୟୀ ବିକାଶରେ ଇଞ୍ଜିନିୟରିଂର ଅବଦାନକୁ ଆଗେଇ ନେବା ଦିଗରେ କାର୍ଯ୍ୟ କରୁଛି ।

ଗତ ଡିସେମ୍ବର ୨୦୨୫ ରେ ଇଂ. ବସା ଡବ୍ଲ୍ୟୁ.ଏଫ.ଇ.ଓ. ର ପ୍ରତିଷ୍ଠା ପରଠାରୁ ଏହାର ଆଭ୍ୟନ୍ତରୀଣ ଅଡିଟର ଭାବେ କାର୍ଯ୍ୟ କରିଥିବା ପ୍ରଥମ ଭାରତୀୟ ହେବାର ଗୌରବ ଅର୍ଜନ କରିଥିଲେ । ଏହା ପୂର୍ବରୁ ସେ ୨୦୨୨ରୁ ୨୦୨୫ ପର୍ଯ୍ୟନ୍ତ ଡବ୍ଲ୍ୟୁ.ଏଫ.ଇ.ଓ. ର ଏକ୍ଜିକ୍ୟୁଟିଭ୍ ଭାଇସ୍ ପ୍ରେସିଡେଣ୍ଟ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ ଏବଂ ଏହି ସମ୍ମାନଜନକ ନେତୃତ୍ୱ ପଦବୀ ଅଳଙ୍କୃତ କରିଥିବା ଦ୍ୱିତୀୟ ଭାରତୀୟ ହୋଇଥିଲେ । ଏଥିସହିତ, ସେ ୨୦୨୨–୨୦୨୩ ଏବଂ ୨୦୨୩–୨୦୨୫ ଅବଧିରେ ଡବ୍ଲ୍ୟୁ.ଏଫ.ଇ.ଓ. ର ଷ୍ଟ୍ରାଟେଜିକ୍ ପ୍ଲାନିଂ କମିଟି ର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ଡବ୍ଲ୍ୟୁ.ଏଫ.ଇ.ଓ. ର ପ୍ରଥମ ଆଭ୍ୟନ୍ତରୀଣ ଅଡିଟ୍ କମିଟିର ଅଧ୍ୟକ୍ଷ ଭାବେ ଇଞ୍ଜିନିୟର ଅଶୋକ ବସାଙ୍କ ନିଯୁକ୍ତି ଅନ୍ତର୍ଜାତୀୟ ଇଞ୍ଜିନିୟରିଂ ମଞ୍ଚରେ ଭାରତୀୟ ଇଞ୍ଜିନିୟରମାନଙ୍କର ବୃତ୍ତିଗତ ପ୍ରତିଷ୍ଠା ଓ ନେତୃତ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱୀକୃତି ଭାବେ ପରିଗଣିତ ହେଉଛି । ରିଜିଓନାଲ୍ ଇଞ୍ଜିନିୟରିଂ କଲେଜ୍ (ଆର.ଇ.ସି.) ଯାହା ବର୍ତ୍ତମାନର ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏନ.ଆଇ.ଟି.), ରାଉରକେଲାର ପୂର୍ବତନ ଛାତ୍ର ଇଞ୍ଜିନିୟର ବସାଙ୍କ ଏହି ନିଯୁକ୍ତି ମାଧ୍ୟମରେ ବିଶ୍ୱସ୍ତରରେ ସୁଶାସନ, ଉତ୍ତରଦାୟିତ୍ୱ, ସ୍ୱଚ୍ଛତା ଓ ପ୍ରତିଷ୍ଠାନଗତ ପରିଚାଳନା କ୍ଷେତ୍ରରେ ଭାରତୀୟ ଇଞ୍ଜିନିୟରିଂ ନେତୃତ୍ୱର ଅବଦାନ ପାଇଁ ଏକ ନୂତନ ସୁଯୋଗ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *